ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ
  • ତାଳଦେଣ୍ଡା କେନାଲ ରୋଡକୁ ଉଦଘାଟନ କଲେ ମୁୁଖ୍ୟମନ୍ତ୍ରୀ
  • ବଡ଼ ମେଡିକାଲକୁ ବିନା ଟ୍ରାଫିକ୍ ସମସ୍ୟାରେ ଯାଇପାରିବେ ରୋଗୀ
  • ଏସସିବି ମେଡିକାଲ୍ ହେବ ବିଶ୍ୱସ୍ତରୀୟ ଅନୁଷ୍ଠାନ – ମୁଖ୍ୟମନ୍ତ୍ରୀ

କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ୱରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ନୂତନ ରାସ୍ତାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ରାସ୍ତା ଜୋବ୍ରାରୁ ଆରମ୍ଭ କରି ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ନିର୍ମାଣ କରାଯାଇଛି।

ରେକର୍ଡ ୭ ମାସ ସମୟ ମଧ୍ୟରେ ୧୪ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତାର ନିର୍ମାଣ ହୋଇଛି। ଏହାଦ୍ୱାରା କଟକ ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ ସମସ୍ୟାରେ ସିଧା କଟକ ବଡ ମେଡିକାଲରେ ପହଞ୍ଚିପାରିବେ ଏବଂ ତୁରନ୍ତ ଚିକିତ୍ସା ସୁବିଧା ପାଇପାରିବେ।

ଏହି ନୂଆ ରାସ୍ତାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ ହଜାର ବର୍ଷର ଏହି କଟକ ସହରର ମୁଖ୍ୟ ସମସ୍ୟା ହେଉଛି ଗହଳିପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତ; ଯାହା କି ଯାତାୟତରେ ଅସୁବିଧା ସୃଷ୍ଟି କରିଥାଏ। ତେଣୁ ଏହାକୁ ଆଧୁନିକ ରୂପ ଦେବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି।”

ଏଥିସହିତ ଜନସାଧାରଣଙ୍କ ମତାମତକୁ ଭିତ୍ତିକରି ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱର ରାସ୍ତାକୁ ଆଗାମୀ ଦିନରେ ଆହୁରି ସଂପ୍ରସାରିତ କରାଯିବ ଏବଂ ଏଥିପାଇଁ ବିସ୍ତାପିତ ହେଉଥିବା ଲୋକମାନଙ୍କୁ ମାନବିକତା ଦୃଷ୍ଟିକୋଣରୁ ଉପଯୁକ୍ତ ଭାବରେ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜ ତାର ଉଚ୍ଚକୋଟୀର ସେବା ପାଇଁ କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ପ୍ରତିଦିନ ରାଜ୍ୟ ବାହାରୁ ଏଠାକୁ ଚିକିତ୍ସା ପାଇଁ ବହୁ ଲୋକ ଆସିଥାନ୍ତି। ତେଣୁ ଏହି ମହାନ ଅନୁଷ୍ଠାନକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବରେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ଦୃଢ ସଂକଳ୍ପ ନେଇଛନ୍ତି।

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସମୟରେ କଟକବାସୀ ଯେପରି ତ୍ୟାଗ ଓ ସହଯୋଗ କରିଛନ୍ତି, ସେଥିପାଇଁ ସେମାନଙ୍କୁ  ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ଏବଂ କୋଭିଡ ସମୟରେ ମଧ୍ୟ ଦିନରାତି କାମ କରି ଏହି ରାସ୍ତା ପ୍ରକଳ୍ପକୁ ରେକର୍ଡ ସମୟରେ ଶେଷ କରିଥିବାରୁ ପୂର୍ତ୍ତ ବିଭାଗ ଓ କଟକ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା,ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ସହିତ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ଜୋବ୍ରା ରିଙ୍ଗରୋଡ ଠାରୁ ରାଣୀହାଟକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ୱର ଏହି  ତିନି ଥାକିଆ ରାସ୍ତାର ଲମ୍ବ ଦେଢ଼ କିଲୋମିଟର ଏବଂ ୧୫ ମିଟର ଚଉଡା। ଏହି ପ୍ରକଳ୍ପ ପାଇଁ ବିସ୍ତାପିତ ହୋଇଥିବା ୬୦୦ ପରିବାରକୁ ଉପଯୁକ୍ତ ଭାବରେ ଥଇଥାନ କରାଯାଇଛି। ଏଥିରେ ପାଦଚଲା ରାସ୍ତା ସହିତ ପାର୍କିଂ, ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ମଧ୍ୟ କରାଯାଇଛି।

Comment