ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଯୋଗୁଁ କଟକ ଦୁର୍ଗାପୂଜା ଲାଗି ଚାନ୍ଦିମେଢ଼ କାମ ଅଧାରେ ଅଟକିଛି।

  • କରୋନା ଯୋଗୁଁ ଅଧାରେ ଅଟକିଛି କାମ
  • ଏବର୍ଷ ଦେଖିବାକୁ ମିଳିଥାନ୍ତା ଦୁଇ ନୂଆ ଚାନ୍ଦି ମେଢ଼
  • ସୁନା, ରୁପା ମୂଲ୍ୟବୃଦ୍ଧି ଯୋଗୁଁ ବ୍ୟୟବହୁଳ ହୋଇଛି ମେଢ଼ କାମ

କଟକ: କଟକରେ କରୋନା ସ୍ଥିତି ଅସମ୍ଭାଳ। ଏଭଳି ସ୍ଥିତିରେ ଆଗାମୀ ଦୁର୍ଗାପୂଜା ପରିଚାଳନା ପ୍ରଶାସନ ପାଇଁ ଚାଲେଞ୍ଜିଂ ହେବ। ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଥର ନିରାଡ଼ମ୍ବର ଆୟୋଜନ କରିବାକୁ ଜୋର୍‌ଦାର୍ ପ୍ରସ୍ତୁତି ଚାଲିଛି। ବିଶେଷ କରି ମୂର୍ତ୍ତିର ସ୍ୱାଭାବିକ ଉଚ୍ଚତାକୁ ନେଇ ବିବାଦ ଲାଗି ରହିଛି। ଏ କ୍ଷେତ୍ରରେ ଚାନ୍ଦିମେଢ଼ କଥା ବିଚାରକୁ ଆସୁନାହିଁ। ଯଦି କରୋନା ସ୍ଥିତି ନଥାନ୍ତା ତେବେ ଏଥର କଲେଜ ଛକ ପୂଜା କମିଟି, ରାମଗଡ଼ ପୂଜା କମିଟି ଚାନ୍ଦି ମେଢ଼ ଉଦ୍‌ଘାଟନ କରିଥାନ୍ତେ। କିନ୍ତୁ କରୋନା ଯୋଗୁଁ କାମ ଅଟକି ରହିଥିବାରୁ ଆସନ୍ତାବର୍ଷ ଏହି ଦୁଇ ମେଢ଼ ଉଦ୍‌ଘାଟିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

କଟକ ଦଶହରାର ସ୍ୱତନ୍ତ୍ରତା ହେଲା ଚାନ୍ଦିମେଢ଼। ଦୀର୍ଘ ୬୪ ବର୍ଷ ତଳୁ କଟକରେ ଚାନ୍ଦିମେଢ଼ ଆରମ୍ଭ ହୋଇଥିଲା। ଚୌଧୁରୀ ବଜାର ପୂଜା କମିଟି ପ୍ରଥମ କରି ଚାନ୍ଦିମେଢ଼ ପ୍ରତିଷ୍ଠା କରିଥିଲା। ଏହାର ତିନି ଦଶନ୍ଧି ପରେ ଅର୍ଥାତ୍ ୧୯୯୧ ମସିହାରେ ସହରରେ ଦ୍ୱିତୀୟ ଚାନ୍ଦିମେଢ଼ କରିଥିଲା କଟକଚଣ୍ଡି ରୋଡ୍‌-ଶେଖ୍‌ବଜାର ପୂଜା କମିଟି। ଏମିତିକି କଟକ ଅଲିଶା ବଜାରର ଚାନ୍ଦି ମେଢ଼ ଦିଲ୍ଲୀ ଦରବାର ଯାଇ ମଧ୍ୟ ସେଠାରେ ବିପୁଳ ପ୍ରଶଂସା ସାଉଁଟିଥିଲା। ପରକୁ ପର ସଂଖ୍ୟା ବଢ଼ିଚାଲିଲା।ଏବେ ସୁଦ୍ଧା ୨୭ଟି ପୂଜା କମିଟି ଚାନ୍ଦିମେଢ଼ କରିସାରିଛନ୍ତି। ଏଥିରେ ଚୌଧୁରୀ ବଜାର ସମେତ ଅଲିଶା ବଜାର, ଶେଖ୍‌ବଜାର, ଚାନ୍ଦିନୀଚୌକ, କାଜିବଜାର, ବିନୋଦ ବିହାରୀ, ନୟାସଡ଼କ, କାଠଗଡ଼ା ସାହି, ଫିରିଙ୍ଗ୍ ବଜାର, ମାଛୁଆ ବଜାର ସର୍ପା ଦୁର୍ଗା, ରାଣୀହାଟ, ଶିଖର-ଗଣ୍ଡରପୁର-ମହାନଦୀ ବିହାର, ଚାଉଳିଆଗଞ୍ଜ, ଖାନ୍‌ନଗର, ବାଦାମବାଡ଼ି-ଶଙ୍କରପୁର, ହରିପୁର-ଦୋଳମୁଣ୍ଡାଇ, ତୁଳସୀପୁର, ମଙ୍ଗଳାବାଗ୍‌, ଖଟବିନ୍ ସାହି, ପିଠାପୁର, ଗଣେଶଘାଟ, କାଳୀଗଳି ଭଳି ବିଭିନ୍ନ ପୂଜା କମିଟି ଚାନ୍ଦିମେଢ଼ ନିର୍ମାଣ କରିବାର ଗୌରବ ଅର୍ଜନ କରିଛନ୍ତି।

ଗତବର୍ଷ ୨୦୧୯ରେ ଛତ୍ରବଜାର, ଗଙ୍ଗାମନ୍ଦିର ଓ ବିଡ଼ାନାସୀ ପୂଜା କମିଟି ନୂଆ କରି ଚାନ୍ଦିମେଢ଼ ତାଲିକାରେ ସାମିଲ୍ ହୋଇଥିଲେ। କେବଳ ଚାନ୍ଦିମେଢ଼ ନୁହେଁ ଧିରେ ଧିରେ ସୁନା ମେଢ଼ ଦିଗରେ ଆଗେଇଲେଣି କଟକ ସହରର ବିଭିନ୍ନ ପୂଜା କମିଟି। ଚୌଧୁରୀବଜାର, ଶେଖ୍‌ବଜାର, ରାଣୀହାଟ, ମଙ୍ଗଳାବାଗ୍‌, କାଠଗଡ଼ାସାହି ଭଳି ପୂଜା କମିଟି ସୁନା ମୁକୁଟ ତିଆରି କରିସାରିଥିବା ବେଳେ ଚୌଧୁରୀ ବଜାର ସୁନାମେଢ଼ କାମ ମଧ୍ୟ କିଛି ବର୍ଷ ତଳୁ ଆରମ୍ଭ କରିସାରିଛି।ଏଭଳି ପରିସ୍ଥିତିରେ ସୁନା, ଚାନ୍ଦିର ପ୍ରତିଯୋଗିତା ଦେଖିବାକୁ ମିଳେ କଟକ ଦଶହରାରେ। ଏବର୍ଷ ଯଦି କରୋନା ସ୍ଥିତି ଉପୁଜିନଥାନ୍ତା ଆଉ ଦୁଇଟି ଚାନ୍ଦିମେଢ଼ ତାଲିକାରେ ସାମିଲ୍ ହୋଇଥାନ୍ତା। କଲେଜ ଛକ ପୂଜା କମିଟି ଏବର୍ଷ ଚାନ୍ଦିମେଢ଼ କରିଥାନ୍ତା। ମେଢ଼ କାମ ପ୍ରାୟ ଅଧାରୁ ଅଧିକ ଶେଷ ହୋଇଯାଇଥିବା ବେଳେ ଲକ୍‌ଡାଉନ୍ ଯୋଗୁଁ ବନ୍ଦ ରହିଛି। ପ୍ରାୟ ସାଢେ ତିନି କ୍ଵିଣ୍ଟାଲ ଓଜନରେ ଚାନ୍ଦିମେଢ଼, ସାଜସଜ୍ଜା କରାଯାଇଥାନ୍ତା ବୋଲି କମିଟି ସଭାପତି ଉତ୍ତମ ବେହେରା କହିଛନ୍ତି।

ସେହିପରି ରାମଗଡ଼ ପୂଜା କମିଟି ମଧ୍ୟ ଏଥର ପ୍ରାୟ ଅଢେଇ କ୍ୱିଣ୍ଟାଲ୍ ଓଜନରୁ ଅଧିକ ଚାନ୍ଦିମେଢ଼ କରିଥାନ୍ତା। କିନ୍ତୁ କରୋନା ଯୋଗୁଁ କାମ ଅଟକି ରହିଛି। ଏମିତିକି ଚାନ୍ଦି ମେଢ଼ ତିଆରି କରୁଥିବା କାରିଗରଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେଣୁ ଏ ବର୍ଷ ଯୋଜନାକୁ ସ୍ଥଗିତ ରଖାଯାଇ ୨୦୨୧ ବର୍ଷରେ ଚାନ୍ଦିମେଢ଼ ଲୋକାର୍ପଣ କରାଯିବ ବୋଲି ରାମଗଡ଼ ପୂଜା କମିଟିର ସଭାପତି ବିଜୟ ଦାସ ପ୍ରକାଶ କରିଛନ୍ତି।କେବଳ କଲେଜଛକ, ରାମଗଡ଼ ନୁହେଁ ଆଉ କିଛି ପୂଜା କମିଟି ମଧ୍ୟ ଯୋଜନା ଚଳାଇଥିଲେ। କିନ୍ତୁ କରୋନା ସ୍ଥିତି ବାଟ ଓଗାଳିଲା। ଅନ୍ୟପକ୍ଷରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସୁନା, ରୁପା ମୂଲ୍ୟ ଢେର ଗୁଣରେ ବଢ଼ିଯାଇଛି। ଏଭଳି ସ୍ଥିତିରେ ସୁନା, ରୁପା କିଣିବା ପୂଜା କମିଟି ପାଇଁ ବ୍ୟୟବହୁଳ ହେଉଛି। ତେଣୁ ଯେଉଁମାନେ ଚାନ୍ଦି ମେଢ଼ କାମରେ ଆଗେଇ ଥିଲେ ସ୍ଥିତିକୁ ଦେଖି ମେଢ଼ କାମକୁ ସ୍ଥଗିତ ରଖିଛନ୍ତି।

Comment