ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୬ ମାସ ପରେ ରାଜ୍ୟର ପ୍ରମୁଖ ମନ୍ଦିରଗୁଡ଼ିକୁ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ପାଇଁ ସରକାର ଯୋଜନା କରୁଛନ୍ତି। ମନ୍ଦିର ଖୋଲିବା ନେଇ ବ୍ୟବସ୍ଥା କରିବାକୁ ପୁରୀ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ପ୍ରଶାସକଙ୍କୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।

କୋଭିଡ୍ କଟକଣା ସହିତ ମନ୍ଦିର ଖୋଲିବା ଯୋଜନା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମ୍ପୃକ୍ତ ଜିଲ୍ଲାପାଳମାନେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ମନ୍ଦିର କିପରି ଖୋଲାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ସେହି ଯୋଜନାକୁ ଆଧାର କରି ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବେ ଏବଂ ଏସ୍‌ଓପି ଜାରି କରିବେ ବୋଲି ଜଣାପଡ଼ିଛି।ଦେଶର ବିଭିନ୍ନ ରାଜ୍ୟରେ ମନ୍ଦିର ଖୋଲିସାରିଛି। କିନ୍ତୁ ଓଡ଼ିଶାରେ ମନ୍ଦିରଗୁଡ଼ିକ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ସେବାୟତ ଓ ପୂଜକ ତଥା ଅନେକ ସାଧାରଣ ଲୋକ ଏହାକୁ ବିରୋଧ କରୁଛନ୍ତି। କୋଭିଡ୍ କଟକଣା ସହିତ ମନ୍ଦିର ଖୋଲିବା ପାଇଁ ସେମାନେ ଦାବି କରି ଆସୁଛନ୍ତି।

Comment