ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଆଉ ବମ୍ବେ… ଏବେ ମୁମ୍ବାଇ। ସ୍ୱପ୍ନର ସହର। ରୁପେଲି ପରଦାର ସୁନେଲି ସ୍ୱପ୍ନ ନେଇ ଅନେକ ଏଠାରେ ପହଞ୍ଚନ୍ତି। କିଛି ଲୋକଙ୍କର ସ୍ୱପ୍ନ ସତ ହୁଏ। ଆଉ କିଛି ଲୋକଙ୍କ ସ୍ୱପ୍ନ ଆରବସାଗରରେ ସଲିଳ ସମାଧି ନେଇଯାଏ। ଯେତେବେଳେ ବଲିଉଡର ସ୍ଥିତି, ପରିସ୍ଥିତି, ଲୋକକଙ୍କ ବର୍ଷ ବର୍ଷର ଆଚରଣକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି, ସେତିକି ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବବୃହତ ଫିଲ୍ମ ସିଟି ତିଆରି କରିବା ପାଇଁ ଘୋଷଣା କରିଛନ୍ତି। ଭାରତୀୟ ସିନେମା ମୁଖ୍ୟତଃ ଦକ୍ଷିଣ ଭାରତୀୟ ଓ ହିନ୍ଦି ସିନେମାକୁ ନେଇ ଗତିଶୀଳ। ଆଉ ବମ୍ବେ ହେଉଛି ହିନ୍ଦୀ ସିନେମାର ଅନ୍ତୁଡ଼ିଶାଳ। ଏବେ ବଲିଉଡକୁ ନେଇ ଅନେକ ଅଭିଯୋଗ, ଅନେକ ଆପତ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏ ଅଭିଯୋଗ, ସମାଲୋଚନା ବେଶୀ ତୀବ୍ର ହୋଇଛି।

ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ସବୁଠାରୁ ବଡ଼ ଫିଲ୍ମ ସିଟି ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଫିଲ୍ମ ନିର୍ମାତା, ଅଭିନେତା, ଦର୍ଶକ ସମସ୍ତଙ୍କୁ ସନ୍ଦେଶ ଦେଇଛନ୍ତି ଯେ, ସେ ନୋଏଡା ଓ ଗ୍ରେଟର ନୋଏଡାରେ ଫିଲ୍ମସିଟି ତିଆରି କରିବାକୁ ଯାଉଛନ୍ତି। ଶୁକ୍ରବାର ଦିନ ନୂଆ ଫିଲ୍ମ ଲାଗୁଥିବା ବେଳେ ସନ୍ୟାସୀ ମୁଖ୍ୟମନ୍ତ୍ରୀଙ୍କ ଫିଲ୍ମକୁ ନେଇ ଏ ଘୋଷଣା ସମସ୍ତଙ୍କୁ ଚକିତ କରିଛି। ତୁରନ୍ତ ଜମି ଖୋଜା କାମ ସାରିବା ପାଇଁ ସେ ତାଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୋଏଡା, ଗ୍ରେଟର ନୋଏଡା, ଯମୁନା ଏକ୍ସପ୍ରେସୱେ ପାଖାପାଖି ଜମି ଖୋଜିବା ସହ ତୁରନ୍ତ ଆକ୍ସନ ପ୍ଲାନ  ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ହଠାତ୍ ଯୋଗୀ ଫିଲ୍ମ ସିଟି ତିଆରି କରିବା ପାଇଁ କାହିଁକି ଯୋଜନା କଲେ। ସିନେମା ମୁମ୍ବାଇରେ ତିଆରି ହୁଏ, ହେଲେ ବ୍ୟବସାୟ ହୁଏ ଉତ୍ତର ଭାରତ ଓ ପୂର୍ବ ଭାରତରେ। ବଲିଉଡ ବା ପୂର୍ବର ବମ୍ବେ ସିନେମା କହିଲେ ମୁଖ୍ୟତଃ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିକୁ ବୁଝାଏ। ଉତ୍ତର ଭାରତ ହିନ୍ଦୀ  ଭାଷାଭାଷୀ ଆଉ ସିନେମା ବି ହିନ୍ଦୀରେ ତିଆରି ହେବ। ଯଦି ବମ୍ବେରୁ ଏ ଇଣ୍ଡଷ୍ଟ୍ରି ୟୁପିକୁ ସ୍ଥାନାନ୍ତର ହୁଏ, ତେବେ ଅର୍ଥନୀତି ତ ସମୃଦ୍ଧ ହେବ, ଯାହାର ରାଜନୈତିକ ଫାଇଦା ଯୋଗୀଙ୍କୁ ମିଳିବ।୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନ, ତା ୨ ବର୍ଷ ପରେ ସାଧାରଣ ନିର୍ବାଚନ। ଆଉ ହିନ୍ଦୀ ଭାଷାଭାଷୀଙ୍କ ଭାବପ୍ରବଣତାକୁ ଏକାଠି କରିବା ପାଇଁ ଏ ଗୋଟେ ଭଲ ପଦକ୍ଷେପ ହେବ ବୋଲି ବୋଧେ ଚିନ୍ତା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।

ବଲିଉଡବମ୍ବେବ୍ୟବସାୟ

ଦେଶରେ ବର୍ଷକୁ ୩ ହଜାରରୁ ଅଧିକ ଫିଲ୍ମ ତିଆରି ହେଉଥିବା ବେଳେ, ସର୍ବାଧିକ ବଲିଉଡ ହିଁ ପ୍ରସ୍ତୁତ କରିଥାଏ। ଦକ୍ଷିଣ ଭାରତୀୟ ସିନେମା ୩୬ ପ୍ରତିଶତ ହୋଇଥିବା ବେଳେ ହିନ୍ଦୀ ସିନେମା ୪୩ ପ୍ରତିଶତ। ଦକ୍ଷିଣ ଭାରତୀୟ ସିନେମା ସାଧାରଣତଃ ବମ୍ବେ ଉପରେ ନିର୍ଭରଶୀଳ ହୋଇ ନଥିବା ବେଳେ ହିନ୍ଦୀ ସିନେମାର କାହାଣୀ ଲେଖାଠାରୁ ଆରମ୍ଭ କରି ପ୍ରିପ୍ରଡକ୍ସନ, ପୋଷ୍ଟ ପ୍ରଡକ୍ସନ ସବୁ ବମ୍ବେରେ ହିଁ ହୁଏ। ବର୍ଷକୁ ୧୫ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ବଲିଉଡ଼ରେ ହୁଏ। ଏହା ସହ ହଲିଉଡ ଫିଲ୍ମର ଡବିଂ, ମାର୍କେଟିଂ, ପ୍ରମୋସନ ସବୁ ଏଇଠାରେ ହୁଏ। ଖାସ୍ ଏଥିପାଇଁ ମାୟାନଗରୀ ମୋହରେ ମୋହାଚ୍ଛନ୍ନ ହୋଇ ଅନେକ ପ୍ରତିଭା ଏଠାକୁ ଧାଇଁ ଆସନ୍ତି। କିଏ ସୁଯୋଗ ପାଏ, କିଏ ସୁଯୋଗ ପାଇଁ ସାଲିସ କରୁଥିବାର ଅଭିଯୋଗ ହୁଏ। ଆଉ ଏବେ ବଲିଉଡ ନିଶାଗ୍ରସ୍ତ ହୋଇଥିବା ଅଭିଯୋଗ ମଧ୍ୟ ଆସିଛି।

Comment