ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ ବିଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ବିଶ୍ୱର ସମସ୍ତ ମହାଶକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି।

ଜର୍ମାନୀ, ଫିନଲ୍ୟାଣ୍ଡ, ନେପାଳ, ୠଷ, ସ୍ପେନ୍, କେନିଆ ସମେତ ଅନେକ ଦେଶରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଆସିଛି।

ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ରୂଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ସ୍ୱାସ୍ଥ୍ୟ ଏବଂ ସଫଳତା କାମନା କରିଛନ୍ତି। ସେ ଲେଖିଛନ୍ତି, ‘‘ହୃଦୟରୁ ଜନ୍ମଦିନର ଶୁଭେଚ୍ଛା, ମୁଁ ଆପଣଙ୍କ ଭଲ ସ୍ୱାସ୍ଥ୍ୟ, ସୁଖ ଏବଂ ସଫଳତା କାମନା କରୁଛି’’।

ସେହିପରି ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସାନା ମାରିନ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସେ ମଧ୍ୟ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ କହିଛନ୍ତି। ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମାର୍କେଲ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଦେଇଛନ୍ତି।

ମୋଦୀଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଦେଶର କୋଣ ଅନୁକୋଣରୁ ତାଙ୍କର ସମର୍ଥକ ଶୁଭେଚ୍ଛା ଦେଇଛନ୍ତି। ବହୁ ବରିଷ୍ଠ ନେତା ମନ୍ତ୍ରୀ ବି ତାଙ୍କୁ ଶୁଭେଚ୍ଛା ଦେବା ସହିତ ତାଙ୍କର ସୁସ୍ଥ ସ୍ୱାସ୍ଥ୍ୟ କାମନା କରିଛନ୍ତି।

Comment