ଓଡ଼ିଶାଲାଇଭ୍ ବ୍ୟୁରୋ

“ଲକଡାଉନ୍ ଯୋଗୁ କରୋନା ଉପରେ ଆକ୍ରମଣ ହୋଇନଥିଲା। ଲକଡାଉନ୍ ଭାରତର ଗରିବଙ୍କ ଉପରେ ଏକ ଆକ୍ରମଣ ଥିଲା। ଆମ ଯୁବପିଢ଼ିଙ୍କ ଭବିଷ୍ୟତ ଓ ଆମର ଅସଙ୍ଗଠିତ ଅର୍ଥବ୍ୟବସ୍ଥା ଉପରେ ଆକ୍ରମଣ ଥିଲା। ଲକଡାଉନ୍ ଶ୍ରମିକ, କୃଷକ ଓ ଛୋଟ ବ୍ୟବସାୟୀଙ୍କ ଉପରେ ଏକ ଆକ୍ରମଣ ଥିଲା”, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏକ ଭିଡିଓ ଜାରି କରି ଏହି କଥା କହିଛନ୍ତି।

କରୋନାକୁ ରୋକିବାକୁ କେନ୍ଦ୍ର ସରକାର ଲକଡାଉନ୍ ଜାରି କରିଥିଲେ। ହେଲେ ସରକାରଙ୍କ ଏହି ଅଚାନକ ନିଷ୍ପତ୍ତି ଲୋକଙ୍କ ପାଇଁ ମୃତ୍ୟୁଦଣ୍ଡ ଭଳି ସାବ୍ୟସ୍ତ ହୋଇଛି ବୋଲି ରାହୁଲ କହିଛନ୍ତି।

ଲକଡାଉନ୍ କାରଣରୁ ଲକ୍ଷ ଲକ୍ଷ ଲୋକ ନିଜ ରୋଜଗାର ହରାଇଥିବା ସହିତ ଅନେକ ଛୋଟ ବଡ଼ କମ୍ପାନି ବନ୍ଦ ହୋଇଯାଇଥିଲା। ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

“ପ୍ରଧାନମନ୍ତ୍ରୀ କହିଥିଲେ ୨୧ ଦିନର ଲକଡାଉନରେ କରୋନା ଶେଷ ହୋଇଯିବ, ହେଲେ ତା’ଦ୍ୱାରା କୋଟି କୋଟି ରୋଜଗାର ଏବଂ ଛୋଟ ଛୋଟ ଉଦ୍ୟୋଗ ଶେଷ ହୋଇଯାଇଥିଲା”, କହିଛନ୍ତି ରାହୁଲ ଗାନ୍ଧୀ।BGUଏଥିସହ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ୟାକେଜ୍ ଘୋଷଣା କରିବାକୁ ଅନୁରୋଧ କରିଥିଲା। ହେଲେ ସରକାର ଅଳ୍ପ କେତେକ ପୁଞ୍ଜିପତିମାନଙ୍କର କୋଟି କୋଟି ଟଙ୍କାର ଟ୍ୟାକ୍ସ ଛାଡ କରିଦେଲେ। ନ୍ୟାୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ସାହାଯ୍ୟ କରୁ ବୋଲି କୁହାଯାଇଥିଲେ ମଧ୍ୟ ସରକାର ତାଙ୍କ କଥା ଶୁଣିନଥିଲା।

Comment