ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କରୋନା ଦେଖାଇଲା ନୂଆ ବାଟ
  • ଛାତ୍ରଙ୍କ ପାଖକୁ ଆସିଲା ସ୍କୁଲ
  • କଳାପଟା ଧରି ବୁଲୁଛନ୍ତି ଶିକ୍ଷକ

ସମସ୍ୟାରୁ ହିଁ ସମାଧାନର ସୂତ୍ର ବାହାରେ। ସେମିତି କରୋନା ସମୟରେ ଛତିଶଗଡ଼ର ଜଣେ ଶିକ୍ଷକ, ସ୍କୁଲକୁ ନେଇ ଛାତ୍ରଙ୍କ ଦୁଆର ମୁହଁରେ ପହଞ୍ଚିଯାଇଛନ୍ତି। ଶିକ୍ଷକ, କଳାପଟା ଆଉ ଛାତ୍ର ଯେଉଁଠି ଏକାଠି ସେଇଠି ସ୍କୁଲ।

ଛତିଶଗଡ଼ କୋରିଆ ଜିଲ୍ଲାର ରୁଦ୍ର ରଣା। ବୃତ୍ତିରେ ସରକାରୀ ଶିକ୍ଷକ। ଅନଲାଇନ କ୍ଲାସକୁ ନେଇ ଅନେକ ଛାତ୍ରଛାତ୍ରୀ ଚିନ୍ତାରେ ଥିବା ବେଳେ, ଏ ଶିକ୍ଷକ ଜଣକ ତାଙ୍କ ଛାତ୍ରଛାତ୍ରୀଙ୍କ ସାହିରେ ପହଞ୍ଚି ସ୍କୁଲ ଆରମ୍ଭ କରିଦେଇଛନ୍ତି।

ଅନେକ ଛାତ୍ରଛାତ୍ରୀଙ୍କ ପାଖରେ, ଇଣ୍ଟରନେଟର ସୁବିଧା ନାହିଁ। କାହା ଘରେ ମୋବାଇଲ ନାହିଁ, ତ କାହା ଘରେ ଆଦୌ ବିଜୁଳି ହିଁ ନାହିଁ। ଏମିତି ପରିସ୍ଥିତିରେ ଛାତ୍ରଛାତ୍ରୀ ପାଠ ପଢ଼ିବାରେ ହଇରାଣ ହେଉଥିଲେ। ଅନଲାଇନ କ୍ଲାସ କରିବା ପରେ ଅଧିକ ଛାତ୍ର ଯୋଡ଼ି ହୋଇପାରୁ ନ ଥିବାରୁ ଭାରି ଚିନ୍ତାରେ ପଡ଼ିଯାଇଥିଲେ ରୁଦ୍ର। ଅନେକ ଭାବିବା ପରେ, ସେ ଯୋଜନା କଲେ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଘର ପାଖକୁ ନେଇଯିବେ।

ନା ଇଣ୍ଟରନେଟ ଦରକାର ନା କରେଣ୍ଟ। ଦରକାର ଖାଲି ଛାତ୍ରଛାତ୍ରୀ। ସେ ସାହିରେ ପହଞ୍ଚିବା ପରେ ବେଲ୍ ବଜାନ୍ତି। ଆଉ କିଛି ସମୟ ଭିତରେ ପିଲାମାନେ ପହଞ୍ଚିଯାଆନ୍ତି। ରୁଦ୍ର ତାଙ୍କ ବାଇକରେ ବ୍ଲାକ ବୋର୍ଡ ଲଗାଇଛନ୍ତି। ବାସ୍ ଗାଡ଼ି ଠିଆ କଲେ, ପାଠ ପଢ଼ାଇଲେ। ନା କରୋନାର ଡର ଅଛି। ନା ସାମାଜିକ ଦୂରତା ନିୟମ ଭାଙ୍ଗିବାର ଭୟ ଅଛି। ସ୍କୁଲରେ ରୁଟିନ ଅନୁସାରେ ଯେମିତି ପଢ଼ାଯାଏ, ସେ ଠିକ୍ ସେମିତି ପଢ଼ାଇବା ଆରମ୍ଭ କରିଛନ୍ତି। ସେ ଗୋଟେ ସାହିରେ କ୍ଲାସ ସାରିବା ପରେ ଆଉ ଗୋଟେ ସାହି କିମ୍ବା ଗାଁକୁ ତାଙ୍କ ଭ୍ରାମ୍ୟମାଣ ସ୍କୁଲକୁ ଧରି ବାହାରିଯାଆନ୍ତି। ପ୍ରଥମେ ପ୍ରଥମେ ପିଲା ସେତେ ଆଗ୍ରହରେ ଆସୁ ନ ଥିଲେ। ହେଲେ ଏବେ ରୁଦ୍ର ସାରଙ୍କ ବେଲ୍ ବାଜିଗଲେ ଛାତ୍ରଛାତ୍ରୀ ହାଜର ହୋଇଯାଉଛନ୍ତି।

ନିକଟରେ ଏନସିଇଆରଟିର ଏକ ରିପୋର୍ଟ ଅନୁସାରେ ଅନଲାଇନ କ୍ଲାସ ବହୁ ପରିମାଣରେ ପିଲାଙ୍କ ପାଖରେ ପହଞ୍ଚିପାରିନି। ଏହାକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବା ଭଳି ଭିତ୍ତିଭୂମି ଦେଶରେ ନାହିଁ ବୋଲି ପ୍ରମାଣିତ ହୋଇସାରିଛି। ରିପୋର୍ଟ ଅନୁସାରେ ସବୁ ପିଲାଙ୍କ ପାଖରେ ଅନଲାଇନ କ୍ଲାସ କରିବା ପାଇଁ ଡିଜିଟାଲ ଉପକରଣ ନାହିଁ। ଅତି କମରେ ୫୦ ପ୍ରତିଶତ ପିଲା ଅନଲାଇନ କ୍ଲାସରେ ଅସୁବିଧା ଭୋଗୁଛନ୍ତି। ୨୦ ପ୍ରତିଶତ ପର୍ଯ୍ୟନ୍ତ ପିଲା ଏହାକୁ ଅତିରିକ୍ତ ଚାପ ବୋଲି କହିଛନ୍ତି। ତେବେ ଅନଲାଇନ କ୍ଲାସର ମୁଖ୍ୟ ଅସୁବିଧା ହେଉଛି ମନ୍ଥର ଇଣ୍ଟରନେଟ ସେବା।

ଦୁର୍ବଳ ଇଣ୍ଟରନେଟ ସେବା ଯୋଗୁ ମୋବାଇଲ ଫୋନରେ କ୍ଲାସ ସହ ଯୋଡ଼ିହେବା ଅସମ୍ଭବ ହେଉଛି। ଅଧିକାଂଶ ପିଲା ଡିଜିଟାଲ ଉପକରଣର ବ୍ୟବହାର ଠିକରେ ଜାଣିନାହାନ୍ତି। ଖାଲି ସେତିକି ନୁହେଁ, ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଏ ଅନଲାଇନ ଟିଚିଂ ମେଥୋଡୋଲୋଜି ସହ ଆଦୌ ଅଭ୍ୟସ୍ତ ନୁହନ୍ତି। ଅନଲାଇନରେ ଉପଲବ୍ଧ ବହିକୁ ଏ ସ୍କୁଲର ଛାତ୍ରଛାତ୍ରୀ ପଢ଼ିବାରେ ଅସୁବିଧା ଭୋଗୁଛନ୍ତି। କାରଣ ଏ ବୟସର ପିଲାମାନେ ବହି ପଢ଼ିବାରେ ଅଭ୍ୟସ୍ତ। ସେମାନଙ୍କୁ ହାର୍ଡ କପି ଦରକାର। ୨୮ ପ୍ରତିଶତ ଛାତ୍ରଙ୍କ ଘରେ ବିଜୁଳିର ବ୍ୟବସ୍ଥା ନାହିଁ। ୨୭ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଡିଜିଟାଲ ଉପକରଣ ଯେମିତି ମୋବାଇଲ, କମ୍ପ୍ୟୁଟର ଲାପଟପ କିମ୍ବା ଟ୍ୟାବ୍ସ ନାହିଁ।

ଦେଶର ଛାତ୍ରଛାତ୍ରୀ ଯେତେବେଳେ ଭିତ୍ତିଭୂମିର ଅଭାବ ଯୋଗୁ ଭର୍ଚୁଆଲ କ୍ଲାସର ସୁବିଧା ପାଇାପାରୁନାହାନ୍ତି, ସେତେବେଳେ ରୁଦ୍ର ସାରଙ୍କ ଭଳି ଉଦ୍ୟମ କିଛି ପରିମାଣରେ ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିପାରୁଛି।

Comment