ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ। କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ସମ୍ବନ୍ଧରେ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣିଛନ୍ତି। ମୁଲତବୀ ପ୍ରସ୍ତାବର ଉତ୍ତର ରଖିବେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ସକାଳ ୧୦ଟା ୩୦ରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଆରମ୍ଭରେ ବିଧାୟକ ରାଜ୍ୟର କିମ୍ବା ନିଜ ଅଞ୍ଚଳର ପ୍ରସଙ୍ଗ ଉଠାଇବେ। ଏହାପରେ ସାଢ଼େ ୧୧ଟାରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ। ଅନ୍ୟପଟେ ଆଜି ଓଡ଼ିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୦କୁ ନେଇ ପ୍ରସ୍ତାବ ଉପସ୍ଥାପନ କରିବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ସେହିପରି କରୋନା ସ୍ଥିତିରେ ସଂକ୍ରାମକ ରୋଗ ଓଡ଼ିଶା ସଂଶୋଧନ ବିଲ୍‌ ୨୦୨୦କୁ ଉପସ୍ଥାପନ କରିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ।

ଆଇନ ମନ୍ତ୍ରୀ ପ୍ରତାପ ଜେନା ନ୍ୟାୟାଳୟ ଫିସ୍‌ ସମ୍ପର୍କିତ ବିଲ୍‌ ପ୍ରସ୍ତାବ ଗୃହରେ ରଖିବେ। ଏଥସହିତ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜ୍ୟ ସୂଚନା କିମସନ ୨୦୧୭-୧୮ର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବେ।

ମଙ୍ଗଳବାର ଅଧିବେଶନର ପ୍ରଥମ ଦିନରେ ମଧ୍ୟ ଗୃହରେ ପ୍ରବଳ ତାତି ଦେଖିବାକୁ ମିଳିଥିଲା। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ବିରୋଧ କରିଥିଲା ଉଭୟ ବିଜେପି ଓ କଂଗ୍ରେସ। ଏହାକୁ କଳା ବିଲ୍ କହି କପି ଚିରି ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

Comment