ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷି ବିଲକୁ ବିରୋଧ କରି ରାଜ୍ୟସଭାରୁ ବହିଷ୍କୃତ ହୋଇଥିବା ସମସ୍ତ ସାଂସଦମାନେ ଆଜି ନିଜର ଧାରଣା ଶେଷ କରିଛନ୍ତି। ଅନ୍ୟପଟେ ସାଂସଦମାନଙ୍କ ଉପରେ ଥିବା ନିଲମ୍ବନ ନ ଉଠିବା ପର୍ଯ୍ୟନ୍ତ କଂଗ୍ରେସର କୌଣସି ସଦସ୍ୟ ରାଜ୍ୟସଭାରେ ଯୋଗ ଦେବେ ନାହିଁ ବୋଲି କୁହାଯାଇଛି।

କଂଗ୍ରେସ ସହିତ ସମାଜବାଦୀ ପାର୍ଟି, ଏନସିପି, ଡିଏମକେ, ତୃଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ଆରଜେଡି, ଟିଆରଏସ୍ ଓ ବିଏସପି ମଧ୍ୟ ରାଜ୍ୟସଭା ଅଧିବେଶନକୁ ବର୍ଜନ କରିଛନ୍ତି।

ନିଲମ୍ବିତ ହୋଇଥିବା ସାଂସଦମାନେ ଗତ ୨୦ ତାରିଖରେ କୃଷି ବିଲକୁ ବିରୋଧ କରିବା ସହିତ ରାଜ୍ୟସଭାରେ ହଙ୍ଗାମା କରିଥିଲେ। ଏହାପରେ ସୋମବାର ଗୃହର ସଭାପତି ଭେଙ୍କେୟା ନାଇଡୁ ଏହି ୮ ଜଣ ସଦସ୍ୟଙ୍କୁ ଗୃହରୁ ନିଲମ୍ବନ କରିଥିଲେ। ଏହାପରେ ସାଂସଦମାନେ ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୃର୍ତ୍ତି ତଳେ ଧାରଣାରେ ବସିଥିଲେ। ଏପରିକି ସେମାନେ ଗତକାଲି ରାତିରେ ମଧ୍ୟ ସେମାନେ ସେଠାରେ ବସି ରହିଥିଲେ।

ଏହାପରେ ମଙ୍ଗଳବାର ମଧ୍ୟ ଏହି ଘଟଣା ରାଜ୍ୟସଭାରେ ଉଠିଛି। କଂଗ୍ରେସ ସାଂସଦ ଗୁଲାମ ନବି ଆଜାଦ କହିଛନ୍ତି ଯେ, ଯେତେ ପର୍ଯ୍ୟନ୍ତ ସାଂସଦମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନହୋଇଛି ସେତେ ପର୍ଯ୍ୟନ୍ତ ଦଳ ରାଜ୍ୟସଭା ଅଧିବେଶନ ବର୍ଜନ କରିବ। କଂଗ୍ରେସର ଏହି ନିଷ୍ପତ୍ତିକୁ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ସମର୍ଥନ କରିଛନ୍ତି।

Comment