ଓଡ଼ିଶାଲାଇଭ ବ୍ୟୁରୋ

ଉଦଘାଟିତ ହେଲା ‘ଶୋଭା ଚାରିଟେବୁଲ ଟ୍ରଷ୍ଟ’। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁକ୍ରବାର ଏହାକୁ ଉଦଘାଟନ କରିଥିଲେ।

ପିପିଲି ବ୍ଲକର ମଙ୍ଗଳପୁରସ୍ଥିତ ନିଳାଦ୍ରୀ ସେବା ସଦନ ପରିସରରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ସୁଶ୍ରୀ ପ୍ରଧାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ଚିକିତ୍ସକ ଡାକ୍ତର ନବକିଶୋର ରାଉତ, ବିଶିଷ୍ଟ ଲେଖିକା ତଥା ସମାଜସେବୀ ସୁନିତ୍ ମୁଣ୍ଡ, ଟ୍ରଷ୍ଟର ଟ୍ରଷ୍ଟି ବର୍ଷା ରାୟ, ମୁଖ୍ୟ ସଂଯୋଜକ ନିଳାଦ୍ରୀ ପ୍ରସାଦ ରାଉତ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।BGU

‘‘ଅନୁନ୍ନତ ଅଞ୍ଚଳରେ ନର୍ସିଂ ଓ ପାରାମେଡିକାଲ ପ୍ରତିଷ୍ଠାନ ପ୍ରତିଷ୍ଠା ସାଙ୍ଗକୁ ମହିଳାବର୍ଗଙ୍କୁ ଆତ୍ମନିଯୁକ୍ତି ଯୋଗାଇ ସ୍ୱାବଲମ୍ବୀ କରିବା, ସୁସ୍ଥ ସମାଜ ଗଠନ ନିମନ୍ତେ ମହିଳା ଓ ଶିଶୁମାନଙ୍କର ସାମଗ୍ରିକ ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ କରାଯିବା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନ ମାନଙ୍କୁ ସହାୟତା ପ୍ରଦାନ, ଅତି ଅନୁନ୍ନତ ଅଞ୍ଚଳରେ ନିରକ୍ଷରତା ଦୂର ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଆଦି ଏହି ଚାରିଟେବୁଲ ଟ୍ରଷ୍ଟର ଆଭିମୁଖ୍ୟ’’, କହିଥିଲେ ଟ୍ରଷ୍ଟି ବର୍ଷା ରାୟ।

କାର୍ଯ୍ୟକ୍ରମରେ ଅତିଥିମାନେ ଏହି ଟ୍ରଷ୍ଟର ଲୋଗୋକୁ ଉନ୍ମୋଚନ କରିଥିଲେ। ସମ୍ମାନିତ ଅତିଥିଭାବେ ସାମ୍ବାଦିକ ରାଜକିଶୋର ସ୍ୱାଇଁ ଯୋଗଦେଇଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ। ଟ୍ରଷ୍ଟି ବର୍ଷା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। କୋଭିଡ଼ ନିୟମ ଅନୁଯାୟୀ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବାବେଳେ ଟ୍ରଷ୍ଟର ସଭ୍ୟ ଅନୀତା ସାମନ୍ତରାୟ, ଅଜୟ ଗୋଚ୍ଛାୟତ, ଗଦାଧର ପରିଡା, ତଟିନୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Comment