ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଭିଡ୍ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • କଟକ ଓ ଭୁବନେଶ୍ୱର ପାଇଁ ଅଧିକ ଆମ୍ବୁଲାନ୍ସ ମୁତୟନକୁ ଗୁରୁତ୍ୱ
  • ଟୁଇନିସିଟିରେ ଅଧିକ ଆଇସିୟୁ ବେଡ୍ ବୃଦ୍ଧି କରିବାକୁ ନିର୍ଦ୍ଦେଶ
  • କୋଭିଡ୍ କଟକଣା ନିୟମ ମାନିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଏହି ଦୁଇ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯାଉ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକରେ ରୋଗୀମାନଙ୍କ ପାଇଁ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯିବା ସହିତ ଦୁଇ ସହରରେ ଅଧିକ ଆମ୍ବୁଲାନ୍ସ ମୁତୟନ କରାଯାଉ। ଆଜି କୋଭିଡ୍ ପରିଚାଳନାର ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସେହିପରି କୋଭିଡକୁ ନିୟନ୍ତ୍ରଣ କରିବାକୁ ହେଲେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଉପରେ ଗୁରୁତ୍ୱଦେବା ଉଚିତ୍। ଛୋଟ ଦୋକାନୀ ଓ ଉଠାଦୋକାନୀମାନେ କୋଭିଡ ନିୟମାବଳୀ ଉଲଙ୍ଘନ କରୁଥିବା ନଜରକୁ ଆସୁଥିବାରୁ ପୋଲିସ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୌରସଂସ୍ଥା ପରସ୍ପର ସମନ୍ୱୟ ରଖି ନିୟମାବଳୀ କଡ଼ାକଡ଼ି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

corona icmr ne guidelines

ଗଞ୍ଜାମ, ସୁନ୍ଦରଗଡ଼, ଗଜପତି ଓ କୋରାପୁଟରେ କୋଭିଡ୍ ସ୍ଥିତିରେ ଉନ୍ନତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ବ୍ରହ୍ମପୁର ମଡେଲ ଅନୁସରଣ କରିବା ପାଇଁ କଟକ-ଭୁବନେଶ୍ୱର ପୌର ପ୍ରଶାସନ ସମେତ ଯାଜପୁର, ବରଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଯେଉଁ ଜିଲ୍ଲାମାନଙ୍କରେ କୋଭିଡ୍ ସ୍ଥିତିରେ ଉନ୍ନତି ଆସିଛି, ସେଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ଟିଏମସି, କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମ୍ ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇପାରିବେ। ସେହିପରି ଘରୋଇ ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ସଂରକ୍ଷିତ ରଖିବା, ଡାକ୍ତରଖାନାଗୁଡ଼ିକରେ ଗୁଣାତ୍ମକ ସେବା ଯୋଗାଇବା ଏବଂ ଗୃହ ସଂଗରୋଧରେ ଥିବା ରୋଗୀମାନଙ୍କ ଚିକିତ୍ସା ତଦାରଖ କରିବାକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଶେଷରେ କୋଭିଡ ପରିଚାଳନା ସଂପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୭୭.୮ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ଠାରୁ ସାମାନ୍ୟ ଅଧିକ। ସେହିପରି ମୃତ୍ୟୁହାର ସାରାଦେଶରେ ସର୍ବନିମ୍ନ ରହିଛି ଏବଂ ଏହା ୦.୪୩ ପ୍ରତିଶତ। ଖୋର୍ଦ୍ଧା ଓ କଟକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ ଭୁବନେଶ୍ୱର-କଟକ ମ୍ୟୁନିସପାଲ କର୍ପୋରେସନର କମିଶନର କୋଭିଡ ପରିସ୍ଥିତ ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ ଏବଂ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି କହିଥିଲେ।

ବୁଧବାର ଏହି ବୈଠକରେ ଉନ୍ନୟନ କମିଶନରଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ,ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ବୈଠକ ସଂଚାଳନା କରିଥିଲେ।

Comment