ଓଡ଼ିଶାଲାଇଭ୍ ବ୍ୟୁରୋ

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ପିଟିଲା ବୋହୂ। ମାନବିକତାର ସୀମା ଡେଇଁ ବୁଢ଼ୀ ଶାଶୁକୁ ଚାପୁଡ଼ା ପରେ ମାରିଚାଲିଲା ଚାପୁଡ଼ା। ହାଇଦ୍ରାବାଦର ହୁମାୟୁନ ନଗରରୁ ଏଭଳି କିଛି ଖବର ଏବେ ଚାରିଆଡ଼େ ଚର୍ଚ୍ଚାର କାରଣ ପାଲଟିଛି।

ଜଣେ ୫୫ ବର୍ଷୀୟ ବୁଢ଼ୀ ଶାଶୁକୁ ତା ନିଜ ବୋହୂ ରାସ୍ତାରେ ଘୋଷାଡ଼ିବା ସହିତ ତାକୁ ମାରପିଟ୍ କରିଛି। ପ୍ରଥମେ ବୋହୂଜଣକ ତା ଶାଶୁକୁ ଘୋଷାଡ଼ି ଘୋଷାଡ଼ି ଘର ବାହାରକୁ ଆଣୁଛି। ଏହାପରେ ତାକୁ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲୁଛି। କିଛି ଲୋକ ଏହି ଘଟଣାକୁ ଦେଖୁଥିଲେ ମଧ୍ୟ କେହି ବି ବୋହୁକୁ ରୋକିବାକୁ ସାହାସ କରୁନାହାନ୍ତି। ହେଲେ ସେଠାରେ ଥିବା ଏକ ସିସିଟିଭ୍ ଫୁଟେଜରେ ଏସବୁ ଦୃଶ୍ୟ କଏଦ ହୋଇଛି।

ପୋଲିସ ଏ ବିଷୟରେ ଖବର ପାଇଁ ଏହାର ତଦନ୍ତ କରିଛି। ସଂପୃକ୍ତ ବୋହୂ ବିରୋଧରେ ପୋଲିସ ଆଇପିସି ଧାରା ୩୨୩ ଆଧାରରେ ଏଫ୍ଆଇଆର ରୁଜୁ କରିଛି। ଅନ୍ୟପଟେ ବୋହୂ ଜଣକ ଓଲଟି ତା’ ଶାଶୁ ବିରୋଧରେ ଅଭିଯୋଗ କରିଛନ୍ତି। ଶାଶୁ ତାଙ୍କୁ ନାନା ପ୍ରକାର ଅତ୍ୟାଚାର କରୁଥିଲେ ବୋଲି ବୋହୂ ଜଣକ ପୋଲିସକୁ କହିଛନ୍ତି।

Comment