ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ସଂଯୋଜକ, ବରିଷ୍ଠ ଶିକ୍ଷାବିତ୍, ଲେଖକ ତଥା ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ଅଭୟ ପାଢ଼ୀଙ୍କର କରୋନାରେ ଦେହାନ୍ତ ହୋଇଛି। ଆଜି ସକାଳେ ବରଗଡ଼ର ବିକାଶ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।

ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଅଭୟ ପାଢ଼ୀ ହେଉଛନ୍ତି ଜଣେ ପ୍ରମୁଖ ବ୍ୟକ୍ତିତ୍ଵ। ସେ ଭାରତୀୟ ସୂଚନା ସେବାର ଅଧିକାରୀ ଥିଲେ। ସେ ବହୁ ଦିନ ଧରି ଆକାଶବାଣୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଆକାଶବାଣୀ କଟକ, ଆକାଶବାଣୀ ବାରିପଦା ଓ ଆକାଶବାଣୀ କଲିକତାର ଷ୍ଟେସନ ଡାଇରେକ୍ଟର ଥିଲେ।

ଅଲ୍‌ ଇଣ୍ଡିଆ ରେଡିଓ, ସମ୍ବଲପୁରରେ ତାଙ୍କ ଚମତ୍କାର କଣ୍ଠସ୍ଵରର ଅନେକ ମୁଗ୍ଧ ଶ୍ରୋତା ଥିଲେ। ବିଶେଷ କରି ତାଙ୍କର ଟକ୍ ସୋ ‘ଟିକେ ଶୁନୁନ୍ ତ’ ବେଶ୍ ଲୋକପ୍ରିୟ ହୋଇଥିଲା।ଅଭୟ ପାଢ଼ୀ ଉତ୍ତରଭାରତଠାରୁ ଆରମ୍ଭ କରି ଦକ୍ଷିଣଭାରତ ପର୍ଯ୍ୟନ୍ତ ସବୁଆଡ଼େ କାମ କରିଥିଲେ। ଏହାପରେ ସେ ପ୍ରସାର ଭାରତୀର ଅତିରିକ୍ତ ମହାନିର୍ଦ୍ଦେଶକ ହୋଇଥିଲେ ଏବଂ ଏହିଠାରୁ ହିଁ ଅବସର ଗ୍ରହଣ କରିଥିଲେ।

ଅବସର ପରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଥିଲେ। ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରେ ସେ ଗତ ୨୮ ବର୍ଷ ହେଲା ଅତିଥି ଅଧ୍ୟାପକ ଭାବେ ଶିକ୍ଷାଦାନ କରିଆସୁଥିଲେ। ଏଥିସହ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ରଡକାଷ୍ଟିଙ୍ଗ୍ ଆଣ୍ଡ ମଲ୍ଟିମିଡିଆ(ଏନ୍‌ଆଇବିଏମ୍)ରେ ମଧ୍ୟ ଅତିଥି ଅଧ୍ୟାପକ ଥିଲେ।ଅଭୟ ପାଢ଼ୀ ଅନେକ କବିତା ପୁସ୍ତକ ଓ ଗପ ବହି ଲେଖିଛନ୍ତି। ଏଥିସହ ସେ ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖୁଥିଲେ ଏବଂ ସାହିତ୍ୟ କ୍ଷେତ୍ରରେ ସକ୍ରିୟ ଥିଲେ।

Comment