ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସଂସଦ ମୌସୁମୀ ଅଧିବେଶନର ଆଜି ସପ୍ତମ ଦିନ
  • ରାଜ୍ୟସଭାରେ ନୂଆ କୃଷି ବିଲ୍‌ ଆଗତ
  • ନୂଆ କୃଷି ବିଲ୍‌ କୃଷକଙ୍କ ଜୀବନରେ ଆଣିବ ପରିବର୍ତ୍ତନ – କେନ୍ଦ୍ର କୃଷିମନ୍ତ୍ରୀ

ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଗତ ହେଲା ନୂଆ କୃଷି ବିଲ୍‌ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୃହରେ ଏହି ବିଲ୍‌ ଆଗତ କରିଛନ୍ତି।

ବିଲ୍‌ ଆଗତ କରି କୃଷିମନ୍ତ୍ରୀ କହିଛନ୍ତି,‘‘ ଏମ୍‌ଏସପି ରହିଛି, ଆଗକୁ ମଧ୍ୟ ରହିବ। ଏହି ନୂଆ କୃଷି ବିଲ୍‌ରେ  କୃଷକ ଯେକୌଣସି ସ୍ଥାନରେ ସାମଗ୍ରୀ  ବିକ୍ରି କରିପାରିବେ। ଫସଲର ଉଚିତ ଦାମ୍‌ ମିଳିବ। କୃଷକଙ୍କ ଆୟ ମଧ୍ୟ ବଢ଼ିବ ଫଳର ଏହି ବିଲ୍ କୃଷକଙ୍କ ଜୀବନରେ ପରିବର୍ତ୍ତନ ଆଣିବ।’’

କୃଷକଙ୍କୁ ଲାଭବାନ କରିବା ପାଇଁ ସରକାର ୩ଟି ନୂଆ ବିଲ୍‌ ଆଣିଛନ୍ତି। ଏହି ବିଲ୍‌ଗୁଡ଼ିକ ହେଲା କୃଷି ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ, ପ୍ରୋତ୍ସାହନ ଓ ସୁବିଧା ବିଲ୍ ୨୦୨୦, କୃଷକ ସଶକ୍ତୀକରଣ ଓ ସଂରକ୍ଷଣ, ଦର ଆଶ୍ୱସ୍ତି ଓ କୃଷି ସେବା ବୁଝାମଣା ବିଲ୍ ୨୦୨୦।

ଏହି ବିଲକୁ କିନ୍ତୁ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଲି ଦଳ ବିରୋଧ କରୁଛି। ଏମିତିକି ଦେଶବ୍ୟାପୀ ଚାଷୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି।

ଏହି ବିଲ୍‌ରେ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ କୌଣସି ପ୍ରଭାବୀ ବ୍ୟବସ୍ଥା ନାହିଁ। ଏଥିରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ଘରୋଇ କ୍ରୟକାରୀ କମ୍ପାନି ଓ ଦଲାଲଙ୍କୁ ସୁଯୋଗ ମିଳିବା ଆଶଙ୍କା କରି ଏହି ବିଲକୁ ବିରୋଧ କରାଯାଉଛି।

ରାଜ୍ୟସଭାରେ ଅନ୍ୟ ଦଳ ଉପରେ ନିର୍ଭରଶୀଳ ମୋଦୀ ସରକାର

ଏହି ବିଲକୁ ବିରୋଧ କରି ଶିରୋମାନି ଅକାଳୀ ଦଳର ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଲୋକସଭାରେ ସରକାରଙ୍କ ବିପୁଳ ସଂଖ୍ୟାଗରିଷ୍ଠତା ଥିବାରୁ ବିଲ୍ ସହଜରେ ପାରିତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ମୋଦୀ ସରକାରଙ୍କ ସଂଖ୍ୟାଗରିଷ୍ଠତା ନାହିଁ। ବିଲ୍ ପାସ୍ କରିବା ପାଇଁ ତାଙ୍କୁ ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡିଛି।

Comment