ଓଡ଼ିଶାଲାଇଭ୍ ବ୍ୟୁରୋ

‘ଯଦି ଇଚ୍ଛାଶକ୍ତି ଦୃଢ଼ ଥିଲେ ଦୁନିଆ ଯାହା କହିଲେ ବି ମଣିଷ କେବେ ହାର୍ ମାନିବନି।’ ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିହାରରେ।

ବିହାର ଗୟା ଜିଲ୍ଲାର ଲାଉଙ୍ଗି ଭୂୟାଁ। ବୃଦ୍ଧ ବୟସରେ ବି ସେ ଆଜି ହାର୍ ମାନିନାହାନ୍ତି। ମନରେ ଦୃଢ଼ ଇଚ୍ଛାଶକ୍ତି ଆଉ ଦେହରେ ଅଦମ୍ୟ ବଳ ସାଉଁଟି ୩୦ ବର୍ଷ ହେବ ଗାଁ ମାଟିର ହିତ ପାଇଁ କାମ କରି ଆସୁଛନ୍ତି ଲାଉଙ୍ଗି। ଏଥିପାଇଁ ପରିବାରଠାରୁ ନେଇ ଗ୍ରାମବାସୀ ତାଙ୍କୁ ଅନେକ ବାରଣ କରିଛନ୍ତି। କିନ୍ତୁ କାହାରି କଥାକୁ ତିଳେ ମାତ୍ର କର୍ଣ୍ଣପାତ ନ କରି ସେ ନିଜର କାର୍ଯ୍ୟ କରିଚାଲିଛନ୍ତି।

ପାହାଡ଼ରୁ ବହି ଆସୁଥିବା ବର୍ଷାଜଳକୁ ଗାଁ ଚାଷଜମି ପର୍ଯ୍ୟନ୍ତ ଆଣିବାରେ ଆଜି ସଫଳ ହୋଇ ପାରିଛନ୍ତି ଲାଉଙ୍ଗି। କାହାରି ସାହାଯ୍ୟ ବିନା ଏକୁଟିଆ ଭାବେ ଦୀର୍ଘ ୩ କିଲୋମିଟର ଲମ୍ଵର କେନାଲ ସେ ଖୋଳି ପାରିଛନ୍ତି। ଏଥିପାଇଁ ତାଙ୍କୁ ୩୦ ବର୍ଷ ଲାଗିଥିବା କହିଛନ୍ତି ଲାଉଙ୍ଗି।ବିହାର ଗୟା ଜିଲ୍ଲା ଲାଥୁଆ ଅଞ୍ଚଳର କୋଠିଲାଓ୍ଵା ଗ୍ରାମ ଏକ ମାଓ ଆଶ୍ରିତ ଅଞ୍ଚଳ। ଚାଷ କାର୍ଯ୍ୟ ଏବଂ ପଶୁ ପାଳନ ହେଉଛି ଗ୍ରାମବାସୀଙ୍କ ରୋଜଗାରର ମୁଖ୍ୟ ପନ୍ଥା। ତେବେ ଅଧିକ ରୋଜଗାର ପାଇଁ ଗ୍ରାମର ଅନେକ ଲୋକ ସହରମୁହାଁ ହେଉଥିଲା ବେଳେ ଗ୍ରାମରେ ରହିବାକୁ ପସନ୍ଦ କରିଥିଲେ ଲାଉଙ୍ଗି।

ବର୍ଷା ସମୟରେ ପାହାଡ଼ରୁ ବହୁଥିବା ଜଳସବୁ ଯାଇ ସିଧାସଳଖ ଯାଇ ନଦୀ ମିଶିଯାଏ। ତେବେ ଏହି ଜଳକୁ କିପରି ସଞ୍ଚୟ କରି ରଖାଯାଇ ଚାଷ କାମରେ ଲଗାଯାଇ ପାରିବ ସେ ବିଷୟରେ ଚିନ୍ତା କରିଥିଲେ ଲାଉଙ୍ଗି। ଏଥିପାଇଁ କେନାଲଟିଏ ଖୋଳିବା ପାଇଁ ସେ ମନସ୍ତ କଲେ। ପ୍ରତିଦିନ ଜଙ୍ଗଲକୁ ଯାଇ ସେ ପାହାଡ଼ର ପାଦଦେଶକୁ ଖୋଳିବା ଆରମ୍ଭ କରିଦେଲେ।BGUତେବେ ତାଙ୍କର ଏପରି କାମ ପାଇଁ ପରିବାର ଲୋକ ଏବଂ ଗ୍ରାମବାସୀମାନେ ତାଙ୍କୁ ପାଗଳ ବୋଲି କହୁଥିଲେ। ଏପରିକି ଏହି କାମ କରିବାରୁ ବାରଣ ମଧ୍ୟ କରିଥିଲେ। କିନ୍ତୁ ସେ କାହାରି କଥା ନ ଶୁଣି କେନାଲ ଖୋଳା କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୩୦ ବର୍ଷ ଏପରି କରିବା ପରେ ସେ ବର୍ତ୍ତମାନ ୩ କିଲୋମିଟର ଖୋଳି ସାରିଛନ୍ତି। ପୋଖରୀଟିଏ କରି ପାହାଡ଼ରୁ ବହୁଥିବା ବନ୍ୟାଜଳକୁ ସଞ୍ଚୟକରି ରଖାଯାଇ ଆବଶ୍ୟକସ୍ଥଳେ ଏହାକୁ ଚାଷ କାମରେ ଲଗାଯାଇ ପାରୁଛି।ତାଙ୍କର ଏକୁଟିଆ ପରିଶ୍ରମରେ ଆଜି ପୁରା ଗାଁ ଫାଇଦା ପାଇଛି। ଚାଷ କାମ ସହ ଗ୍ରାମର ପଶୁପକ୍ଷୀମାନେ ମଧ୍ୟ ଏହି ପୋଖରୀରୁ ପାଣି ପିଇ ଉପକୃତ ହୋଇପାରୁଛନ୍ତି। ତେବେ ଯେତେବେଳେ ସେ ଏହି କାମ କରୁଥିଲେ ସେତେବେଳେ ତାଙ୍କୁ କେହି ଜାଣିନଥିଲେ। କିନ୍ତୁ ତାଙ୍କର ଏହି କାମପରେ ଏବେ ତାଙ୍କୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି। ଏପରିକି ତାଙ୍କୁ କେହି କେହି ବିହାରର ଦିତ୍ଵୀୟ ‘ମାଞ୍ଝି’ ବୋଲି ମଧ୍ୟ କହୁଛନ୍ତି।

Comment