ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ଶ୍ରେଷ୍ଠ ୨୦ ଜଣ ପ୍ରଶଂସିତ ପୁରୁଷ ଓ ମହିଳାଙ୍କ ତାଲିକା ପ୍ରକାଶ କରିଛି YouGov (ୟୁଗଭ୍)। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅମିତାଭ୍ ବଚ୍ଚନ, ଶାହରୁଖ୍ ଖାନ୍, ଅକ୍ଷୟ କୁମାର, ଦୀପିକା ପାଦୁକୋନ୍, ଐଶ୍ଵର୍ଯ୍ୟା ରାୟ ବଚ୍ଚନ ପ୍ରମୁଖ ସ୍ଥାନ ପାଇଛନ୍ତି। ମୋଟ ୪୨ଟି ଦେଶର ୪,୫୦୦ ଲୋକଙ୍କ ମତାମତ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ଏହି ତାଲିକାର ପ୍ରଥମ ସ୍ଥାନରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିପରି ବିଗ୍ ବି ଅମିତାଭ୍ ୧୪ ନମ୍ବର, ବିରାଟ କୋହଲି ୧୬ ନମ୍ବର ଓ ଶାହରୁଖ ଖାନ୍ ୧୭ ନମ୍ବର ସ୍ଥାନରେ ରହିଛନ୍ତି।ଅନ୍ୟପଟେ ବିଶ୍ଵର ଶ୍ରେଷ୍ଠ ପ୍ରଶଂସିତ ମହିଳା ତାଲିକାର ଏକ ନମ୍ବର ସ୍ଥାନରେ ଅଛନ୍ତି ବାରାକ ଓବାମାଙ୍କ ପତ୍ନୀ ମିଚେଲ ଓବାମା। ଏହି ତାଲିକାରେ ଦୀପିକା ପାଦୁକୋନ ୧୩ ନମ୍ବର, ପ୍ରିୟଙ୍କା ଚୋପ୍ରା ୧୪ ନମ୍ବର, ଐଶ୍ଵର୍ଯ୍ୟା ରାୟ ବଚ୍ଚନ ୧୬ ନମ୍ବର ଓ ସୁସ୍ମିତା ସେନ୍ ୧୭ ନମ୍ବର ସ୍ଥାନରେ ଅଛନ୍ତି।

ଏଥିସହ ଭାରତର ଶ୍ରେଷ୍ଠ ୨୫ ପ୍ରଶଂସିତ ପୁରୁଷ ତାଲିକା ମଧ୍ୟ ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନମ୍ବର ସ୍ଥାନରେ ଥିବା ବେଳେ ତାଙ୍କ ପଛକୁ ଅଛନ୍ତି ରତନ ଟାଟା। ସେହିପରି କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ୩ ନମ୍ବର ସ୍ଥାନରେ ଅଛନ୍ତି। ତେବେ ବିରାଟ କୋହଲି ବିଶ୍ଵର ସବୁଠୁ ଅଧିକ ପ୍ରଶଂସିତ କ୍ରିକେଟର ଭାବେ ସ୍ଥାନ ପାଇଥିବା ବେଳେ ଭାରତରେ ସବୁଠୁ ବେଶୀ ପ୍ରଶଂସିତ କ୍ରିକେଟର ହୋଇଛନ୍ତି ଧୋନୀ।ସେହିପରି ଏହି ତାଲିକାରେ ସଚିନ ତେନ୍ଦୁଲକର, ଅକ୍ଷୟ କୁମାର, ସଲମାନ ଖାନ୍ ପ୍ରମୁଖ ସ୍ଥାନ ପାଇଛନ୍ତି।

Comment