ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ସୁପରହିଟ୍ ଯୋଡ଼ି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲାରେ ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ଡିସେମ୍ବର ୧୦ ତାରିଖରେ ବର୍ଷାଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଛି। ଏନେଇ ଅନୁଭବଙ୍କ ଓକିଲ ଅଶ୍ଵିନୀ ଦୁବେ ସୂଚନା ଦେଇଛନ୍ତି।

ଆଜି କୋର୍ଟ ଅନୁଭବଙ୍କ ସମସ୍ତ ଅଭିଯୋଗ ଶୁଣିଥିଲେ। ଏହି ପଟିସନ୍‌କୁ ନେଇ ସମସ୍ତ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରାଯାଇଥିବା ଅନୁଭବଙ୍କ ଓକିଲ ସୂଚନା ଦେଇଛନ୍ତି।

ଗତ ଜୁଲାଇ ମାସରେ ଅନୁଭବ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ। ବର୍ଷା ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅନୁଭବ ନିଜ ଆବେଦନରେ ଦର୍ଶାଇଥିଲେ।ବର୍ଷା ଜଣେ ଭଲ ବୋହୂ କିମ୍ବା ଭଲ ସ୍ତ୍ରୀ ହୋଇପାରିନଥିବା ଅନୁଭବ ନିଜ ପିଟିସନ୍‌ରେ ଉଲ୍ଲେଖ କରିଥିଲେ। ଏଥିସହ ଅନେକ ଚେଷ୍ଟା ପରେ ବି ଉଭୟଙ୍କ ମଧ୍ୟରେ ସମ୍ପର୍କ ସୁଧୁରିନଥିବା ସେ ଅଭିଯୋଗ କରିଥିଲେ। ବର୍ଷାଙ୍କ ନାଁରେ ଏହିପରି ଆହୁରି ଅନେକ ଅଭିଯୋଗ ଆଣିଥିଲେ ଅନୁଭବ। ତେଣୁ ଯଥାଶୀଘ୍ର ମାମଲାର ଶୁଣାଣି କରି ଉଭୟଙ୍କ ମଧ୍ୟରେ ଛାଡ଼ପତ୍ରକୁ ସ୍ଵୀକୃତି ଦେବା ପାଇଁ ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ।

 

ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ କରିଥିବା ଆବେଦନକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମ୍‌କୋର୍ଟରେ ଆବେଦନ କରିସାରିଛନ୍ତି। କିନ୍ତୁ ଏହାକୁ ନେଇ ଅନୁଭବଙ୍କୁ ଏଯାଏଁ କୌଣସି ନୋଟିସ୍ ଜାରି ହୋଇନାହିଁ। ତେଣୁ ମାମଲାକୁ ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର କରାଯିବ କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ଗତ ସେପ୍ଟେମ୍ବର ମାସରେ ବର୍ଷା ମଧ୍ୟ ଅନୁଭବଙ୍କ ନାଁ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି। ଏନେଇ ସେ କଟକ ଏସ୍‌ଡିଜେଏମ୍‌ କୋର୍ଟ ଓ ଫ୍ୟାମିଲି କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଭରଣପୋଷଣ ବାବଦରେ ସେ ଅନୁଭବଙ୍କଠାରୁ ୧୫ କୋଟି ଟଙ୍କା ଦାବି କରିଛନ୍ତି। ତେବେ ବର୍ଷାଙ୍କ ଆବେଦନର ଶୁଣାଣି ଆସନ୍ତା ୧୨ ତାରିଖରେ କଟକ ଏସ୍‌ଡିଜେଏମ୍‌ କୋର୍ଟ ଓ ୧୪ ତାରିଖରେ ଫ୍ୟାମିଲି କୋର୍ଟରେ ହେବ।ଏହି ମାମଲାରେ ଅନୁଭବଙ୍କ ପକ୍ଷରୁ ଅଶ୍ଵିନୀ ଦୁବେ ଓ ବର୍ଷାଙ୍କ ପକ୍ଷରୁ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।

Comment