ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହା ଆସନ୍ତା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ମୌସୁମୀ ଅଧିବେଶନ ପାଇଁ ମୋଟ ୮ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି।

ଚଳିତବର୍ଷ କରୋନା କାରଣରୁ ଉଭୟ ଶନିବାର ଓ ରବିବାର ବିଧାନସଭା ଗୃହ କାର୍ଯ୍ୟ ଚାଲିବ। କେବଳ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ କାରଣରୁ ଗୃହ କାର୍ଯ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ସଂସଦର ମୌସୁମୀ ଅଧିବେଶନ ଢାଞ୍ଚାରେ ବିଧାନସଭା ଅଧିବେଶନ ବସିବ। ଏଥିରେ ପ୍ରଶ୍ନକାଳ ରହିବନି କେବଳ ଶୂନ୍ୟକାଳ ଓ ମୁଲତବି ପ୍ରସ୍ତାବକୁ ନେଇ ଗୃହ କାର୍ଯ୍ୟ ଚାଲିବ। ବିଧାୟକମାନେ କୋଭିଡ୍ କଟକଣା ଓ ସାମାଜିକ ଦୂରତାକୁ ମାନି ଗୃହ କାର୍ଯ୍ୟରେ ଯୋଗ ଦେବେ।

ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କୋଭିଡ୍ ଟେଷ୍ଟ ଶେଷ ହୋଇଛି। ଯେଉଁ ବିଧାୟକମାନେ କୋଭିଡ୍ ପଜିଟିଭ୍ ହୋଇଛନ୍ତି ସେମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ ମନା ହୋଇଛି। କେବଳ ନେଗେଟିଭ୍ ବିଧାୟକ ଓ କର୍ମଚାରୀଙ୍କୁ ନେଇ ମୌସୁମୀ ଅଧିବେଶନ ଚାଲିବ। ଯେଉଁ ବିଧାୟକମାନେ ଚାହିଁବେ ସେମାନେ ନିଜ ଘରୁ ଭିଡିଓ କନଫରେନ୍ସି ଜରିଆରେ ଯୋଡ଼ି ହୋଇପାରିବେ ବୋଲି କୁହାଯାଇଛି।

Comment