ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲକ୍ ୫.୦ରେ କେନ୍ଦ୍ର ସରକାର କୋହଳ ହୋଇଥିଲେ ମଧ୍ୟ କଠୋର ହୋଇଛନ୍ତି ରାଜ୍ୟ ସରକାର।

କେନ୍ଦ୍ର ସରକାର ବୁଧବାର ଅନଲକ୍ ୫.୦ ଗାଇଡଲାଇନ୍ ଜାରି କରିବା ପରେ ଗୁରୁବାର ରାଜ୍ୟ ସରକାର ଏନେଇ ନିଜସ୍ୱ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି। ଏହି ଗାଇଡଲାଇନରେ ରାଜ୍ୟ ସରକାର ଅନେକଗୁଡ଼ିଏ କଟକଣାକୁ କୋହଳ ନକରି ପୂର୍ବଭଳି ଜାରି ରଖିଛନ୍ତି।

ଗତକାଲି କେନ୍ଦ୍ର ସରକାରଙ୍କ  ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଦେଶରେ ସିନେମା ହଲ୍, ଥିଏଟର, ସୁଇମିଂ ପୁଲ୍ ଆଦି ଅକ୍ଟୋବର ୧୫ରୁ ଖୋଲିବା ନେଇ ଅନୁମତି ଦିଆଯାଇଥିଲା। ହେଲେ ରାଜ୍ୟ ସରକାର ଏସବୁ ଉପରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କଟକଣା ଜାରି ରଖିଛନ୍ତି। ଅର୍ଥାତ ରାଜ୍ୟରେ ଏବେ ଅକ୍ଟୋବର ଶେଷ ପର୍ଯ୍ୟନ୍ତ କୌଣସି ସିନେମା ହଲ୍, ଥିଏଟର କିମ୍ବା ସୁଇମିଂ ପୁଲ୍ ଖୋଲିବ ନାହିଁ।ଏଥିସହିତ ରାଜ୍ୟରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ୍, କଲେଜ୍, ବିଶ୍ୱବିଦ୍ୟାଳୟ ଆଦି ବନ୍ଦ ରହିବ ବୋଲି ରାଜ୍ୟ ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି। କେବଳ ପରୀକ୍ଷା, ପ୍ରବେଶିକା ପରୀକ୍ଷା କିମ୍ବା ଖାତଦେଖା କାମ ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିପାରିବ। ତେବେ ପୂର୍ବଭଳି ଅନଲାଇନ୍ ଜରିଆରେ ପିଲାମାନେ ନିଜର ପାଠପଢ଼ା ଜାରି ରଖିବେ। ୫୦ ପ୍ରତିଶତ ଶିକ୍ଷକ ସ୍କୁଲ୍ କିମ୍ବା କଲେଜ ଆସି ସେଠାରୁ ଅନଲାଇନ୍ ଯୋଗେ ଶିକ୍ଷାଦାନ କରିପାରିବେ ବୋଲି କୁହାଯାଇଛି।

ସେହିଭଳି ମନ୍ଦିର ଖୋଲିବା ନେଇ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ମନ୍ଦିର ଓ ଧାର୍ମିକ ସ୍ଥଳ ବନ୍ଦ ରହିବ ବୋଲି ଅନଲକ୍ ୫.୦ ଗାଇଡଲାଇନରେ କୁହାଯାଇଛି।

Comment