ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭାରେ ବିଜେଡି କୃଷି ବିଲକୁ ବିରୋଧ କରିବା ପରେ ତେଜିଲା ରାଜ୍ୟ ରାଜନୀତି।

ରାଜ୍ୟସଭାରେ କୃଷି ବିଲକୁ ବିଜେଡିର ବିରୋଧକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ବିରୋଧୀ କଂଗ୍ରେସ ଓ ବିଜେପି ଏନେଇ ଶାସକ ଦଳ ଘେରିଥିବାବେଳେ ବିଜେଡି କିନ୍ତୁ ଏହି ବିଲରେ ସଂଶୋଧନ ପାଇଁ ଦାବି କରିଥିବା କହିଛି।

କେନ୍ଦ୍ର ସରକାରଙ୍କ କୃଷି ବିଲକୁ ଲୋକସଭାରେ ବିଜେଡି ସାଂସଦମାନେ ସମର୍ଥନ କରିଥିଲେ। ହେଲେ ରବିବାର ରାଜ୍ୟସଭାରେ ଏହାକୁ ବିଜେଡି ସାଂସଦମାନେ ବିରୋଧ କରିଛନ୍ତି। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ବିଜେପି-ବିଜେଡି ସଂପର୍କ ପୁଣି ଚର୍ଚ୍ଚାକୁ ଫେରିଛି।ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଉଭୟ ବିଜେପି ଓ ବିଜେଡି କଭି ଖୁସ୍ କଭି ଗମର ରାଜନୀତି ଚଲେଇଛନ୍ତି। ଲୋକସଭାରେ ବିଜେଡି ଏହି ବିଲକୁ ସମର୍ଥନ କଲା ହେଲେ ରାଜ୍ୟସଭାରେ ବିରୋଧ କଲା। ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ”

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, କୃଷି ବିଲକୁ ନେଇ କେନ୍ଦ୍ର ସରକାର ବହୁତଗୁଡିଏ ମିଠା ମିଠା କଥା କହିଛନ୍ତି ହେଲେ ଏହାଦ୍ୱାରା ଚାଷୀମାନେ କିଭଳି ଲାଭବାନ ହେବେ ସେ କଥା କହୁନାହାନ୍ତି।ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, “ ବିଜେଡି ନିଜର ଭୋଟ ବ୍ୟାଙ୍କ୍ ବଞ୍ଚେଇବାକୁ କୃଷି ବିଲକୁ ବିରୋଧ କରିଛି। ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀ ସାହାଯ୍ୟରେ ଧାନ କିଣାବିକା ଚାଲିଛି। ଦେଶରେ କୃଷି ବିଲ୍ ଲାଗୁ ହୋଇଗଲେ ସେମାନଙ୍କର ଏହି ସ୍ୱାର୍ଥ ହାନି ହେବ। ତେଣୁ ନିଜ ସ୍ୱାର୍ଥ ପାଇଁ ବିଜେଡି ଏହାକୁ ବିରୋଧ କରୁଛି। ରାଜନୀତିରେ ବିଜେପି ସବୁବେଳେ ଲଢ଼େଇ ଜାରି ରଖିଛି ଆଉ ଆଗକୁ ମଧ୍ୟ ଲଢ଼େଇ ଜାରି ରହିବ।”

ଅନ୍ୟପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, କୃଷି ବିଲ୍ ସହ କୌଣସି ବିରୋଧ ନାହିଁ। ହେଲେ ଚାଷୀମାନଙ୍କୁ ପ୍ରକୃତ ସହାୟକ ମୂଲ୍ୟ (ଏମ୍ଏସପି) ମିଳିବ କି ନାହିଁ ତାହା ସ୍ପଷ୍ଟ ହେବା ଉଚିତ୍। ତା ସହିତ ଏହି ବିଲ୍ ଦ୍ୱାରା ଚାଷୀମାନଙ୍କର ସ୍ୱାର୍ଥ କେତେ ସଂରକ୍ଷିତ ହେବ ସେନେଇ ମଧ୍ୟ ସ୍ପଷ୍ଟତା ରହିବା ଉଚିତ୍। ତେଣୁ ଦଳ ଏହି ବିଲର ଅଧିକ ଆଲୋଚନା ପାଇଁ ଦାବି କରିବା ସହ ଏହାକୁ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ କହିଥିଲା ବୋଲି ସେ କହିଛନ୍ତି।

ଆମେ ପ୍ରସଙ୍ଗ ଭିତ୍ତିରେ ସମର୍ଥନ ଦେଇଛୁ ଓ ବିରୋଧ କରିଛୁ। ଏହାକୁ ନେଇ ସମାଲୋଚନା ନହେବା ଉଚିତ୍ ବୋଲି ବିଜେଡି ନେତା ଅମର ଶତପଥୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

Comment