ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ପୂରା ଘଟଣାକ୍ରମ ବିଷୟରେ ଜାଣନ୍ତୁ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ଡ୍ରଗ୍ସ କାରବାର ଲିଙ୍କ ନେଇ ଖୋଳତାଡ଼ ହେବା ପରେ ନିକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟାଙ୍କୁ ଗିରଫ କରିଛି ଏନ୍‌ସିବି। ତେବେ କଥା ଏହିଠାରେ ସରିନାହିଁ। ରିୟାଙ୍କ ଗିରଫଦାରି ପରେ ମଧ୍ୟ ଅନେକ ଅସମାହିତ ପ୍ରଶ୍ନ ରହିଛି, ଯାହାର ଉତ୍ତର ଖୋଜିବା ଏବେ ଜରୁରୀ ହୋଇପଡ଼ିଛି। ତେବେ ଆସନ୍ତୁ ଜାଣିବା ଏହି ମାମଲାର ପୂରା ଘଟଣାକ୍ରମ ବିଷୟରେ..

ସୁଶାନ୍ତଙ୍କ ମୃତ୍ୟୁ

ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍‌ରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ପ୍ରଥମେ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିଲା। ବଲିଉଡରେ ପରିବାରବାଦ, ଫିଲ୍ମ ମାଫିଆଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପରେ ଏହି ମାମଲାରେ ଆସିଥିଲା ଟ୍ଵିଷ୍ଟ। ସୁଶାନ୍ତଙ୍କୁ ହତ୍ୟା କରାଯିବା ନେଇ ସନ୍ଦେହ ଉପୁଜିଲା।

ସୁଶାନ୍ତଙ୍କ ମୃତ୍ୟୁର ମାସକ ପରେ ତାଙ୍କ ବାପା କେକେ ସିଂ ପାଟନାର ରାଜୀବନଗର ଥାନାରେ ଏକ ଏଫ୍‌ଆଇଆର୍‌ ଦେଲେ। ସେଥିରେ ସେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେ ରିୟାଙ୍କୁ ସିଧାସଳଖ ଦାୟୀ କରିଥିଲେ। ଏହାପରେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଦାବି ଜୋର ଧରିଥିଲା। ଏବେ ଏକାଧିକ ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ କରୁଛନ୍ତି।ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ

ସୁଶାନ୍ତଙ୍କ ମୃତ୍ୟୁର ମାସକ ପରେ ତାଙ୍କ ବାପା କେକେ ସିଂ ପାଟନାର ରାଜୀବନଗର ଥାନାରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ କେକେ ସିଂଙ୍କ ଅଭିଯୋଗ ଗ୍ରହଣ କରିଥିଲା ପାଟନା ପୋଲିସ। ଏହି ଏଫ୍‌ଆଇଆର୍‌ରେ ସେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ନାଁରେ ଅଭିଯୋଗ କରିଥିଲେ। ରିୟା ସୁଶାନ୍ତଙ୍କ ଜୀବନରେ ଆସିବା ପରେ ସୁଶାନ୍ତ ନିଜ ପରିବାରଠାରୁ ଦୂରେଇ ଯାଇଥିଲେ, ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ହଡ଼ପ କରିଥିଲେ, ସେ ହିଁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି କେକେ ସିଂ ନିଜ ଏଫ୍ଆଇଆର୍‌ରେ ଉଲ୍ଲେଖ କରିଥିଲେ। ରିୟା ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି, ନଚେତ୍ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ରିୟାଙ୍କ ଅଭିଯୋଗ 

ଗତ ସେପ୍ଟେମ୍ବର ୬ ତାରିଖରେ ନାର୍କୋଟିକ୍ସ ବ୍ୟୁରୋ ଜେରା କରିବା ପରେ ରିୟା ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମୁମ୍ବାଇରେ ଏଫ୍‌ଆଇଆର୍‌ ଦେଇଥିଲେ। ଏହି ଏଫ୍‌ଆଇଆର୍‌ରେ ରିୟା ସୁଶାନ୍ତଙ୍କ ବଡ଼ ଭଉଣୀ ପ୍ରିୟଙ୍କା ସିଂ ଓ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଆକ୍ଟ, ଟେଲିମେଡିସିନ୍ ଆକ୍ଟ ଉଲଂଘନ ପରି ଅଭିଯୋଗ କରିଥିଲେ।

ଏହାଛଡ଼ା ସୁଶାନ୍ତଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କ ଭଲ ନଥିଲେ ଏବଂ ସେ ଡ୍ରଗ୍ସ ନେଉଥିଲେ ବୋଲି ରିୟା ଅଭିଯୋଗ କରିଥିଲେ। ରିୟାଙ୍କ ସହ ଦେଖା ହେବା ପୂର୍ବରୁ ସୁଶାନ୍ତ ଡିପ୍ରେସନ୍‌ରେ ଥିଲେ ଏବଂ ଏଥିପାଇଁ ସେ ଅନେକ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଥିଲେ ବୋଲି ରିୟା ନିଜ ଅଭିଯୋଗରେ ଦର୍ଶାଇଥିଲେ।ରିୟାଙ୍କ ଗିରଫଦାରି

ଡ୍ରଗ୍ସ କାରବାର ମାମଲାରେ ଗତ ସେପ୍ଟେମ୍ବର ୮ ତାରିଖରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବାଇକୁଲ୍ଲା ଜେଲ୍‌କୁ ପଠାଇ ଦିଆଯାଇଛି। ସେ ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିଲେ ଏବଂ ସେଥିପାଇଁ ତାଙ୍କଠାରୁ ମୋଟା ଅଙ୍କର ଟଙ୍କା ହଡ଼ପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ଏହାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ସହଯୋଗୀ ସାମୁଏଲ୍ ମିରାଣ୍ଡା, ଦୀପେଶ ସାଓ୍ଵନ୍ତଙ୍କୁ ଗିରଫ କରିଛି। ସୁଶାନ୍ତ ମୃତ୍ୟୁ ସହିତ ଡ୍ରଗ୍ସ ଲିଙ୍କ ମାମଲାରେ ଏନ୍‌ସିବି ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରିସାରିଛି। ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ସ ଲିଙ୍କ ଥିଲା କି ନାହିଁ ସେନେଇ କୌଣସି ତଦନ୍ତକାରୀ ଏଜେନ୍ସି ସ୍ପଷ୍ଟ କରିନାହିଁ।

କେଉଁ ସବୁ ସଂସ୍ଥା ତଦନ୍ତ କରୁଛନ୍ତି?

ସୁଶାନ୍ତ ଆତ୍ମହତ୍ୟା କରୁଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ଏନେଇ ସିବିଆଇ ଏବେ ତଦନ୍ତ କରୁଛି। ପ୍ରଥମେ ବିହାର ପୋଲିସ ଓ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଥିଲେ। କିନ୍ତୁ ତଦନ୍ତରେ ଶୀଥିଳତା ଦୃଷ୍ଟିରୁ ଗତ ଅଗଷ୍ଟ ୧୯ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।sushant-Rhea-2ଅନ୍ୟପଟେ ରିୟା ଓ ତାଙ୍କ ପରିବାର ସୁଶାନ୍ତଙ୍କ ଟଙ୍କା ହଡ଼ପ କରିଥିବା ନେଇ ସୁଶାନ୍ତଙ୍କ ବାପା କେକେ ସିଂ ଅଭିଯୋଗ କରିଥିଲେ। ଏବେ ଏହି ମାମଲାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି।

ଏହି ପୂରା ଘଟଣାରେ ଡ୍ରଗ୍ସ କାରବାର ଲିଙ୍କ ନେଇ ଅଭିଯୋଗ ଆସିବା ପରେ ଏହାର ତଦନ୍ତ ଭାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନ୍‌ସିବି ଗ୍ରହଣ କରିଛି।

କେଉଁ ସଂସ୍ଥାର ତଦନ୍ତ କେତେ ଆଗେଇଛି?

ଏହି ମାମଲାରେ ଜଡ଼ିତ ତଦନ୍ତକାରୀ ସଂସ୍ଥାଗୁଡ଼ିକ କେଉଁ ଦିଗରେ ତଦନ୍ତ କରୁଛନ୍ତି କିମ୍ବା ତଦନ୍ତରୁ କେଉଁ ସବୁ ପ୍ରମାଣ ମିଳିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ନିୟମ ଅନୁସାରେ ସଠିକ୍ ଭାବରେ ସୁଶାନ୍ତ ମତ୍ୟୁ ମାମଲାର ତଦନ୍ତ ଚାଲିଛି। କିନ୍ତୁ ତଦନ୍ତ ଜାରି ରହିଥିବାରୁ ଏହି କେସ୍‌ ସମ୍ବନ୍ଧୀୟ କୌଣସି ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।BGUଅନ୍ୟପଟେ ଇଡି ପକ୍ଷରୁ ମଧ୍ୟ କୌଣସି ଆଧିକାରିକ ବୟାନ ଜାରି କରାଯାଇନାହିଁ। ତେବେ ଇଡି ପକ୍ଷରୁ ରିୟାଙ୍କୁ ଜେରା କରାଯାଇଥିବା ନେଇ ରିୟା ନିଜେ ଏକ ସାକ୍ଷାତକାରରେ ସ୍ଵୀକାର କରିଛନ୍ତି।

ସେହିପରି ଏନ୍‌ସିବି ପକ୍ଷରୁ ମଧ୍ୟ କୌଣସି ବୟାନ ଜାରି ହୋଇନାହିଁ। କିନ୍ତୁ ନିକଟରେ ଡ୍ରଗ୍ସ କାରବାର ଲିଙ୍କରେ ଏନ୍‌ସିବି ରିୟା, ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ସହଯୋଗୀ ସାମୁଏଲ୍ ମିରାଣ୍ଡା, ଦୀପେଶ ସାଓ୍ଵନ୍ତଙ୍କୁ ଗିରଫ କରିଛି। ଏଥିସହ ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ଲିଙ୍କ ଅଭିଯୋଗରେ ମୋଟ ୧୦ ଜଣଙ୍କୁ ଏନ୍‌ସିବି ଗିରଫ କରିସାରିଛି।

Comment