ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା

ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ସ୍ପଷ୍ଟ ବକ୍ରୀ ଛାୟାଗ୍ରହ ରାହୁ ତା୧୯-୦୯-୨୦୨୦ ଶନିବାର ରାତ୍ରି  ଘ୦୯:୩୭:୨୪ରେ ମିଥୁନରାଶିରୁ ମୃଗଶିରା ନକ୍ଷତ୍ର ବୃଷରାଶିକୁ ଚଳିବେ। ରାହୁ ଓ କେତୁଙ୍କ ଚଳନ ସର୍ବଦା ଏକ ସମୟରେ ହେଉଥିବାରୁ ଏହି ସମୟରେ ସ୍ପଷ୍ଟ ବକ୍ରୀ କେତୁଙ୍କର ମଧ୍ୟ ଚଳନ ଧନୁ ରାଶିରୁ ବିଛା ରାଶିକୁ ହେବ।

[(ଚନ୍ଦ୍ରଙ୍କ କକ୍ଷପଥ ଯେଉଁ ଦୁଇଟି ବିନ୍ଦୁରେ କ୍ରାନ୍ତିବୃତ୍ତ (ecliptic)କୁ ଛେଦ କରେ ତାହାକୁ ଯଥାକ୍ରମେ ରାହୁ (North Node ବା Ascending Node) ଓ କେତୁ (South Node ବା Descending Node) କୁହାଯାଏ।] ଉଭୟେ ଗୋଟିଏ ରାଶିରେ ହାରାହାରି ଦେଢ଼ବର୍ଷ ଅବସ୍ଥାନ କରିଥାନ୍ତି। ରାହୁ ଓ କେତୁଙ୍କର ସ୍ପଷ୍ଟ ଗତି (True motion) ଓ ମଧ୍ୟମ ଗତି (Mean motion)କୁ ନେଇ ଦୁଇ ପ୍ରକାର ଚଳନ ସମୟ ବିଭିନ୍ନ ପାଞ୍ଜିରେ ଦିଆଯାଏ।planet parade-2

ଅୟନାଂଶ ଭେଦରେ ବି ଚଳନ ସମୟରେ ପାର୍ଥକ୍ୟ ଦେଖାଯାଏ। ଜାତକ ବିଚାରରେ ମଧ୍ୟ କେତେକେ ସ୍ପଷ୍ଟ ରାହୁ ଓ କେତୁଙ୍କୁ ଗ୍ରହଣ କରୁଥିବା ବେଳେ ଆଉ କେତେକେ ମଧ୍ୟମ ରାହୁ ଓ କେତୁଙ୍କୁ ଗ୍ରହଣ କରିଥାନ୍ତି। ଆମେ ସର୍ବଭାରତୀୟ ସ୍ତରରେ ବ୍ୟବହୃତ ଲାହିଡ଼ି ଅୟନାଂଶ ଏବଂ ରାହୁ ଓ କେତୁଙ୍କ ସ୍ପଷ୍ଟ (True) ଗତିକୁ ଗ୍ରହଣ କରୁଥିବାରୁ ସେହି ଅନୁସାରେ ଏଠାରେ ଫଳାଫଳ ଉଲ୍ଲେଖ କରୁଛୁ। ତେବେ ଲାହିଡ଼ି ଅୟନାଂଶ ତଥା ମଧ୍ୟମ ଗତି ଅନୁସାରେ ଯଥାକ୍ରମେ ଉପରୋକ୍ତ ରାଶିଦ୍ୱୟକୁ ରାହୁ ଓ କେତୁଙ୍କ ଚଳନ ହେବ ତା୨୩-୦୯-୨୦୨୦ ଶନିବାର ଦିବା ୧୨:୫୫:୩୯ ସମୟରେ। ଉକ୍ତ ରାଶିଦ୍ୱୟରେ ସେମାନେ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ରହିବେ।

ଏହି ସମୟ ମଧ୍ୟରେ ରାହୁ ପୃଥ୍ୱୀରାଶି ବୃଷରେ ମୃଗଶିରା, ରୋହିଣୀ ଓ କୃତ୍ତିକା ନକ୍ଷତ୍ର ଦେଇ ଗତି କରିବେ ଏବଂ କେତୁ ଜଳରାଶି ବିଛାରେ ଜ୍ୟେଷ୍ଠା, ଅନୁରାଧା ଓ ବିଶାଖା ନକ୍ଷତ୍ର ଦେଇ ଗତି କରିବେ। ପରାଶରଙ୍କ ମତରେ ମିଥୁନ ଓ ଧନୁ ଯଥାକ୍ରମେ ରାହୁ ଓ କେତୁଙ୍କର ଉଚ୍ଚରାଶି ହୋଇଥିବା ବେଳେ କାଳିଦାସଙ୍କ ମତରେ ବୃଷ ଓ ବିଛା ହିଁ ସେମାନଙ୍କର ଉଚ୍ଚରାଶି।

ରାହୁ ମିଥୁନରେ ଓ କେତୁ ଧନୁରେ ଥିବା ସମୟରେ ଗତ ଦେଢ଼ ବର୍ଷ ଭିତରେ ଅନେକ ଘଟଣା ଘଟିଯାଇଛି। ଏକାଧିକ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟୋପରାଗ ସଂଘଟିତ ହୋଇଛି। କରୋନା ମହାମାରୀ ସମଗ୍ର ବିଶ୍ୱରେ ହାହାକାର ସୃଷ୍ଟି କରିଛି। ତାହା ଏବେ ଚରମ ସୀମାରେ ପହଞ୍ଚିଲାଣି। ପଞ୍ଚଗ୍ରହ କୂଟ ବି ହୋଇଛି। ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ପରଲୋକ ଘଟିଛି। ଅର୍ଥନୀତି ରସାତଳକୁ ଖସିଛି। ନିଯୁକ୍ତି ନାହିଁ। ଶିକ୍ଷା ବ୍ୟବସ୍ଥା ସ୍ଥାଣୁ।

କେବଳ ଗରିବ ନୁହେଁ, ଧନୀ ଲୋକ ଓ ଧନୀ ଦେଶମାନେ ବି ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଏ ପରିସ୍ଥିତିରେ ରାହୁଙ୍କର ବୃଷରାଶିକୁ ଓ କେତୁଙ୍କର ବିଛାରାଶିକୁ ଚଳନ ରାଷ୍ଟ୍ରୀୟ ବା ବ୍ୟକ୍ତିଗତ ସ୍ତରରେ କିଛି ଆଶାର ଆଲୋକ ଆଣିବ କି ବୋଲି ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ।

ବର୍ଣ୍ଣଗଣନା: ରାହୁ ବା କେତୁ କେଉଁ ରାଶିର କେଉଁ ନକ୍ଷତ୍ରକୁ ଚଳୁଛନ୍ତି ଏବଂ କର୍ତ୍ତାଙ୍କ ଜନ୍ମନକ୍ଷତ୍ର କ’ଣ ତାହା ଉପରେ ମଧ୍ୟ ସେ କେତେ ପରିମାଣରେ ଶୁଭ ବା ଅଶୁଭ ଫଳ ଦେବେ ତାହା ନିର୍ଭର କରେ। ଏହା ଜାଣିବା ପାଇଁ ଏକ ସୂତ୍ର ଅଛି। ଗ୍ରହର ଚଳନ ନକ୍ଷତ୍ର ସଂଖ୍ୟା (ବର୍ତ୍ତମାନ ରାହୁଙ୍କ ଚଳନ ନକ୍ଷତ୍ର ସଂଖ୍ୟା ୫ ଓ କେତୁଙ୍କର ୧୮), କର୍ତ୍ତାଙ୍କ ଜନ୍ମନକ୍ଷତ୍ର ସଂଖ୍ୟା ଓ ଜନ୍ମରାଶି ସଂଖ୍ୟାକୁ ମିଶାଇ ମିଶାଣଫଳକୁ ୮ ଦ୍ୱାରା ଭାଗ କରନ୍ତୁ। ରାହୁଙ୍କ ପାଇଁ ଭାଗଶେଷ ୧ ରହିଲେ ଅର୍ଥନାଶ, ୨ ରହିଲେ ସର୍ବସୁଖ, ୩ ରହିଲେ ଧନହାନି, ୪ ରହିଲେ ସମ୍ମାନଲାଭ, ୫ ରହିଲେ ଅର୍ଥଲାଭ, ୬ ରହିଲେ ବନ୍ଧୁବିୟୋଗ, ୭ ରହିଲେ ସର୍ବସୁଖ ଏବଂ ଶୂନ ରହିଲେ ରାଜପୂଜା।planet parade-1

କେତୁଙ୍କ ପାଇଁ ଭାଗଶେଷ ୧ ରହିଲେ ଅର୍ଥନାଶ, ୨ ରହିଲେ ରାଜସମ୍ମାନ, ୩ ରହିଲେ ଶରୀରପୀଡ଼ା, ୪ ରହିଲେ ସୁଖଲାଭ, ୫ ରହିଲେ ଧନକ୍ଷୟ, ୬ ରହିଲେ ବନ୍ଧୁଦର୍ଶନ, ୭ ରହିଲେ ମାନହାନି ଏବଂ ଶୂନ ରହିଲେ ସର୍ବସୁଖ। ଏହା ହେଉଛି ରାହୁ ଓ କେତୁଙ୍କର ବର୍ଣ୍ଣ ଗଣନା। ଏହାପରେ ଆଉ ଏକ ଗଣନାକୁ ଯିବା, ଯାହାକୁ କୁହାଯାଏ ଭାବଗଣନା।

ଭାବଗଣନା: ରାହୁ ଓ କେତୁଙ୍କର ଚଳନ ସମୟେ ଚନ୍ଦ୍ରସ୍ଥିତ ନକ୍ଷତ୍ର ୧୪ ସହିତ ନିଜର ଜନ୍ମ ନକ୍ଷତ୍ର ଯୋଗକରି ଯୋଗଫଳକୁ ୮ଦ୍ୱାରା ଭାଗ କରି ଭାଗଶେଷରୁ ରାହୁ ଓ କେତୁଙ୍କର ଭାବ ଓ ଭାବଫଳ ଜାଣିପାରିବେ। ଭାଗଶେଷ ୧- ଦୁଃଖ, ୨- ଧନଲାଭ, ୩- ଧନହାନି, ୪- ସୁଖଲାଭ, ୫- ବନ୍ଧୁନାଶ, ୬- ସୁଖଲାଭ, ୭- ନିଷ୍ଫଳତା, ୦- ସମ୍ପଦଲାଭ।

ଗୋଚରରେ ରାହୁ ଓ କେତୁଙ୍କ ଶୁଭାଶୁଭ: ରାହୁ କର୍କଟ, ସିଂହ, ଧନୁ ଓ ମୀନ ରାଶିର ଗୋଚରରେ ଶୁଭଫଳ ପ୍ରଦାନ କରିବେ। ଏତଦ୍‌ଭିନ୍ନ ରାଶିମାନଙ୍କର ଅଶୁଭଫଳ ପ୍ରଦାନ କରିବେ। କିନ୍ତୁ ରାହୁ ଚଳନ ସମୟେ ସିଂହ ଓ ଧନୁ ରାଶିର ଗୋଚରରେ ଶୁଭ ଏବଂ ଚନ୍ଦ୍ର ଶୁଭ ହେତୁ ଅତିଶୁଭ ଫଳ ପ୍ରଦାନ କରିବେ। କର୍କଟ ଓ ମୀନ ରାଶିର ରାହୁ ଗୋଚରରେ ଶୁଭ ଓ ଚନ୍ଦ୍ର ଅଶୁଭ ହେତୁ ମଧ୍ୟମ ଶୁଭଫଳ ମିଳିବ। ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ମକର ଓ କୁମ୍ଭ ରାଶିର ରାହୁ ଗୋଚରରେ ଅଶୁଭ ଓ ଚନ୍ଦ୍ର ଶୁଭ ହେତୁ ସମଫଳ ମିଳିବ।

ବିଛା ରାଶିର ରାହୁ ଗୋଚରରେ ଅଶୁଭ ଓ ଚନ୍ଦ୍ର ବି ଅଶୁଭ ହେତୁ ଅତି ଅଶୁଭଫଳ ପ୍ରଦାନ କରିବେ। ସେହିପରି କେତୁ ମିଥୁନ, କନ୍ୟା, ମକର ଓ କୁମ୍ଭ ରାଶିର ଗୋଚରରେ ଶୁଭଫଳ ପ୍ରଦାନ କରିବେ। ଏତଦ୍‌ଭିନ୍ନ ରାଶିମାନଙ୍କର ଅଶୁଭଫଳ ପ୍ରଦାନ କରିବେ। କେତୁ ଚଳନ ସମୟେ ମିଥୁନ, କନ୍ୟା, ମକର ଓ କୁମ୍ଭ ରାଶିର ଗୋଚରରେ ଶୁଭ ଏବଂ ଚନ୍ଦ୍ର ଶୁଭ ହେତୁ ଅତିଶୁଭ ଫଳ ପ୍ରଦାନ କରିବେ। ମେଷ, ବୃଷ, ସିଂହ, ତୁଳା ଓ ଧନୁ ରାଶିର ଗୋଚରରେ ଅଶୁଭ ମାତ୍ର ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ। କର୍କଟ, ବିଛା ଓ ମୀନ ରାଶିର ଗୋଚରରେ ଅଶୁଭ ଏବଂ ଚନ୍ଦ୍ର ଅଶୁଭ କାରଣରୁ ଅତି ଅଶୁଭଫଳ ପ୍ରଦାନ କରିବେ।

ଅଶୁଭ ଥିଲେ ପ୍ରତିକାର:

ରାହୁ ଅଶୁଭ ଥିଲେ-  ଗୋମେଦ ରତ୍ନ, ଅଶ୍ୱ, ନୀଳବସ୍ତ୍ର, କମ୍ବଳ, ଲୌହପାତ୍ରରେ ତୈଳ ଏ ମଧ୍ୟରୁ ପ୍ରାପ୍ତ ଦ୍ରବ୍ୟ ଦକ୍ଷିଣା ସହିତ ଗ୍ରହବିପ୍ରଙ୍କୁ ଦାନ କରିଲେ ଅଶୁଭତ୍ୱ ହ୍ରାସ ପାଏ। ଏତଦ୍‌ ବ୍ୟତୀତ ଚନ୍ଦନ ମୂଳ ଶୁଭ ବେଳାରେ ସଂଗ୍ରହ କରି ଗ୍ରହବିପ୍ରଙ୍କଦ୍ୱାରା ହୋମ କରାଇ ଅଷ୍ଟଧାତୁର ଡେଉଁରିଆ କରାଇ ପୁରୁଷ ଦକ୍ଷିଣ ବାହୁରେ ଓ ସ୍ତ୍ରୀ ବାମବାହୁରେ ଧାରଣ କଲେ ଅଶୁଭ ଫଳ ହ୍ରାସ ପାଇଥାଏ। ସବୁଦିନ ଚନ୍ଦନ ବ୍ୟବହାର କଲେ ରାହୁଙ୍କର ଅଶୁଭଫଳ ହ୍ରାସ ପାଏ।

ସେହିପରି କେତୁ ଅଶୁଭ ଥିଲେ- ବୈଦୁର୍ଯ୍ୟ ମଣି, କୃଷ୍ଣ ତିଳର ତୈଳ, କମ୍ବଳ ଓ କସ୍ତୂରୀ- ଏ ମଧ୍ୟରୁ ପ୍ରାପ୍ତ ଦ୍ରବ୍ୟ ଗ୍ରହବିପ୍ରଙ୍କୁ ଦକ୍ଷିଣା ସହ ଦାନ କରିବା ଆବଶ୍ୟକ। ଅଶ୍ୱଗନ୍ଧା ଚେର ଶୁଭବେଳାରେ ସଂଗ୍ରହ କରି ଗ୍ରହବିପ୍ରଙ୍କ ଦ୍ୱାରା ହୋମ କରାଇ ଅଷ୍ଟଧାତୁର ଡେଉଁରିଆରେ ଭରି ପୁରୁଷ ଡାହାଣ ହାତରେ ଏବଂ ସ୍ତ୍ରୀ ବାମ ହାତରେ ବାନ୍ଧିଲେ ଦୋଷ ଶାନ୍ତି ହୋଇଥାଏ।

କରୋନାଜନିତ ସ୍ଥିତି: ଏହା ପୂର୍ବରୁ ‘ମହାମାରୀ ଓ ସୂର୍ଯ୍ୟୋପରାଗ’ ଶୀର୍ଷକ ଏକ ନିବନ୍ଧରେ ଆମେ ଲେଖିଥିଲୁ ଯେ ସେପ୍ଟେମ୍ବର ମାସରେ ରାହୁ ଚଳନ ପରେ ମହାମାରୀ-ଜନିତ ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ। ଏହାର ଅର୍ଥ ହେଉଛି: True Motion ଅନୁଯାୟୀ ସେପ୍ଟେମ୍ବର ୧୯ରେ ଏବଂ Mean Motion ଅନୁଯାୟୀ ସେପ୍ଟେମ୍ବର ୨୩ରେ ରାହୁ ଚଳନ ହେବା ବେଳକୁ କରୋନା ମହାମାରୀ ଚରମରେ ପହଞ୍ଚିଥିବ। ଏହାପରେ ଆଉ ବଢ଼ିବ ନାହିଁ। କିଛିଦିନ ପର୍ଯ୍ୟନ୍ତ ପରିସ୍ଥିତି ଅପରିବର୍ତ୍ତିତ ରହିବ, ଅର୍ଥାତ୍ ବୃଦ୍ଧି ନାହିଁ କି ହ୍ରାସ ନାହିଁ। ତା’ପରେ ଧୀରେ ଧୀରେ କମିବାକୁ ଆରମ୍ଭ କରିବ। ଅର୍ଥାତ୍ ନୂତନ ସଂକ୍ରମଣ ସଂଖ୍ୟା ଅପେକ୍ଷା ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଇବ। କିନ୍ତୁ କରୋନା ଭୂତାଣୁ ଯେ ପୃଥିବୀରୁ ଲୋପ ପାଇଯିବେ, ତାହା ଭାବିବା ମୂର୍ଖତା। ଆମେ ଯେମିତି ବସନ୍ତ, ମିଳିମିଳା, ହଇଜା, ମ୍ୟାଲେରିଆ, ବାର୍ଡ ଫ୍ଲୁ, ସ୍ୱାଇନ୍ ଫ୍ଲୁ ପ୍ରଭୃତି ବିଭିନ୍ନ ପ୍ରକାର ରୋଗର ମୁକାବିଲା କରିଆସିଛୁ, ସେମିତି ନୋଭେଲ କରୋନା ଭାଇରସ୍ ସହ ମୁକାବିଲା କରି ହିଁ ଆମକୁ ବଞ୍ଚିବାକୁ ପଡ଼ିବ। ଔଷଧ ଓ ଟିକା ଆସିଯିବା ପରେ ପରିସ୍ଥିତି ଯେ ନିଶ୍ଚିତଭାବେ ସୁଧୁରିଯିବ, ସେଥିରେ କୌଣସି ସନ୍ଦେହ ନାହିଁ। ରାହୁ ଓ କେତୁଙ୍କ ଚଳନ-ଜନିତ ଗ୍ରହସ୍ଥିତି ଏଥିରେ ସାହାଯ୍ୟ କରିବ।

ଅର୍ଥନୀତି: ଦେଶର ଆର୍ଥିକ ପରିସ୍ଥିତି ତ ଆଗରୁ ଖରାପ ଥିଲା। ତା’ପରେ ରାହୁ ମିଥୁନ ରାଶିରେ ରହିବା ଭିତରେ ଅର୍ଥାତ୍ ଗତ ଦେଢ଼ବର୍ଷ ଭିତରେ ତାହା ରସାତଳଗାମୀ ହୋଇଯାଇଛି। ବର୍ତ୍ତମାନ ରାହୁ କାଳପୁରୁଷର ଧନସ୍ଥାନ ଶୁକ୍ରଙ୍କ ଘର ବୃଷ ରାଶିକୁ ଆସିଛନ୍ତି। ଏହା ସ୍ବାଧୀନ ଭାରତର ଜନ୍ମରାଶି କର୍କଟରୁ ଏକାଦଶ ସ୍ଥାନ। ତେଣୁ ଭାରତର ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ। ନିଯୁକ୍ତି ବୃଦ୍ଧି ପାଇବ। ବିଦେଶୀ ପୁଞ୍ଜିନିବେଶ ବଢ଼ିବ।

ଏହି ଫଳ ଆସନ୍ତା ନଭେମ୍ବର ୨୦ରେ ବୃହସ୍ପତିଙ୍କ ମକର ରାଶିକୁ ଚଳନ ପରେ କିଛି କିଛି କ୍ଷେତ୍ରରେ ଆଂଶିକ ଦୃଶ୍ୟମାନ ହେବାକୁ ଆରମ୍ଭ କରିବ। ମକରରେ ବୃହସ୍ପତି ନୀଚସ୍ଥ, କିନ୍ତୁ ବୃଷରାଶିସ୍ଥ ରାହୁଙ୍କ ପ୍ରତି ରାଙ୍କର ପଞ୍ଚମ ଦୃଷ୍ଟି ଏଥିରେ ସହାୟକ ହେବ। କିନ୍ତୁ ଏହା ଅତି ସାମାନ୍ୟ ହୋଇଥିବାରୁ ଏହାକୁ ଅନେକେ ଗଣନାକୁ ନେଇ ନ ପାରନ୍ତି। ଗୋଟାଏ ମହାବାତ୍ୟା ପରେ ଧରାଶାୟୀ ହୋଇପଡ଼ିଥିବା ଗଛ ପୁଣି ମୁଣ୍ଡ ଟେକିବାକୁ ତ ସମୟ ଲାଗିବ ନା!

ପଡ଼ୋଶୀ ସମ୍ପର୍କ: ଆମର ପଡ଼ୋଶୀ ସମ୍ପର୍କରେ ବିଶେଷ ସୁଧାର ଆସିବାର ସମ୍ଭାବନା ନାହିଁ। ବରଂ ସୀମାନ୍ତରେ ଉତ୍ତେଜନା ସରକାରଙ୍କୁ ଯୁଦ୍ଧ ପ୍ରସ୍ତୁତି ପାଇଁ ବାଧ୍ୟ କରିବ। ଆମେରିକା, ଜାପାନ, ରୁଷିଆ, ଜର୍ମାନୀ ପ୍ରଭୃତି ଅନ୍ୟ ଦେଶଗୁଡ଼ିକ ସହିତ ଭାରତର କୂଟନୈତିକ ସମ୍ପର୍କ ଭଲ ରହିବ। ପଡ଼ୋଶୀ ଦେଶଗୁଡ଼ିକ କିଛି ବଦମାସୀ କଲେ ଭାରତ ତା’ର ମୁହଁତୋଡ଼ ଜବାବ ଦେବାପାଇଁ ସକ୍ଷମ। ତେବେ ଏକାଦଶ ରାହୁ ସାହସ, ବିଜୟ, ଲାଭ ଓ ସଫଳତାର ସୂଚକ ହୋଇଥିବା ବେଳେ ପଞ୍ଚମ କେତୁ ଭୟ, ଆଶଙ୍କା ଓ ଉଦ୍‌ବେଗ ସୃଷ୍ଟି କରିବେ।

Comment