ଦୋଳଗୋବିନ୍ଦ ପଣ୍ଡା
ଖ୍ରୀଷ୍ଟିଆନମାନଙ୍କ ବର୍ଷ ବା ମାସ ଗଣନା ଚନ୍ଦ୍ରଙ୍କ ସ୍ଥିତି ଅନୁସାରେ ହୋଇ ନ ଥାଏ। ସୌରବର୍ଷ ସହ ଏହାର ସମ୍ବନ୍ଧ ରହୁଛି। ପ୍ରତି ଇଂରାଜୀ ମାସର ମଝିଆମଝି ପ୍ରାୟ ୧୩ରୁ ୧୭ ତାରିଖ ଭିତରେ ସଂକ୍ରାନ୍ତି ପଡ଼ିଥାଏ। ମୁସଲମାନମାନେ କେବଳ ଚନ୍ଦ୍ରଙ୍କ ଗତି ଉପରେ ନିର୍ଭର କରି ହିଜିରି ଅବ୍ଦ ଗଣନା କରିଥାନ୍ତି। ଆଉ କେତେକେ କେବଳ ସୌର ଗଣନା ଉପରେ ନିର୍ଭର କରନ୍ତି। କିନ୍ତୁ ଓଡ଼ିଶା ପରି କେତେକ ରାଜ୍ୟରେ ମାସ ଗଣନାକୁ ଚାନ୍ଦ୍ରସୌର ବା Lunisolar କୁହାଯାଏ। ପୃଥିବୀ ୩୬୫.୨୫ ଦିନରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରେ।
୦.୨୫ ଦିନକୁ ବାଦ୍ ଦେଇ ବର୍ଷକ ୩୬୫ ଦିନ ଧରାଯାଏ। ଏହାକୁ ସୌରବର୍ଷ କୁହାଯାଏ। ଏହି ୦.୨୫ ଦିନ ଚାରି ବର୍ଷରେ ଏକ ଦିନ ହୋଇଯାଏ, ଯାହାକୁ ଫେବ୍ରୁୟାରୀ ମାସରେ ଯୋଗ କରାଯାଏ। ସେହି ବର୍ଷକୁ ଅଧିବର୍ଷ କୁହାଯାଏ ଏବଂ ଅଧିବର୍ଷରେ ବର୍ଷଟା ୩୬୬ ଦିନ ଏବଂ ଫେବୃୟାରୀ ମାସ ୨୯ ଦିନ ହୁଏ।
ସୂର୍ଯ୍ୟଙ୍କ ପ୍ରତ୍ୟେକ ରାଶି ଭ୍ରମଣ ଅବଧିକୁ ଗୋଟିଏ ସୌରମାସ କୁହାଯାଏ। ମେଷାଦି ରାଶି ନାମରେ ଏହି ମାସଗୁଡ଼ିକର ନାମକରଣ କରାଯାଏ। ବିକଳ୍ପରେ ମେଷ ମାସକୁ ସୌର ବୈଶାଖ ବା ବୈଶାଖ, ବୃଷ ମାସକୁ ସୌର ଜ୍ୟେଷ୍ଠ ବା ଜ୍ୟେଷ୍ଠ ଇତ୍ୟାଦି କୁହାଯାଏ। ସୂର୍ଯ୍ୟଙ୍କ ସହ ଚନ୍ଦ୍ର ମଧ୍ୟ ରାଶିଚକ୍ରରେ ବୁଲୁଥାନ୍ତି। ଚନ୍ଦ୍ରଙ୍କ ଗତିବେଗ ଅଧିକ ହୋଇଥିବାରୁ ସୂର୍ଯ୍ୟ ଗୋଟିଏ ରାଶି ଭ୍ରମଣ କରିବା ଭିତରେ ଚନ୍ଦ୍ର ୧୨ଟି ରାଶି ଭ୍ରମଣ କରିଥାନ୍ତି। ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ଏକା ରାଶି ଓ ଏକା ଅଂଶରେ ଥାନ୍ତି, ତାହାକୁ ଅମାବାସ୍ୟା କୁହାଯାଏ। ସୂର୍ଯ୍ୟଙ୍କଠାରୁ ଚନ୍ଦ୍ର ପ୍ରତି ୧୨ ଅଂଶ ଆଗେଇଯିବା ଭିତରେ ଗୋଟିଏ ଲେଖା ତିଥି ପୂର୍ଣ୍ଣ ହୁଏ। ଶୁକ୍ଳ ପକ୍ଷରେ ୧୫ ଓ କୃଷ୍ଣ ପକ୍ଷରେ ୧୫ – ଏହିପରି ୩୦ଟି ତିଥି ପୂର୍ଣ୍ଣ ହେଲେ ଗୋଟିଏ ଚାନ୍ଦ୍ର ମାସ ହୁଏ। ଗୋଟିଏ ଚାନ୍ଦ୍ରମାସର ଅବଧି ହାରାହାରି ୨୯ ଦିନ ୧୨ ଘଣ୍ଟା ୪୪ ମିନିଟ୍। ଚାନ୍ଦ୍ର ମାସଗୁଡ଼ିକର ନାମ ଯଥାକ୍ରମେ- ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲଗୁନ ଓ ଚୈତ୍ର। ଏହିପରି ୧୨ଟି ଚାନ୍ଦ୍ରମାସରେ ଗୋଟିଏ ଚାନ୍ଦ୍ରବର୍ଷ ହୁଏ।
ମାସଗଣନା:
ମାସ ଗଣନା ଅନେକ ପ୍ରକାରର, ଯଥା- ସୌର, ଚାନ୍ଦ୍ର, ନାକ୍ଷତ୍ର ଓ ସାବନ। ବ୍ରତ, ବିବାହ ଆଦି ଆଭ୍ୟୁଦୟିକ କର୍ମରେ ସୌରମାସ, ପିତୃକର୍ମ, ବ୍ରତ, ଉପବାସାଦି କର୍ମରେ ଚାନ୍ଦ୍ରମାସ, ନିର୍ଦ୍ଦିଷ୍ଟ ଗଣନାସାଧ୍ୟ ସମସ୍ତ କର୍ମ ଓ ଅଶୌଚ ପ୍ରଭୃତିରେ ସାବନ ମାସ ଏବଂ ଗ୍ରହଭୁକ୍ତି ପ୍ରଭୃତିରେ ନାକ୍ଷତ୍ରମାସ ବ୍ୟବହାର୍ଯ୍ୟ।
ଗୋଟିଏ ଚାନ୍ଦ୍ର ମାସ ହେଉଛି ୨୯ ଦିନ ୧୨ ଘଣ୍ଟା ୪୪ ମିନିଟ୍। ଏଣୁ ୧୨ଟି ଚାନ୍ଦ୍ରମାସ ବା ଗୋଟିଏ ଚାନ୍ଦ୍ର ବର୍ଷ ହେଉଛି ୩୫୪ ଦିନ ୯ ଘଣ୍ଟା ଯାହା ୩୬୫.୨୫ ଦିନ ବିଶିଷ୍ଟ ଏକ ସୌର ବର୍ଷଠାରୁ ପ୍ରାୟ ୧୧ ଦିନ କମ୍। ୩ ବର୍ଷରେ ଏହି ବ୍ୟବଧାନ ବଢ଼ି ବଢ଼ି ୩୦ ଦିନରୁ ଅଧିକ ହୋଇଯାଏ। ଏହିପରି ବ୍ୟବଧାନ ବଢ଼ିଚାଲିଲେ ସୌର ମାସଠାରୁ ଚାନ୍ଦ୍ରମାସର ବ୍ୟବଧାନ ଏତେ ବଢ଼ିଯିବ ଯେ, ଶୀତଋତୁରେ ଚାନ୍ଦ୍ର ବୈଶାଖ ଓ ଗ୍ରୀଷ୍ମ ଋତୁରେ ଚାନ୍ଦ୍ର ମାଘମାସ ବି ପଡ଼ିପାରିବ, ଯେପରି ଘଟୁଛି ମୁସଲମାନଙ୍କ ହିଜିରି ଗଣନା କ୍ଷେତ୍ରରେ। କାରଣ ହିଜିରି ଅବ୍ଦ କେବଳ ଚାନ୍ଦ୍ର ଗଣନାଭିତ୍ତିକ।
ଆମର ହିନ୍ଦୁ ଜ୍ୟୋତିର୍ବିଜ୍ଞାନୀମାନେ ଚାନ୍ଦ୍ର ମାସ ସହ ସୌରମାସର ସାମଞ୍ଜସ୍ୟ ରକ୍ଷା କରିବାକୁ ମଳମାସ ବା ଅଧିମାସର ବ୍ୟବସ୍ଥା କରିଛନ୍ତି। ଯେତେବେଳେ ସୌରମାସ ଓ ଚାନ୍ଦ୍ରମାସର ବ୍ୟବଧାନ ୩୦ ଦିନରୁ ଅଧିକ ହୋଇଯାଏ (ପ୍ରାୟ ପ୍ରତି ୩ ବର୍ଷରେ ଥରେ), ସେତେବେଳେ ଗୋଟିଏ ସୌରମାସ (ସଂକ୍ରାନ୍ତିରୁ ମାସାନ୍ତ ପର୍ଯ୍ୟନ୍ତ) ଭିତରେ ଏକା ନାମରେ ଦୁଇଟି ଚାନ୍ଦ୍ରମାସ (ଗୋଟିଏ ଶୁଦ୍ଧ ଓ ସଂକ୍ରାନ୍ତିଯୁକ୍ତ ମାସ ଏବଂ ଅନ୍ୟଟି ମଳ ଓ ସଂକ୍ରାନ୍ତିବିହୀନ ମାସ) ଗଣନା କରାଯାଏ। ଅନେକ ପର୍ବପର୍ବାଣି ଓ ପିତୃପକ୍ଷର ଶ୍ରାଦ୍ଧ ଆଦି ଚାନ୍ଦ୍ରମାସ ଗଣନା ଅନୁସାରେ ହେଉଥିବା ବେଳେ ଋତୁପରିବର୍ତ୍ତନ, ବିବାହ, ବ୍ରତ ଆଦି ଶୁଭକର୍ମ ସୌରମାସ ଗଣନା ଅନୁସାରେ ହୁଏ। ଅନେକ ଶୁଭକର୍ମ କ୍ଷେତ୍ରରେ ସୌର ଓ ଚାନ୍ଦ୍ର ଉଭୟ ଗଣନାର ବିବେଚନା କରାଯାଏ। ତେଣୁ ସୌର ଗଣନା ସହ ସମ୍ପର୍କ ରଖି ଚାନ୍ଦ୍ର ଗଣନାକୁ ଆଗେଇ ନେବା ପାଇଁ ଆମର ପୂର୍ବସୂରିମାନେ ଅଧିମାସ ବା ମଳମାସର ବ୍ୟବସ୍ଥା କରିଛନ୍ତି। 
ସାଧାରଣତଃ ଆମେ ଗୋଟିଏ ଚାନ୍ଦ୍ରସୌର ମାସରେ ଗୋଟିଏ ଅମାବାସ୍ୟା ଓ ଗୋଟିଏ ପୂର୍ଣ୍ଣିମା ପାଇଥାଉ। ଯଦି କୌଣସି ସୌରମାସର ଆରମ୍ଭରେ ଗୋଟିଏ ଅମାବାସ୍ୟା ଓ ଶେଷ ଆଡ଼କୁ ଆଉ ଗୋଟିଏ ଅମାବାସ୍ୟା ପଡ଼େ, ତେବେ ଏଇ ଦୁଇ ଚାନ୍ଦ୍ରମାସକୁ ସେଇ ଗୋଟିଏ ସୌରମାସ ଭିତରେ ଗୋଟିଏ ନାମରେ ରଖାଯାଏ। ମନେକରାଯାଉ ମିଥୁନ ବା ସୌର ଆଷାଢ଼ ମାସ ଭିତରେ ଦୁଇଟି ଅମାବାସ୍ୟା ପଡ଼ିଲା। ତେବେ ଏଇ ଦୁଇ ଚାନ୍ଦ୍ରମାସ ଭିତରୁ ଗୋଟିକୁ ଶୁଦ୍ଧ ଓ ଅନ୍ୟଟିକୁ ମଳ ଆଷାଢ଼ ମାସ କୁହାଯାଏ। ୨୦୧୫ ମସିହାରେ ଯୋଡ଼ା ଆଷାଢ଼ ପଡ଼ିଥିଲା। ତେଣୁ ସେବର୍ଷ ପ୍ରଭୁ ଜଗନ୍ନାଥଙ୍କର ନବକଳେବର ହୋଇଥିଲା। ଏ ବର୍ଷ (୨୦୨୦ରେ) ଯୋଡ଼ା ଆଶ୍ୱିନ ପଡ଼ୁଛି। ଗୋଟିଏ ସୌର (କନ୍ୟା) ମାସ ଭିତରେ ଦୁଇଟି ଅମାବାସ୍ୟା ପଡ଼ୁଛି। ଗୋଟିଏ ଅମାବାସ୍ୟା କନ୍ୟା ସଂକ୍ରାନ୍ତି ପରଦିନ ସେପ୍ଟେମ୍ବର ୧୭ ତାରିଖରେ ଓ ଅନ୍ୟଟି ତୁଳା ବା ଗର୍ଭଣା ସଂକ୍ରାନ୍ତି ପୂର୍ବ ଦିନ ଅକ୍ଟୋବର ୧୬ ତାରିଖରେ। ତେଣୁ ଗୋଟିଏ ସୌର ଆଶ୍ବିନ ମାସରେ ଦୁଇଟି ଚାନ୍ଦ୍ର ଆଶ୍ୱିନ ମାସ ପଡ଼ିଲା। ତା୦୨-୦୯-୨୦ରୁ ଆରମ୍ଭ ହୋଇଥିବା ଆଶ୍ୱିନ ମାସ ୩୧-୧୦-୨୦ରେ ଶେଷ ହେଉଛି। ଏହି ୬୦ ତିଥି ବିଶିଷ୍ଟ ଯୋଡ଼ା ଆଶ୍ୱିନ ମାସର ପ୍ରଥମ ୧୫ ତିଥି ହେଉଛି ଆଶ୍ୱିନ ଶୁଦ୍ଧ କୃଷ୍ଣପକ୍ଷ ଏବଂ ଶେଷ ୧୫ ତିଥି ହେଉଛି ଆଶ୍ୱିନ, ଶୁଦ୍ଧ ଶୁକ୍ଳପକ୍ଷ। ମଝି ୩୦ ତିଥି (ତା୧୮-୦୯-୨୦ରୁ ୧୬-୧୦-୨୦) ହେଉଛି ମଳମାସ ଏବଂ ଏହାର ପ୍ରଥମ ୧୫ ତିଥି ହେଉଛି ଶୁକ୍ଳପକ୍ଷ ଓ ଦ୍ୱିତୀୟ ୧୫ ତିଥି ହେଉଛି କୃଷ୍ଣପକ୍ଷ। ଓଡ଼ିଶା ପରି ପୂର୍ଣ୍ଣିମାନ୍ତ (ବଦି ବା କୃଷ୍ଣାଦି) ଗଣନାରେ ଶୁଦ୍ଧମାସ ମଝିରେ ମଳମାସ ରହୁଥିବା ବେଳେ ପଶ୍ଚିମବଙ୍ଗ ପରି ଅମାନ୍ତ (ସୁଦି ବା ଶୁକ୍ଳାଦି) ଗଣନାରେ ଶୁଦ୍ଧମାସ ଆରମ୍ଭରେ ମଳମାସ ରହେ।
ପ୍ରତିବର୍ଷ ଜ୍ୟେଷ୍ଠ (ସ୍ନାନ) ପୂର୍ଣ୍ଣିମା ପରେ ଆଷାଢ଼ କୃଷ୍ଣପକ୍ଷ ସାରା (୧୫ ଦିନ) ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସରରେ ରହନ୍ତି। ଅଣସର ପରେ ଆଷାଢ଼ ଅମାବାସ୍ୟା ଓ ଆଷାଢ଼ ଶୁକ୍ଳ ପ୍ରତିପଦରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଉଭାଯାତ୍ରା ପରେ ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ରଥଯାତ୍ରା ଆରମ୍ଭ ହୁଏ। କିନ୍ତୁ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ, ଶୁଦ୍ଧ ଆଷାଢ଼ କୃଷ୍ଣପକ୍ଷ ୧୫ ଦିନ ସହ ମଳ ଆଷାଢ଼ ମାସର ୩୦ ଦିନ ମିଶି ମୋଟ ୪୫ ଦିନ ମହାପ୍ରଭୁ ଅଣସରରେ ରହନ୍ତି। ଏହାକୁ ମହାଅଣସର କୁହାଯାଏ। ନବକଳେବର ପ୍ରକ୍ରିୟା ପାଇଁ ଏହି ୪୫ ଦିନର ଦୀର୍ଘ ଅବଧି ସାହାଯ୍ୟ କରିଥାଏ।
ହରିଙ୍କର ଶୟନ ୪ ମାସ ହୁଏ। ଏହି ଶୟନ ଦିନ କୌଣସି ପ୍ରକାରେ ବଢ଼ାଯାଇ ପାରିବ ନାହିଁ। ବାହୁଡ଼ାଯାତ୍ରା ସମୟରେ ଆଷାଢ଼ ଶୁକ୍ଳ ଏକାଦଶୀ ରାତ୍ରିରେ ହରିଙ୍କର ଶୟନ ହୁଏ। ମାତ୍ର ଶ୍ରାବଣ, ଭାଦ୍ରବ ବା ଆଶ୍ୱିନ ମାସରେ ଅଧିମାସ ପଡ଼ିଲେ ହରିଶୟନ ଆଷାଢ଼ ଶୁକ୍ଳରେ ନ ହୋଇ ଶ୍ରାବଣ ମଳ ବା ଶୁଦ୍ଧ ଶୁକ୍ଳ ଏକାଦଶୀ ଦିନ ହେବ। ସେହିପରି ଶିବଙ୍କର ଶୟନ ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀରେ ହୁଏ। କିନ୍ତୁ ଶ୍ରାବଣ, ଭାଦ୍ରବ ବା ଆଶ୍ୱିନ ମାସରେ ମଳମାସ ପଡ଼ିଲେ ଆଷାଢ଼ ବଦଳରେ ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀରେ ଶିବଙ୍କର ଶୟନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ମଳମାସ ବା ଅଧିକ ମାସ ପଡ଼ୁଥିଲେ ମଧ୍ୟ ଶୟନ ଦିନ କୌଣସି ପ୍ରକାରେ ବୃଦ୍ଧି ନ କରିବା।
ସେହିପରି ଯେଉଁବର୍ଷ ଯୋଡ଼ା ଆଶ୍ୱିନ ପଡ଼େ, ସେ ବର୍ଷ ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜା ୧୬ ଦିନ ବଦଳରେ ମଳମାସ ୩୦ ଦିନକୁ ମିଶାଇ ୪୬ ଦିନ ପାଳନ ହୁଏ। ଏହା ମନ୍ଦିରମାନଙ୍କରେ କରାଯାଏ। ତେଣୁ ଏ ବର୍ଷ ମୂଳାଷ୍ଟମୀ ଓ ଶ୍ରୀବିମଳାଙ୍କ ସମେତ ପୀଠଦେବୀମାନଙ୍କର ସହସ୍ର କୁମ୍ଭାଭିଷେକ ତଥା ୪୬ ଦିନାତ୍ମକ ପୂଜାରମ୍ଭ ତା୧୦-୦୯-୨୦୨୦ରେ ପଡ଼ୁଥିବା ବେଳେ ଦଶହରା ପାଳନ ହେବ ତା୨୫-୧୦-୨୦୨୦ ତାରିଖରେ। ପୀଠଦେବୀମାନଙ୍କର ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା ଯଥାକ୍ରମେ ଅକ୍ଟୋବର ୨୨, ୨୩ ଓ ୨୪ରେ ହେଉଥିବା ବେଳେ ମୃଣ୍ମୟୀ ଦେବୀଙ୍କର ଅକ୍ଟୋବର ୨୨ରେ ଷଷ୍ଠୀ-ବିହିତ ପୂଜା ୨୩ରେ ସପ୍ତମୀ ପୂଜା, ୨୪ରେ ଅଷ୍ଟମୀ-ବିହିତ ପୂଜା ଓ ସନ୍ଧିପୂଜା, ୨୫ରେ ମହାନବମୀ ପୂଜା ଏବଂ ୨୬ରେ ଦଶହରା ଅନୁଷ୍ଠିତ ହେବ। 
ମଳମାସର ଅଧିପତି ପୁରୁଷୋତ୍ତମ:
ସୂର୍ଯ୍ୟଙ୍କୁ ଆଦିତ୍ୟ କୁହାଯାଏ। ଅଦିତିଙ୍କ ପୁତ୍ର ହୋଇଥିବାରୁ ଆଦିତ୍ୟ। ଅଦିତିଙ୍କ ୧୨ ଶ୍ରେଷ୍ଠ ପୁତ୍ରଙ୍କୁ ଦ୍ୱାଦଶ ଆଦିତ୍ୟ କୁହାଯାଏ। ୧୨ଟି ରାଶିକୁ ସୂର୍ଯ୍ୟ ବା ଆଦିତ୍ୟଙ୍କ ସଂକ୍ରମଣ ଅନୁସାରେ ୧୨ଟି ସୌର ମାସ ହୁଏ ଏବଂ ପ୍ରତ୍ୟେକ ମାସର ଅଧିପତି ଜଣେ ଜଣେ ଆଦିତ୍ୟ ହୋଇଥାନ୍ତି। କିନ୍ତୁ ମଳମାସ ଅସଂକ୍ରାନ୍ତି ମାସ ହୋଇଥିବାରୁ କୌଣସି ଆଦିତ୍ୟ ଏହାର ଅଧିପତି ନ ଥାନ୍ତି। ତେଣୁ ଏହି ମାସଟି ସ୍ୱୟଂ ଶ୍ରୀଜଗନ୍ନାଥ ବା ପୁରୁଷୋତ୍ତମଙ୍କୁ ଉତ୍ସର୍ଗୀକୃତ। ପୁରୁଷୋତ୍ତମ ଜଗନ୍ନାଥ ହେଉଛନ୍ତି ମଳମାସର ଅଧିପତି। ତେଣୁ ଏହାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ।
ମଳମାସରେ ବିବାହ, ବ୍ରତ ଆଦି କୌଣସି ଶୁଭକର୍ମ କରାଯାଏ ନାହିଁ। କିନ୍ତୁ ଦାନ, ହୋମ, ଜପତପ, ଶାସ୍ତ୍ରାଦି ପଠନ, ବିଷ୍ଣୁ ସହସ୍ରନାମ ପାଠ, ଗୀତା, ଭାଗବତ, ବିଷ୍ଣୁପୁରାଣାଦି ପାରାୟଣ ନିମନ୍ତେ ଏହି ମାସ ଅତ୍ୟନ୍ତ ଉପଯୁକ୍ତ ଓ ପୁଣ୍ୟପ୍ରଦ। ଆଧ୍ୟାତ୍ମିକ ଉନ୍ନତି ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତି ପୁରୁଷୋତ୍ତମ ମାସରେ ଜପ, ଦାନ, ପାରାୟଣ ଆଦି କରିବା ଆବଶ୍ୟକ।
ପୁରୁଷୋତ୍ତମ ମାସରେ ଦିନରେ ଉପବାସ ଓ ରାତିରେ ସନ୍ଧ୍ୟାବେଳେ ଏକବକ୍ତ ନକ୍ତ ଭୋଜନ କରିବା ଉଚିତ। ଏହି ସମୟରେ ହରଡ଼ ଡାଲି, ତେଲ, ଉଷୁନା ଚାଉଳ, ହଳଦୀ, ସାଧାରଣ ଲୁଣ ମସଲା ଆଦି ଖାଇବା ନିଷେଧ। ମୁଗଡାଲି, କଦଳୀ, ଅରୁଆ ଚାଉଳ, ଘିଅ, ସୈନ୍ଧବ ଲବଣରେ ପ୍ରସ୍ତୁତ ହବିଷ୍ୟାନ୍ନ ପ୍ରଦୋଷ ସମୟରେ ଏକବକ୍ତ ଖାଇବା ଉଚିତ। ଏହାକୁ ନକ୍ତବ୍ରତ କହନ୍ତି। ଦିନବେଳେ ସମ୍ପୂର୍ଣ୍ଣ ଉପବାସ ରହିବା ସମ୍ଭବ ନ ହେଲେ ଫଳରସ, ଦହି, କ୍ଷୀର, ପଇଡ଼ ଆଦି ଖାଇପାରିବେ।
ବ୍ରତ ସମୟରେ ମୌନବ୍ରତ ପାଳନ କରିବେ। କିନ୍ତୁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ନାମ, ଗୁଣ ଓ ଲୀଳା କୀର୍ତ୍ତନ କରିବା, ତାଙ୍କ ଜୀବନ ଚରିତ ସମ୍ବନ୍ଧୀୟ ପୁସ୍ତକ (ହରିବଂଶ, ଭାଗବତ ଆଦି) ପାଠ କରିବା, ତାଙ୍କ ଲୀଳା ଶ୍ରବଣ କରିବା ଓ ତାଙ୍କର ଯାଜନ କରିବାରେ ମୌନବ୍ରତ ଭଙ୍ଗ ହୁଏନାହିଁ। ବ୍ରତ ସମୟରେ ପୂଜାଘରେ ଅଖଣ୍ଡ ଘିଅଦୀପ ଜାଳିବା ଓ ଭୂମିଶଯ୍ୟାରେ ଶୟନ କରିବା ଉଚିତ। ପୁରୁଷୋତ୍ତମ ମାସରେ ପୁଣ୍ୟ ଅର୍ଜନ ପାଇଁ ଦାନ କରାଯାଏ। ଦୀପଦାନ, ଅନ୍ନଦାନ, ଛତ୍ରଦାନ, ଶଯ୍ୟାଦାନ, ବିଷ୍ଣୁମୂର୍ତ୍ତି ଦାନ, ଗୋଦାନ, ପିତ୍ତଳ ପାତ୍ରରେ ତିଳଦାନ, ବସ୍ତ୍ରଦାନ, ଧର୍ମପୁସ୍ତକ ଦାନ ଇତ୍ୟାଦି ମୁଖ୍ୟଦାନ ଏବଂ ଦାନର ମୁଖ୍ୟ ଅଧିକାରୀ ହେଉଛନ୍ତି ବ୍ରାହ୍ମଣ, ଗୁରୁ ଓ ଆଚାର୍ଯ୍ୟ କିମ୍ବା ଯେଉଁ ଦ୍ରବ୍ୟ ଯାହାଙ୍କର ସବୁଠାରୁ ବେଶି ପ୍ରୟୋଜନୀୟ ସେ (ଯଥା କ୍ଷୁଧାର୍ତ୍ତକୁ ଅନ୍ନଦାନ, ବସ୍ତ୍ରହୀନକୁ ବସ୍ତ୍ରଦାନ ଇତ୍ୟାଦି)। ପୁରୁଷୋତ୍ତମ ମାସରେ ପଡ଼ୁଥିବା ଦ୍ବାଦଶୀ, ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା ଓ ପୂର୍ଣ୍ଣିମା ତିଥି ଏବଂ ବ୍ୟତିପାତ ଓ ବୈଧୃତି ଯୋଗ ବିଶିଷ୍ଟ ଦାନ ପାଇଁ ସର୍ବୋତ୍ତମ। 
ମଳମାସରେ କୃତ୍ୟାକୃତ୍ୟ:
ମଳମାସ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଶୁଭ ହେଲେ ମଧ୍ୟ ଏହି ମାସରେ ବିବାହ, ବ୍ରତ, ଗୃହାରମ୍ଭ, ଗୃହପ୍ରତିଷ୍ଠା, କୂପତଡ଼ାଗାଦି ଖନନ, ଓ ପ୍ରତିଷ୍ଠା, ଦେବବିଗ୍ରହ ପ୍ରତିଷ୍ଠା ଆଦି କରାଯାଏ ନାହିଁ। କିନ୍ତୁ ଏହି ମାସରେ ଗର୍ଭାଧାନ, ପୁଂସବନ, ସୀମନ୍ତୋନ୍ନୟନ, ନାମକରଣ, ଅନ୍ନପ୍ରାଶନ ଆଦି କରାଯାଇପାରିବ। ଯେଉଁମାନେ ସମ୍ପୂର୍ଣ୍ଣ ପୁରୁଷୋତ୍ତମ ମାସରେ ଦାନ, ହୋମ, ଜପ ଇତ୍ୟାଦି ପାଳନ କରିପାରିବେ ନାହିଁ, ସେମାନେ ଅନ୍ତତଃ ଅଷ୍ଟମୀ, ନବମୀ, ଚତୁର୍ଦ୍ଦଶୀ, ଦ୍ବାଦଶୀ ଓ ପୂର୍ଣ୍ଣିମାରେ ଏହା କରିବା ଉଚିତ। ଚାତୁର୍ମାସ୍ୟା ଭିତରେ ମଳମାସ ପଡ଼ିଲେ ଚାତୁର୍ମାସ୍ୟା ବ୍ରତଧାରୀମାନଙ୍କୁ ୫ ମାସ ଏହି ବ୍ରତ କରିବାକୁ ପଡ଼ିଥାଏ। ମଳମାସରେ କୌଣସି କାମ୍ୟ କର୍ମର ଆରମ୍ଭ ଓ ସମାପ୍ତି କରଣୀୟ ନୁହେଁ। କିନ୍ତୁ ଆରମ୍ଭ ଓ ସମାପ୍ତି ମଝିରେ ମଳମାସ ପଡ଼ିଲେ ସେ କର୍ମ ମଳମାସରେ ମଧ୍ୟ କରାଯିବ। ମଳମାସରେ ପ୍ରଥମ ଦେବଦର୍ଶନ ଓ ପ୍ରଥମ ଅପୂର୍ବ ତୀର୍ଥସ୍ନାନ କରଣୀୟ ନୁହେଁ। ପୁଂସବନଠାରୁ ଅନ୍ନପ୍ରାଶନ ପର୍ଯ୍ୟନ୍ତ ୬ ଗୋଟି କର୍ମ, ପ୍ରେତକର୍ମ ଏବଂ ଅଲଭ୍ୟ ଯୋଗ ଶ୍ରାଦ୍ଧାଦି କର୍ମ ମଳମାସରେ କରଣୀୟ।
ଅମାବାସ୍ୟା ଶ୍ରାଦ୍ଧ ମଳ ଓ ଶୁଦ୍ଧ ଉଭୟ ମାସରେ କରଣୀୟ। ଶୁଦ୍ଧମାସରେ ମୃତ ବ୍ୟକ୍ତିର ପ୍ରଥମ ସାମ୍ବତ୍ସରିକ ଓ ମଳମାସରେ ମୃତ ବ୍ୟକ୍ତିର ଅନ୍ୟ ସାମ୍ବତ୍ସରିକ ଶ୍ରାଦ୍ଧ ମଳମାସରେ କରଣୀୟ। ନିଷେକ, ବିବାହ ପରବର୍ତ୍ତୀ ଦ୍ୱତୀୟାରେ ହେଉଥିବା ନବଚନ୍ଦ୍ର ବନ୍ଦାପନା, ନୂତନ ଗୟାଶ୍ରାଦ୍ଧ ମଳମାସରେ କରଣୀୟ। ଯେଉଁ ବର୍ଷ କ୍ଷୟମାସ ପଡ଼ିବ, ସେ ବର୍ଷ କ୍ଷୟମାସ ପୂର୍ବରୁ ଗୋଟାଏ ମଳମାସ ଓ କ୍ଷୟମାସ ପରେ ଆଉ ଗୋଟାଏ ମଳମାସ ପଡ଼େ। ପ୍ରଥମଟିକୁ ସଂସର୍ପ ଓ ପରଟିକୁ ଅଂହସ୍ପତି କୁହାଯାଏ। ସଂସର୍ପ ମାସରେ ବିବାହ, ବ୍ରତ ପ୍ରଭୃତି ପ୍ରଧାନ କର୍ମ ଛାଡ଼ି ଶ୍ରୁତି ଓ ସ୍ମୃତି-ବିହିତ ସମସ୍ତ କର୍ମ ଶୁଦ୍ଧମାସ ପରି କରାଯାଇପାରିବ। ଉକ୍ତ ମାସରେ ସମ୍ବତ୍ସରିକ ତିଥି ଦୁଇଟି ମିଳୁଥିବାରୁ ଦୁଇଟି ତିଥିରେ ଦୁଇଗୋଟି ସାମ୍ବତ୍ସରିକ ଶ୍ରାଦ୍ଧ ହେବ। ଅଂହସ୍ପତି ଠିକ୍ ମଳମାସ ପରି। ଓଁ ଶ୍ରୀପୁରୁଷୋତ୍ତମାୟ ନମଃ।







