ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାକୁ ଅରେଞ୍ଜ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ତେବେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଆଜି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୭ଟି ଜିଲ୍ଲାକୁ ଅରେଞ୍ଜ୍ ଓ୍ଵାର୍ଣ୍ଣିଂ  ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି – ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି ଓ କୋରାପୁଟ।ଆସନ୍ତା କାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କାଲି ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ନୂଆପଡ଼ା, ବଲଙ୍ଗିର ଓ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଆସନ୍ତା କାଲି ପାଇଁ ଏହି ୧୦ଟି ଜିଲ୍ଲାକୁ ଅରେଞ୍ଜ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Comment