ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆ ରଗ୍‌ବୀ ଅନଷ୍ଟପେବଲ୍‌ କ୍ୟାମ୍ପେନରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ରଗ୍‌ବୀ ଷ୍ଟାର ସୁମିତ୍ରା ନାୟକ। ଆଗକୁ ଖେଳାଯିବାକୁ ଥିବା ଇଭେଣ୍ଟ ପାଇଁ ଦଳରେ ସ୍ଥାନ ପାଇଥିବା ଦେଶର ୩ ଜଣ ଖେଳାଳିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁମିତ୍ରା। ଅନେକ ସଂଘର୍ଷର ପାହାଡ଼ ଡେଇଁ ସେ ଏହି ସଫଳତାର ପାହାଚ ଛୁଇଁଛନ୍ତି।

ବାପାଙ୍କ ଅତ୍ୟାଚାର ପାଇଁ ମା’ଙ୍କ ସହ ରାଜଧାନୀ ଚାଲିଆସିଥିଲେ ସୁମିତ୍ରା

ଯାଜପୁର ଜିଲାରେ ସୁମିତ୍ରା ନାୟକଙ୍କ ଜନ୍ମ। ବାପା, ମା’, ଦୁଇ ଭାଇଭଉଣୀଙ୍କୁ ନେଇ ତାଙ୍କ ପରିବାର। ବାପା ଦିନ ମଜୁରିଆ ଭାବେ କାମ କରନ୍ତି। ମା’ ମଧ୍ୟ ପର ଘରେ କାମ କରି ପରିବାର ଚଳାନ୍ତି। କିନ୍ତୁ ବାପାଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସୁମିତ୍ରାଙ୍କ ସହ ଅନ୍ୟ ଭାଇଭଉଣୀଙ୍କୁ ନେଇ ଭୁବନେଶ୍ୱର ଚାଲିଆସିଥିଲେ ତାଙ୍କ ମା’। ଏଠାକୁ ଆସିବା ପରେ ବଡ଼ ସାହାରା ପାଇଥିଲେ ସୁମିତ୍ରା।

କିସ୍ ବଦଳାଇଦେଲା ଜୀବନର ମୋଡ଼

ଭୁବନେଶ୍ୱର ଆସିବା ପରେ ୨୦୦୮ରେ ସେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ (କିସ୍‌)ରେ ଭର୍ତ୍ତି ହୋଇଥିଲେ। ସେଠାରେ ବିଭିନ୍ନ କ୍ରୀଡ଼ାରେ ଭାଗ ନେବାବେଳେ ରଗ୍‌ବୀ ପ୍ରତି ତାଙ୍କର ଦୁର୍ବଳତା ପ୍ରକାଶ ପାଇଥିଲା। ତାଙ୍କର ଆଗ୍ରହ ଓ ପ୍ରଦର୍ଶନ ଦେଖି କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ରଗ୍‌ବୀ ଖେଳ ଶିକ୍ଷା ପାଇଁ ସୁମିତ୍ରାଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଇଥିଲେ। ନିଜର ଅଧ୍ୟବସାୟ ଜାରି ରଖି କୋଚ୍‌ ରୁଦ୍ରକେଶ ଜେନାଙ୍କ ତତ୍ୱାବଧାନରେ ୨୦୧୨ରେ ସେ ନିଜର ପ୍ରଥମ ରାଜ୍ୟସ୍ତରୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ସୁମିତ୍ରା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଶୁଭେଚ୍ଛା

ଏସୀୟ ରଗ୍‌ବୀ ଅନଷ୍ଟପେବଲ୍‌ କ୍ୟାମ୍ପେନ ପାଇଁ ଗତ ୨୦ ତାରିଖରେ ଭାରତୀୟ ରଗ୍‌ବୀ ୩ ଜଣ ଖେଳାଳିଙ୍କ ନାମ ଘୋଷଣା କରିଥିଲା। ସେଥିରେ ପଶ୍ଚିମବଙ୍ଗର ସନ୍ଧ୍ୟା ରାୟ, ମହାରାଷ୍ଟ୍ରର ୱାହବିଜ୍‌ ଭରୁଚଙ୍କ ସହ ଓଡ଼ିଶାର ସୁମିତ୍ରା ନାୟକ ସ୍ଥାନ ପାଇଛନ୍ତି। ତାଙ୍କ ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସଫଳତା ପଥରେ ସୁମିତ୍ରାଙ୍କ ରଗ୍‌ବୀ କ୍ୟାରିୟର

ଗତବର୍ଷ ଏସୀୟ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌ରେ ତାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସଫଳତା ମିଳିଥିଲା। ୨୦୧୯ ଜୁନ୍ ୨୨ରେ ମାନିଲାଠାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ସିଙ୍ଗାପୁର ବିପକ୍ଷରେ ସୁମିତ୍ରାଙ୍କ ଫାଇନାଲ ପେନାଲ୍ଟି କିକ୍‌ ଭାରତୀୟ ରଗ୍‌ବୀ ଟିମ୍‌କୁ ବ୍ରୋଞ୍ଜ ପଦକ ଜିତାଇଥିଲା। ୨୦୧୭ରେ ଭାରତର ଯେଉଁ ୧୦ ଜଣ ଇଣ୍ଟରନ୍ୟାଶନାଲ ଚିଲ୍‌ଡ୍ରେନ୍ସ ପିସ୍‌ ପ୍ରାଇଜ୍‌ ପାଇଥିଲେ, ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସୁମିତ୍ରା। ସେ ନ୍ୟାଶନାଲ ଚାମ୍ପିୟନଶିପ୍‌, ନ୍ୟାଶନାଲ ସ୍କୁଲ ଗେମ୍ସ, ୧୩ ବର୍ଷରୁ କମ୍‌ ୱିମେନ୍ସ ରଗ୍‌ବୀ ବିଶ୍ୱକପ୍‌, ୧୮ ବର୍ଷରୁ କମ୍‌ ଏସିଆନ୍‌ ଗାର୍ଲସ ରଗ୍‌ବୀରେ ଖେଳି ସାରିଛନ୍ତି।

Comment