ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ
  • ୭୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ
  • ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀଙ୍କ ଶୋକ

କଟକ: ବିଶିଷ୍ଟ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ସାରସ୍ୱତ ସାଧକ ସେକ୍‌ ମତଲୁବ ଅଲ୍ଲୀଙ୍କ ପରଲୋକ ହୋଇଛି। ଗତ ୭ ତାରିଖରୁ ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।

ଶ୍ରୀ ଅଲ୍ଲୀଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ ଗଣେଶି ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

ଶ୍ରୀ ଅଲ୍ଲୀଙ୍କ ମୃତଶରୀର ଗାଁକୁ ଅଣାଯାଇ କୋଭିଡ୍ ଗାଇଡ୍‌ଲାଇନ୍ ଅନୁଯାୟୀ କବର ଦିଆଯାଇଛି। ଧରୋ ଶ୍ୟାମସୁନ୍ଦରପୁର ଗ୍ରାମରେ ଥିବା କବରସ୍ତାନରେ ତାଙ୍କୁ ‘ଗାର୍ଡ଼ ଅଫ୍ ଅନର୍‌’ ପ୍ରଦାନ କରାଯାଇଛି। କରୋନା କଟକଣା ଯୋଗୁଁ ବହୁ ଲୋକ ତାଙ୍କର ଶେଷ ଦର୍ଶନ କରିପାରିନାହାନ୍ତି। ଶ୍ରୀ ଅଲ୍ଲୀଙ୍କ ପତ୍ନୀ ବେଗମ୍ ଅଞ୍ଜୁମାରୀ ଅଲ୍ଲୀ, ପୁତ୍ର ଶେଖ୍ ମାସୁଦ ଅଲ୍ଲୀ, ଦୁଇ କନ୍ୟା ସାଇନ ସୁଲତାନ ଓ ଅସ୍ମିନ୍ ସୁଲତାନ ଅଛନ୍ତି।କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଧରୋ ଶ୍ୟାମସୁନ୍ଦରପୁର ଗ୍ରାମରେ ୧୯୪୨ ଡିସେମ୍ବର ୧୬ତାରିଖରେ ସେକ୍‌ ମତଲୁବ ଅଲ୍ଲୀଙ୍କ ଜନ୍ମ। ଭଗବତୀ ବିଦ୍ୟାପୀଠରୁ ୧୯୫୯ ମସିହାରେ ମାଟ୍ରିକ୍ ପାସ୍ କରିବା ପରେ ଭଦ୍ରକ ମହାବିଦ୍ୟାଳୟରେ ପ୍ରି-ୟୁନିଭର୍ସିଟି ବିଜ୍ଞାନ ଶ୍ରେଣୀରେ ତାଙ୍କର ନାମଲେଖା ହୋଇଥିଲା। ଛାତ୍ର ମତଲୁବ ଭଦ୍ରକ ମହାବିଦ୍ୟାଳୟର ନାଟ୍ୟସଂସଦର ସମ୍ପାଦକ ନିର୍ବାଚନରେ ବିଜୟୀ ହୋଇଥିଲେ।

ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ପରେ ସାଲେପୁର କଲେଜରେ ଅଧ୍ୟାପନା ଓ ଜୟପୁରଠାରେ ଆକାଶବାଣୀର ଘୋଷକ ଭାବେ କାର୍ଯ୍ୟ କରିଥିଲେ। ମତଲୁବ୍ ୧୯୬୪ ମସିହା ବେଳକୁ ଯୁବ କଂଗ୍ରେସ ସଂଗଠନରେ ସକ୍ରିୟ ହୋଇଥିଲେ। କଂଗ୍ରେସର ସଭ୍ୟ ଓ ମାହାଙ୍ଗା ବ୍ଲକ୍ ଯୁବ କଂଗ୍ରେସର ସଭାପତି ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।

ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ସେ ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ ରେ ସର୍ବାଧିକ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ସାଂସ୍କୃତିକ ବ୍ୟାପାର ବିଭାଗର ଉପମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

୧୯୭୬ ମସିହାରେ ବିନାୟକ ଆଚାର୍ଯ୍ୟଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ୱ, ଶିକ୍ଷା ଓ ଯୁବସେବା, ସାଂସ୍କୃତିକ ବ୍ୟାପାର ଓ ପର୍ଯ୍ୟଟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହେଲେ। ୧୯୮୫ରେ ବିଧାନସଭା ନିର୍ବାଚନ ଜିତିବା ପରେ ଶ୍ରୀ ଅଲ୍ଲୀଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ପଦ ମିଳିଥିଲା। ୧୯୮୬ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକମଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ଜଳସମ୍ପଦ, ବିଦ୍ୟୁତ ଓ ସଂସଦୀୟ ବ୍ୟାପାର କ୍ୟାବିନେଟ୍ ମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା।

୧୯୮୯ ମସିହାରେ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରିମଣ୍ଡଳରେ ସେ ହେଲେ ଶିକ୍ଷା ଓ ଯୁବସେବା ବିଭାଗର କ୍ୟାବିନେଟ୍ ମନ୍ତ୍ରୀ। ୧୯୯୫ ମସିହା ନିର୍ବାଚନରେ ବିଜୟୀ ହେବା ପରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣରେ ସେ ଗ୍ରାମ୍ୟ ଉନ୍ନୟନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

୧୯୯୯ ମସିହାରେ ଗିରିଧର ଗମାଙ୍ଗଙ୍କ ମନ୍ତ୍ରିମଣ୍ଡଳରେ ଖାଦ୍ୟ ଯୋଗାଣ ଓ ଗଣଶିକ୍ଷା ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ ମତଲୁବ ଅଲ୍ଲୀ।

ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିବା ବେଳେ ସେକ୍ ମତଲୁବ ଅଲ୍ଲୀ ଓଡ଼ିଶାରେ ପ୍ରଥମଥର ପାଇଁ ପର୍ଯ୍ୟଟନ ମାନଚିତ୍ର ପ୍ରଚଳନ କରିଥିଲେ। ଓଡ଼ିଶାର ପ୍ରସିଦ୍ଧ ବୌଦ୍ଧସ୍ଥଳି ଲଳିତଗିରି-ଉଦୟଗିରି-ରତ୍ନଗିରିକୁ ନେଇ ହୀରକ ତ୍ରିଭୁଜର ମାନ୍ୟତା ଦେବା ସହ ପ୍ରାଚିନ କୀର୍ତ୍ତିର ସୁରକ୍ଷା ପାଇଁ ପଦକ୍ଷେପ ନେଇଥିଲେ।

ଲଳିତଗିରିରୁ ବୁଦ୍ଧଙ୍କ ଅସ୍ଥି ଉଦ୍ଧାର, ଅନେକ ବୌଦ୍ଧ ବିହାର ଓ ବୌଦ୍ଧସ୍ତୁପର ଆବିଷ୍କାର ପରି ପଦକ୍ଷେପ ନେବା ସହ ବିଭିନ୍ନ ବରପୂତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ।

ସେହିପରି ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଦଖଲ ଥିଲା। ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଭାବେ ସେ କାର୍ଯ୍ୟ କରିଥିଲେ। ‘ମୌସୁମୀ’, ‘ପଦ୍ମାର ସଂଗୀତ’, ‘ଶେଷ ଅଭିସାର’, ‘ମୁକ୍ତିସଂଗ୍ରାମୀ ମୌଲାନା ଅବଦୁଲ୍ କଲାମ ଆଜାଦ’ ଆଦି ପୁସ୍ତକର ସେ ଥିଲେ ଲେଖକ।ଏଥିସହ ସେ ନବକଳେବର, ବୈରାଗୀ ମିଶ୍ରଙ୍କ ଆତ୍ମଜୀବନୀ ସ୍ୱଭାବ ନିୟତ ଜୀବନଯୁଦ୍ଧ, ବୈଷ୍ଣବପାଣିଙ୍କ ଆତ୍ମଜୀବନୀ ପାଣିକବିଙ୍କ ଆତ୍ମକାହାଣୀ, ପ୍ୟାରିମୋହନ ଆଚାର୍ଯ୍ୟଙ୍କ ଓଡ଼ିଶା ଇତିହାସର ସମ୍ପାଦନା କରିଥିଲେ।

ରେଭେନ୍ସା ୱେଷ୍ଟ୍ ହଷ୍ଟେଲରୁ ପ୍ରକାଶିତ ‘ଉର୍ମି’ ପତ୍ରିକାର ସମ୍ପାଦକ, ସାହିତ୍ୟ ପତ୍ରିକା ‘ଆଗାମୀ ଶତାବ୍ଦୀ’ର ସମ୍ପାଦକ ଥିଲେ ଶ୍ରୀ ଅଲ୍ଲୀ। ସାରସ୍ୱତ ସାଧନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ବର୍ଦ୍ଧନା, ଉତ୍କଳ ସାହିତ୍ୟ ସମାଜର ବିଦ୍ୟାଧର ମିଶ୍ର ଜୀବନୀ ସମ୍ମାନ ସମେତ ଅନେକ ସମ୍ମାନ ଲାଭ କରିଛନ୍ତି।

Comment