ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଏବେ ଜୋରଦାର ଚାଲିଛି ଅଙ୍କ କଷାକଷି। ଏନଡିଏ ହରିବଂଶ ନାରାୟଣ ସିଂହଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ କରିଥିବାବେଳେ ବିରୋଧୀମାନେ ମନୋଜ ଝାଙ୍କୁ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛନ୍ତି। ହେଲେ ଏହି ଦୁଇ ନେତାଙ୍କ ଭିତରୁ କିଏ ରାଜ୍ୟସଭା ଉପାଧ୍ୟକ୍ଷ ପଦ ହାତେଇବ ଏବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ଦୁଇଜଣ ଯାକ ନେତା ବିହାର ରାଜନୀତିରୁ ଜାତୀୟ ସ୍ତରକୁ ଆସିଛନ୍ତି। ହରିବଂଶ ନାରାୟଣ ସିଂହ ଜେଡିୟୁ ଦଳର ସାଂସଦ ଥିବାବେଳେ ମନୋଜ ଝା ଆରଜେଡି ଦଳର ସାଂସଦ ଅଛନ୍ତି।  ତେବେ ଉପାଧ୍ୟକ୍ଷ ନିର୍ବାଚନରେ କାହା ପଲ୍ଲା କେତେ ଭାରି ଆସନ୍ତୁ ଜାଣିବା।

ରାଜ୍ୟସଭାର ସଂଖ୍ୟାଗଣିତ

ରାଜ୍ୟସଭାରେ ଏବେ ମୋଟ ୨୪୫ ଜଣ ସଦସ୍ୟ ରହିଛନ୍ତି। ତେଣୁ ଉପାଧ୍ୟକ୍ଷ ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ହେଲେ ୧୨୩ ସାଂସଦଙ୍କ ସମର୍ଥନ ଆବଶ୍ୟକ।ହରିବଂଶଙ୍କ ସମର୍ଥନରେ ଥିବା ସାଂସଦ

ଏନଡିଏ ସମର୍ଥିତ ହରିବଂଶ ନାରାୟଣ ସିଂହଙ୍କ ପାଖରେ ୧୧୬ ସାଂସଦଙ୍କ ସମର୍ଥନ ରହିଛି। ସେଥିମଧ୍ୟରେ ବିଜେପିର ୮୭ ସାଂସଦ ରହିଥିବାବେଳେ ଏଆଇଡିଏମକେର ୯, ଜେଡିୟୁର ୯, ଅକାଳି ଦଳର ୩ ସଦସ୍ୟ ରହିଛନ୍ତି।

ତେବେ ଉପାଧ୍ୟକ୍ଷ ଆସନ ଜିତିବାକୁ ହେଲେ ହରିବଂଶଙ୍କୁ ଟିଆରଏସ୍, ୱାଏସ୍ଆର୍ କଂଗ୍ରେସ କିମ୍ବା ବିଜେଡି ସାଂସଦଙ୍କ ସହଯୋଗ ଲୋଡ଼ା। ଏହି ଦଳମାନେ ମଧ୍ୟ ତାଙ୍କୁ ସମର୍ଥନ ଜଣାଇବେ ବୋଲି ଜଣାପଡ଼ିଛି। ଏପରି ହେଲେ ହରିବଂଶ ନାରାୟଣ ସିଂହ ପୁଣିଥରେ ରାଜ୍ୟସଭାର ଉପାଧ୍ୟକ୍ଷ ହୋଇଯିବେ।

ମନୋଜ ଝାଙ୍କ ସମର୍ଥନରେ ଥିବା ସାଂସଦ

ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ସାଜିଛନ୍ତି ମନୋଜ ଝା। ତାଙ୍କୁ କଂଗ୍ରେସର ୪୦ ସାଂସଦଙ୍କ ସହ ବାମପନ୍ଥୀ ଦଳର ୬, ଡିଏମକେର ୭, ଆରଜେଡିର ୫, ଶିବସେନାର ୩ ସାଂସଦଙ୍କ ସମର୍ଥନ ରହିବ। ହେଲେ ଉପାଧ୍ୟକ୍ଷ ଆସନ ଜିତିବାକୁ ହେଲେ ମନୋଜ ଝାଙ୍କୁ ୧୨୩ ସାଂସଦଙ୍କ ଆବଶ୍ୟକତା ଅଛି। ଯାହା ତାଙ୍କ ପାଇଁ କଷ୍ଟକର ହୋଇପାରେ।

ଯଦି ବିଜେଡି,ଟିଆରଏସ୍ ଏବଂ ୱାଇଏସଆର୍ କଂଗ୍ରେସର ସାଂସଦମାନେ ମନୋଜଙ୍କୁ ସମର୍ଥନ କରନ୍ତି ଓ ଏନଡିଏର କିଛି ସାଂସଦ ତାଙ୍କ ସପକ୍ଷରେ ଭୋଟ କରନ୍ତି ତେବେ ସେ ଉପାଧ୍ୟକ୍ଷ ପଦରେ ଜିତିପାରିବେ ବୋଲି କୁହାଯାଉଛି।

Comment