ଓଡ଼ିଶାଲାଇଭ୍ ବ୍ୟୁରୋ

  • ଶିଶୁଙ୍କଠାରେ ସଂକ୍ରମଣ ସମ୍ଭାବନା କମ୍
  • ସ୍ତନ୍ୟପାନ ଶିଶୁଙ୍କ ପକ୍ଷେ କରୋନାର ମୂଳ ଟିକା
  • ସଂକ୍ରମିତ ଶିଶୁଙ୍କ ସେବାକାରୀଙ୍କୁ ମାସ୍କ ବାଧ୍ୟତାମୂଳକ
  • ହସଖୁସି ପରିବେଶରେ ଶୀଘ୍ର ଭଲ ହେବ ଶିଶୁ

ଶିଶୁକୁ କରୋନା ସଂକ୍ରମଣରୁ କିପରି ରକ୍ଷା କରାଯାଇ ପାରିବ କିମ୍ଵା ସଂକ୍ରମିତ ଶିଶୁର କିପରି ସେବା କରାଯାଇ ପାରିବ, ଏହି ସବୁ ପ୍ରଶ୍ନକୁ ନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଏକ ପ୍ରେସମିଟ୍ ଯୋଗେ ଆଲୋଚନା କରାଯାଇଛି। ସ୍ତନ୍ୟପାନ ଦ୍ଵାରା ଶିଶୁକୁ କରୋନାରୁ ରକ୍ଷା କରାଯାଇ ପାରିବ, ସଂକ୍ରମିତ ଶିଶୁକୁ ଭଲ ମିଜାଜ୍‌ରେ ରଖି ସେବା କରିପାରିଲେ ଶିଶୁଟି ଅତିଶୀଘ୍ର ଭଲ ହୋଇ ପରିବ ବୋଲି ବିଶିଷ୍ଟ ଶିଶୁ ବିଶେଷଜ୍ଞ ଅରବିନ୍ଦ ମହାନ୍ତି କହିଛନ୍ତି।

ଶିଶୁମାନଙ୍କଠାରେ ଇମ୍ୟୁନିଟି କ୍ଷମତା ଅନ୍ୟମାନଙ୍କ ଅପେକ୍ଷା ଅଧିକ ରହିଥାଏ। ଏଣୁ ସେମାନଙ୍କୁ କରୋନା ହେବାର ସମ୍ଭାବନା କମ୍। ଯଦି ଶିଶୁଟିଏ କରୋନା ଦ୍ଵାରା ଆକ୍ରନ୍ତ ହୋଇଥାଏ, ତେବେ ତାକୁ ଭଲ ହସଖୁସି ପରିବେଶର ଆବଶ୍ୟକତା ରହିଛି। ହସ ଖୁସି ସିଜାଜ୍‌ରେ ତାର ସେବା କରାଗଲେ ଶିଶୁଟି ଖୁବଶୀଘ୍ର ସୁସ୍ଥ ହୋଇପାରେ। ସଂକ୍ରମିତ ଶିଶୁର ସେବା କରିବା ସମୟରେ ଶିଶୁର ମା କିମ୍ଵା ସେବାକାରୀଙ୍କୁ କେତେକ ଗୁରୁତ୍ଵପୂର୍ଣ୍ଣ ସଚେତନତା ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ ରହିଛି। ମାସ୍କ ପିନ୍ଧିବା କିମ୍ଵା ପିପିଇ ପିନ୍ଧିବା, ସେବା ପରେ ନିଜକୁ ଭଲଭାବେ ସାନିଟାଇଜ୍ କରିବା ଇତ୍ୟାଦି ସଚେତନତା ଗ୍ରହଣ କଲେ ସେବିକା ଜଣଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା କମ୍ ରହିଥାଏ।

ସେହିପରି କରୋନା ଆକ୍ରାନ୍ତ ଶିଶୁ ପାଇଁ ସ୍ତନ୍ୟପାନ ସବୁଠୁ ଭଲ ଔଷଧ। କରୋନା ଦ୍ଵାରା ଆକ୍ରାନ୍ତ ଶିଶୁକୁ ମା’ଠାରୁ ସ୍ତନ୍ୟପାନ କରାଇଲେ ସେ ଶୀଘ୍ର କରୋନାରୁ ମୁକ୍ତି ପାଇ ପରିବ ବୋଲି ଶିଶୁ ବିଶେଷଜ୍ଞ ଅରବିନ୍ଦ ମହାନ୍ତି କହିଛନ୍ତି।

ଶିଶୁ ଯଦି ମାସ୍କ ପିନ୍ଧିବାକୁ ଅମଙ୍ଗ ହେଉଥାଏ ତେବେ ତାକୁ ବୁଝାସୁଝା କରି ମାସ୍କ ପିନ୍ଧାଇବାକୁ ପଡ଼ିବ। ହି ମ୍ୟାନ୍, ହନୁମାନଙ୍କ ଭଳି ଦେଖାଯାଉଛୁ ବୋଲି ବିଭିନ୍ନ କୌତୁହଳ ଉଦାହରଣ ଦେଇ ଶିଶୁକୁ ମାସ୍କ ପିନ୍ଧିବା ପାଇଁ ରାଜି କରାଯାଇ ପାରିବ ବୋଲି ଶ୍ରୀ ମହାନ୍ତି ପ୍ରେସମିଟରେ କହିଛନ୍ତି।

Comment