ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଗତ ମାର୍ଚ୍ଚ ୨୧ରୁ ମଠ ମନ୍ଦିର ବନ୍ଦ ରହିଥିବା ବେଳେ ଏଗୁଡ଼ିକୁ ଖୋଲିବା ପାଇଁ ସେବକମାନେ ଦାବି କରିଛନ୍ତି।

  • ଓଡ଼ିଶାରେ ମଠ ମନ୍ଦିର ଖୋଲିବାକୁ ସେବକଙ୍କ ଦାବି
  • ଅନ୍‌ଲକ୍ ପ୍ରକ୍ରିୟାରେ ଓଡ଼ିଶାକୁ ଛାଡ଼ି ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲିଛି
  • ମଠ ମନ୍ଦିର ବନ୍ଦ ଯୋଗୁଁ ବିପନ୍ନ ହୋଇଛି ସେବାୟତଙ୍କ ଜୀବିକା
  • ମନ୍ଦିରର ଆୟ ସାଘାଂତିକ ଭାବେ ପ୍ରଭାବିତ ହୋଇଛି

ଅନ୍‌ଲକ୍ ପ୍ରକ୍ରିୟାରେ ସେପ୍ଟେମ୍ବର ୭ ତାରିଖରୁ ସମଗ୍ର ଦେଶରେ ଶ୍ରଦ୍ଧାଳୁଙ୍କ ପାଇଁ  ମଠ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିଥିବା ବେଳେ ଓଡ଼ିଶା ସରକାର ଏହି ନିର୍ଦ୍ଦେଶାବଳୀକୁ ମାନିନାହାନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସରକାର ଏ ଦିଗରେ ମାପିଚୁପି ପଦକ୍ଷେପ ନେଉଛନ୍ତି।

କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ପୁରୀ ଶ୍ରୀମନ୍ଦିର ସେବାୟତମାନେ ଏତେ ଶୀଘ୍ର  ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ହେଉ ତାହା ଚାହୁଁନାହାନ୍ତି। କିନ୍ତୁ ରାଜ୍ୟର କୋଣ ଅନୁକୋଣରେ ଥିବା ଛୋଟ ମନ୍ଦିର ଓ ମଠର ପୂଜାରୀମାନଙ୍କ ମତ ଅଲଗା। ଶୀଘ୍ର ମନ୍ଦିର ଦର୍ଶନ ସ୍ୱାଭାବିକ ହେଉ ଏକଥା ସେମାନେ ଚାହାଁନ୍ତି। ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଅଧିକ ସମୟ ମନ୍ଦିରର ଦୈନନ୍ଦିନ ପୂଜା ସେବା ବନ୍ଦ ରଖିବା ଠିକ ହେବ ନାହିଁ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୧ ତାରିଖରୁ ସମଗ୍ର ରାଜ୍ୟରେ ମଠ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି ଯାହା ଫଳରେ କି ସେବାୟତ ମାନେ ବହୁ ଅସୁବିଧା ଦେଇ କାଳାତିପାତ କରୁଛନ୍ତି।ସମଗ୍ର ଦେଶରେ ଶ୍ରଦ୍ଧାଳୁଙ୍କ ପାଇଁ ମଠ ମନ୍ଦିର ଖୋଲା ଯାଇଥିବା ବେଳେ ଓଡ଼ିଶାରେ କାହିଁକି ତାହା କରାନଯିବ ବୋଲି କିଛି ସେବକ ପ୍ରଶ୍ନ କରିଛନ୍ତି। ଯଦି ସରକାର ହାଟ ବଜାର ଓ ସପିଂ ମଲ୍ ଖୋଲିପାରିଲେ ସର୍ବସାଧାରଣଙ୍କ ପାଇଁ ମନ୍ଦିରର ପ୍ରବେଶ ଦ୍ୱାର ଉନ୍ମୁକ୍ତ ରଖିବାରେ ଅସୁବିଧା କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି ଓଡ଼ିଶା ମନ୍ଦିର ସେବାୟତ ସଂଘର ସମ୍ପାଦକ କାମେଶ୍ୱର ତ୍ରିପାଠୀ।

ଓଡ଼ିଶାରେ ଥିବା ଶହ ଶହ ଛୋଟ ମନ୍ଦିର ବନ୍ଦ ରହିବା ଯୋଗୁଁ ମନ୍ଦିର ଉପରେ ଭରସା କରି ଚଳୁଥିବା ସେବ ମାନଙ୍କ ଜୀବିକା ବିପନ୍ନ ହେବା ସହ ମନ୍ଦିରର ଆୟ ମଧ୍ୟ ସାଂଘାତିକ ଭାବେ ହ୍ରାସ ପାଇଛି। ତା’ ଛଡ଼ା ମନ୍ଦିର ସହିତ ଯୋଡ଼ି ହୋଇ ରହିଥିବା ଦୋକାନ ବଜାର ମଧ୍ୟ ବନ୍ଦ ହେବା ଫଳରେ ଅନେକେ ବେରୋଜଗାର ହୋଇ ପଡ଼ିଛନ୍ତି।

ଉଦାହରଣ ସ୍ୱରୂପ ଘଟଗାଁ ତାରିଣୀ ମନ୍ଦିର କଥା ଦେଖାଯାଉ। ସାଧାରଣତଃ ତାରିଣୀ ମନ୍ଦିରକୁ ପ୍ରତିଦିନ ୫ ହଜାରରୁ ୧୦ ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। ପର୍ବ ପର୍ବାଣୀରେ ଏହି ସଂଖ୍ୟା ବୃଦ୍ଧି ପାଇଥାଏ। କିନ୍ତୁ ମନ୍ଦିରକୁ ଲାଗି ଚାଲିଥିବା ଛୋଟ ଛୋଟ ଦୋକାନ ବନ୍ଦ ରହିବା ଯୋଗୁଁ ତାରିଣୀ ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ୫୦୦ରୁ ଅଧିକ  ପରିବାର ବେରୋଜଗାର ହୋଇପଡ଼ିଛନ୍ତି ବୋଲି କହନ୍ତି ମା ତାରିଣୀ ମନ୍ଦିର ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ପଟ୍ଟନାୟକ।BGUସେହିପରି କୋଭିଡ୍ ଯୋଗୁଁ ଲୋକେ ଘରେ ବସି ବସି ମାନସିକ ଭାବେ  ଚାପଗ୍ରସ୍ତ ହେଉଥିବା ବେଳେ ମନ୍ଦିର ଯାଇ ଠାକୁର ଦର୍ଶନ କଲେ ସେମାନଙ୍କର ମାନସିକ ଅବସାଦ ଦୂର ହୋଇପାରିବ ଓ ମନ  ଆଧ୍ୟାତ୍ମିକ ସନ୍ତୁଳନ ଦେଇ ଗତି କରିପାରିବ ବୋଲି କହିଛନ୍ତି କୋରାପୁଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସମ୍ପାଦକ ଗଦାଧର ପରିଡ଼ା।

Comment