ଓଡ଼ିଶାଲାଇଭ୍ ବ୍ୟୁରୋ

ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ହୋଇଥିବା ପୂଜା ଗାଇଡଲାଇନ୍‌କୁ ବିରୋଧ କରି ହାଇକୋର୍ଟରେ ଏକ ମାମଲା ରୁଜୁ କରିଛି ବାଲୁବଜାର ପୂଜା କମିଟି।

  • ମଣ୍ଡପ ତିନି ପଟୁ ଆବଦ୍ଧ କରି ପୂଜା ହୋଇ ପାରିବ ନାହିଁ
  • ୪ ଫୁଟ୍ ପରିବର୍ତ୍ତେ ୭ ଫୁଟ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ମିଳୁ

କଟକ: ଦଶହରା ଏବଂ ଅନ୍ୟାନ୍ୟ ପୂଜା କିପରି ହେବ ସେ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଚାଲେଞ୍ଜ କରି ହାଇକୋର୍ଟରେ ଶୁକ୍ରବାର ଏକ ମାମଲା ରୁଜୁ ହୋଇଛି। ତିନି ପଟୁ ଆବଦ୍ଧ କରି ଦଶହରା ପୂଜା କରିବା ନେଇ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଏଥିରେ ବିରୋଧ କରାଯାଇଛି। ସେହିପରି ୪ ଫୁଟ୍ ପରିବର୍ତ୍ତେ ୭ ଫୁଟ୍ ଉଚ୍ଚର ମୂର୍ତ୍ତି ନିର୍ମାଣ ଲାଗି ଅନୁମତି ଦେବାକୁ ପିଟିସନ୍‌ରେ ପ୍ରାର୍ଥନା କରାଯାଇଛି। କଟକର ବାଲୁବଜାର ପୂଜା କମିଟି ଏହି ମାମଲା ରୁଜୁ କରିଥିଲାବେଳେ ଏଥିରେ କଟକର ଆଉ ୨୪ ଟି ପୂଜା କମିଟି ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟିକୁ ନେଇ ଗଠିତ ଟ୍ରଷ୍ଟ ପକ୍ଷଭୁକ୍ତ ହୋଇଛନ୍ତି।

ବାଲୁବଜାର ପୂଜା କମିଟିର ସଭାପତି ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ, ସମ୍ପାଦକ ରାଜେନ୍ଦ୍ର ସାମଲ ଏବଂ ଅନ୍ୟତମ ସମ୍ପାଦକ ରମେଶ ଚନ୍ଦ୍ର ବେହେରା ଏକ ମାମଲା ରୁଜୁ କରିଛନ୍ତି। ସେମାନେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, ବିଭିନ୍ନ ପୂଜା କିପରି ଅନୁଷ୍ଠିତ ହେବ ସେଥିପାଇଁ ଏସ୍‌ଆର୍‌ସିଙ୍କ ପକ୍ଷରୁ ଏକ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ୍‌କୁ ଆମେ ମଧ୍ୟ ମାନିବାକୁ ପ୍ରସ୍ତୁତ। କିନ୍ତୁ ଏଥିରେ କେତୋଟି ନିର୍ଦ୍ଦିଷ୍ଟ ପଏଣ୍ଟ ଉପରେ କମିଟି ପ୍ରତିବାଦ ଜଣାଇଛି।ପ୍ରଥମେ ମଣ୍ଡପ ତିନି ପଟୁ ଆବଦ୍ଧ କରି ପୂଜା କରାଯିବାକୁ ଏସ୍‌ଆର୍‌ସିଙ୍କ ପକ୍ଷରୁ କୁହାଯାଇଛି। ମା’ ଦୁର୍ଗା ଶକ୍ତି ରୂପରେ ପୂଜା ପାଆନ୍ତି। ଶକ୍ତି ପୂଜା ତନ୍ତ୍ର, ମନ୍ତ୍ର ଆଧାରରେ କରାଯାଏ। ପାଣିକଖାରୁ ମଧ୍ୟ ମା’ଙ୍କ ଆଗରେ ବଳିପଡ଼େ। ମା’ ଙ୍କୁ ତିନି ପଟୁ ଆବଦ୍ଧ କରି ଏସବୁ କାର୍ଯ୍ୟ କରାଯିବା ସମ୍ଭବ ନୁହେଁ। ତେଣୁ ହାଇକୋର୍ଟ ଏହାକୁ ରଦ୍ଦ କରି ଖୋଲାରେ ମା’ଙ୍କ ପୂଜା କରିବାକୁ ଅନୁମତି ଦେବାକୁ ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି।

ସେହିପରି ଗାଇଡ୍‌ଲାଇନ୍‌ରେ ଆଉ ଏକ ପଏଣ୍ଟ ରହିଛି ୪ ଫୁଟ୍‌ର ମୂର୍ତ୍ତି ନିର୍ମାଣ। ପ୍ରତିବର୍ଷ  ବିଭିନ୍ନ ମଣ୍ଡପରେ ମା’ଙ୍କ ୭ ଫୁଟ୍ ଉଚ୍ଚତାର ମୂର୍ତ୍ତି ନିର୍ମାଣ ହୋଇଥାଏ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଛାଞ୍ଚ ମଧ୍ୟ ନିର୍ମାଣ ହୋଇଛି। ତେଣୁ ହଠାତ୍ ୪ ଫୁଟ୍ ଉଚ୍ଚତାର ମୂର୍ତ୍ତି କହିଲେ ଏହି କମ୍ ଉଚ୍ଚତା ମୂର୍ତ୍ତିକୁ ଦୃଷ୍ଟିରେ ରଖି ଛାଞ୍ଚ ନିର୍ମାଣ କରିବା ସହଜ ନୁହେଁ।

ଏଥିସହ ଠାକୁରଙ୍କ ଆସ୍ଥାନ ବା ଖଡ଼ମା ମଧ୍ୟ ୭ ଫୁଟ୍ ଉଚ୍ଚତାର ମୂର୍ତ୍ତି ଆଧାରରେ ନିର୍ମାଣ ହୋଇଛି। ୪ ଫୁଟ୍ ଉଚ୍ଚତାର ଯଦି ମୂର୍ତ୍ତି ନିର୍ମାଣ ହୁଏ ତାହେଲେ ସେହି ଆଧାରରେ ଖଡ଼ମା ମଧ୍ୟ ନିର୍ମାଣ କରିବାକୁ ପଡ଼ିବ। ତେଣୁ ଅଦାଲତ ୪ ଫୁଟ୍ ପରିବର୍ତ୍ତେ ୭ ଫୁଟ୍‌ର ମୂର୍ତ୍ତି ନିର୍ମାଣ ଲାଗି ଅନୁମତି ପ୍ରଦାନ କରିବାକୁ ଆବେଦନକାରୀ ନିଜ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।BGUଏଥିସହ ଜଣେ ମାତ୍ର ଲୋକଙ୍କୁ ନନେଇ ଭସାଣି କରିବାକୁ ଆବେଦନକାରୀମାନେ ପ୍ରତିଶ୍ରୁତି ଦେଇଥିଲାବେଳେ ମୂର୍ତ୍ତି ନେବାଲାଗି ସେମାନଙ୍କୁ ଟ୍ରାକ୍ଟର କିମ୍ବା ଚେସିସ୍‌ ବ୍ୟବହାର ପାଇଁ  ଅନୁମତି ଦେବାକୁ ସେମାନେ ପ୍ରାର୍ଥନା କରିଛନ୍ତି। ଆବେଦନକାରୀ ଏହି ମାମଲାରେ ଗୃହ ବିଭାଗ ସଚିବ, ଆଇନ ବିଭାଗ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିସନର, କଟକ-ଭୁବନେଶ୍ୱର ପୋଲିସ କମିସନର, ଭୁବନେଶ୍ୱର ଡିସିପି, କଟକ ଡିସିପି, କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଆଇନଜୀବୀ ଏସ୍‌.କେ. ସାଙ୍ଗନାରିଆ ଏହି ମାମଲା ରୁଜୁ କରିଛନ୍ତି।

Comment