ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଲେ ଓଡ଼ିଆ। ନିଜର ଚତ୍ମକାର ନୃତ୍ୟ ପ୍ରଦର୍ଶନ ବଳରେ ଆମେରିକା ଗଟ୍ ଟ୍ୟାଲେଣ୍ଟ ଶୋ’ର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଆ ପୁଅ ସୁମନ୍ଥ ଓ ତାଙ୍କ ଡ୍ୟାନ୍ସ ପାର୍ଟନର ସୋନାଲି।

କ୍ୱାର୍ଟର ଫାଇନାଲ୍ ଓ ସେମି ଫାଇନାଲରେ ଦମଦାର ପ୍ରଦର୍ଶନ କରିବା ପରେ ଏହି ଲୋକପ୍ରିୟ ଯୋଡ଼ି ଏବେ ଏହି ଶୋ’ର ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ଚାମ୍ପିୟନ ହେବାକୁ ଆଉ ମାତ୍ର ଗୋଟିଏ ସଫଳତା ବାକି ରହିଛି।ସୁମନ୍ଥଙ୍କ ଜନ୍ମ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ। ହେଲେ ସେ ତାଙ୍କ ପରିବାର ସହ ଭୁବେନଶ୍ୱରରେ ରହୁଛନ୍ତି। ସୁମନ୍ଥଙ୍କ ବାପା ଏମ୍ ଜଗଦୀଶ ରାଓ ପୂର୍ବତଟ ରେଳପଥରେ କାର୍ଯ୍ୟରତ ଥିବାବେଳେ ତାଙ୍କ ମା’ ଏମ୍ ରାଧାକୁମାରୀ ଜଣେ ସଫଳ ଯୋଗ ପ୍ରଶିକ୍ଷକ। ନିଜ ମା’ଙ୍କଠୁ ପ୍ରେରଣା ପାଇଁ ସୁମନ୍ଥ ପ୍ରଥମେ ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ। ପରେ ପରେ କୋଲକାତା ଯାଇ ସେଠାରେ ବିଭବ ଏକାଡେମି ଅଫ୍ ଡ୍ୟାନ୍ସରେ ଯୋଗ ଦେଇଥିଲେ।

କୋଲାକାତାରେ ତାଙ୍କର ଡ୍ୟାନ୍ସ ପାର୍ଟନର ସାଜିଥିଲେ ସୋନାଲି ମଜୁମଦାର। ସୋନାଲିଙ୍କ ଜନ୍ମ କୋଲାକାତାରେ ହୋଇଥିବାବେଳେ ସେ ଗୋଟିଏ କୃଷକ ପରିବାରରୁ ଆସିଥିଲେ। ଏହାପରେ ସୁମନ୍ଥ ଓ ସୋନାଲିଙ୍କ ଯୋଡ଼ି ଷ୍ଟେଜ୍ ଉପରେ ଧମାଲ୍ ମଚାଇଥିଲା। ଦୁହେଁ ୨୦୧୨ ମସିହାରେ ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟରେ ଯୋଗ ଦେବା ସହ ସେଠାରୁ ଚାମ୍ପିୟନ ହୋଇ ଫେରିଥିଲେ।

ଏହାପରେ ପରେ ୨୦୧୩ ମସିହାରେ ଝଲକା ଦିଖଲା ଜା’ରେ ଯୋଗ ଦେଇ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ। ସେଠାରୁ ମଧ୍ୟ ସେ ଦର୍ଶକମାନଙ୍କ ପ୍ରଶଂସା ସାଉଣ୍ଟିଥିଲେ। ଏହାପରେ ସେମାନେ ବ୍ରିଟେନ୍ ଗଟ ଟ୍ୟାଲେଣ୍ଟରେ ମଧ୍ୟ ଯୋଗ ଦେଇଥିଲେ।

ବର୍ତ୍ତମାନ ଏହି ସଫଳ ଯୋଡ଼ି ଆମେରିକା ଗଟ୍ ଟ୍ୟାଲେଣ୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ତାଙ୍କର ପରିବାର ଲୋକେ ଆମେରିକାରେ ରହୁଥିବା ଭାରତୀୟମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

Comment