ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରେଳ ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ତମ ରେଳ ନେଟ୍‌ଓ୍ଵର୍କ। ଭାରତରେ ପ୍ରତିଦିନ ହଜାର ହଜାର ଲୋକ ଟ୍ରେନ୍‌ରେ ଯାତାୟତ କରିଥାନ୍ତି। କିନ୍ତୁ ଆପଣ କେବେ ରେଳ ଡବାର ଦୁଇ ପାର୍ଶ୍ଵରେ ଚିତ୍ରିତ ହୋଇଥିବା ବିଭିନ୍ନ ରଙ୍ଗର ଗାରକୁ ଲକ୍ଷ୍ୟ କରିଛନ୍ତି କି? ଭିନ୍ନ ଭିନ୍ନ ବଗିରେ ଭିନ୍ନ ଭିନ୍ନ ରଙ୍ଗର ଗାର କାହିଁକି ଅଙ୍କାଯାଏ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ..

ଭାରତୀୟ ରେଳରେ ଅନେକ ଜିନିଷ ବୁଝିବା ପାଇଁ ବିଭିନ୍ନ ପ୍ରତୀକ ବା ସିମ୍ବଲ ବ୍ୟବହାର କରାଯାଏ। ସବୁ ଲୋକ ଯେପରି ସେହି ଜିନିଷକୁ ବୁଝିପାରିବେ ସେଥିପାଇଁ ଏହି ସିମ୍ବଲଗୁଡ଼ିକୁ ବ୍ୟବହାର କରାଯାଏ। ସେହିପରି ଭାବେ ଟ୍ରେନ୍‌ର ବିଭିନ୍ନ କୋଚ୍‌କୁ ଜାଣିବା ପାଇଁ ଏକ ବିଶେଷ ଧରଣର ସିମ୍ବଲ ବ୍ୟବହାର କରାଯାଏ।

ନୀଳ ରଙ୍ଗର ଆଇସିଏଫ୍‌ କୋଚ୍‌କୁ ଦର୍ଶାଇବା ପାଇଁ ଏହାର ଶେଷ ଝରକା ପାଖରେ ଧଳା କିମ୍ବା ହଳଦିଆ ରଙ୍ଗର ଗାର ଅଙ୍କାଯାଇଥାଏ। ସେହିପରି ଧଳା ରଙ୍ଗ ଥିବା ଗାର ଜେନେଲାର୍ କୋଚ୍‌କୁ ଦର୍ଶାଇଥାଏ। ହଳଦିଆ ରଙ୍ଗର ଗାର ଭିନ୍ନକ୍ଷମ ଓ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କୋଚ୍‌କୁ ଚିହ୍ନାଇଥାଏ।ସେହିପରି ପ୍ରଥମ ଶ୍ରେଣୀ(ପ୍ରଥମ ଶ୍ରେଣୀ) କୋଚ୍ ପାଇଁ ଗ୍ରେ ରଙ୍ଗ ଉପରେ ଲାଲ୍ ରଙ୍ଗର ଗାର ଟଣାଯାଇଥାଏ।

ଭାରତୀୟ ରେଳ ମହିଳାମାନଙ୍କ ପାଇଁ ସ୍ଵତନ୍ତ କୋଚ୍‌ର ବ୍ୟବସ୍ଥା କରିଛି। ସେହି କୋଚ୍‌ଗୁଡ଼ିକୁ ଚିହ୍ନାଇବା ପାଇଁ ଗ୍ରେ ଓ ସବୁଜ ରଙ୍ଗର ଗାର ଅଙ୍କାଯାଇଥାଏ।

ଆପଣ ଦେଖିଥିବେ ଯେ ଅଧିକାଂଶ ରେଳ ବଗିଗୁଡ଼ିକ ନୀଳ ରଙ୍ଗର ହୋଇଥାଏ। ଏହି ବଗିଗୁଡ଼ିକ ଆଇସିଏଫ୍ କୋଚ୍ ବୋଲି ବୁଝିବାକୁ ହୁଏ। ଏହି ଟ୍ରେନ୍‌ଗୁଡ଼ିକ ଘଣ୍ଟାପ୍ରତି ୭୦ରୁ ୧୪୦ କିଲୋମିଟର ବେଗରେ ଯାଇପାରେ। ଏଭଳି ବଗି ମେଲ୍ ଏକ୍ସପ୍ରେସ୍ କିମ୍ବା ସୁପରଫାଷ୍ଟ ଟ୍ରେନ୍‌ଗୁଡ଼ିକରେ ଲଗାଯାଇଥାଏ।ସେହିପରି ଆଇସିଏଫ୍ ଏସି ଟ୍ରେନ୍‌ଗୁଡ଼ିକରେ ଲାଲ୍ ରଙ୍ଗର ବଗି ବ୍ୟବହାର କରାଯାଏ। ରାଜଧାନୀ ଏକ୍ସପ୍ରେସ୍ ଏହାର ଏକ ଉଦାହରଣ।
ନୀଳ ରଙ୍ଗର ବଗିଗୁଡ଼ିକ ଗରିବ ରଥ ଟ୍ରେନ୍‌ରେ ବ୍ୟବହୃତ ହୁଏ। ସେହିପରି ବାଦାମୀ ରଙ୍ଗର ରେଳ ବଗି ମିଟର ଗେଜ୍‌ ଟ୍ରେନ୍‌ରେ ଦେଖିବାକୁ ମିଳେ।

Comment