ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ବୟାନ ଦେଇ ଚର୍ଚ୍ଚାକୁ ଆସିଥିବା ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ମଙ୍ଗଳବାର ନିଜ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ପୋଲିସ ପଦରୁ ସ୍ୱେଚ୍ଛାକୃତ ଅବସର ନେବାପରେ ସେ ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳୁଛି।

ଆଗାମୀ କିଛି ଦିନ ଭିତରେ ବିହାରରେ ନିର୍ବାଚନ ହେବାକୁ ଅଛି। ଏହି ନିର୍ବାଚନରେ ଗୁପ୍ତେଶ୍ୱର ଏନଡିଏ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି। ସେ ବାଲ୍ମିକୀ ନଗର ଲୋକସଭା ସିଟ୍ କିମ୍ବା ବକ୍ସର ବିଧାନସଭା ସିଟରୁ ଜନତା ଦଳ (ୟୁ)ର ପ୍ରାର୍ଥୀ ହୋଇପାରନ୍ତି।

ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ନିର୍ବାଚନ ଲଢୁଛି। ତେଣୁ ବିଜେପି ଗୁପ୍ତେଶ୍ୱରଙ୍କୁ ପ୍ରାର୍ଥୀ କରି ନିର୍ବାଚନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି। ତାଙ୍କ ପକ୍ଷରେ ଲୋକଙ୍କ ସମର୍ଥନ ଥିବା ମଧ୍ୟ ଦେଖିବାକୁ ମିଳୁଛି। ଅନ୍ୟପଟେ ନିର୍ବାଚନ ଲଢ଼ିବାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି ଗୁପ୍ତେଶ୍ୱର ପାଣ୍ଡେ। ତେବେ ଖୁବ୍ କମ ଦିନ ଭିତରେ ସେ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସେ ସମୟରେ ବିହାରର ଡିଜିପି ଥିବା ଗୁପ୍ତେଶ୍ୱର ପାଣ୍ଡେ ତଦନ୍ତ ପକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ। ମୁମ୍ବାଇ ପୋଲିସ୍ ଜାଣିଶୁଣି ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଯାଞ୍ଚ କରୁନାହିଁ ବୋଲି ସେ ଗଣମାଧ୍ୟମରେ କହିଥିଲେ। ଯାହାକୁ ନେଇ ଅନେକ ଆଲୋଚନା ଚାଲିଥିଲା।

Comment