ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ‘ସୁଜଳ’ର ଶୁଭାରମ୍ଭ ସହ ଓଡ଼ିଶାର ଆଉ ୧୫ଟି ସହର ପାଇଁ ଘୋଷଣା ହୋଇଛି ଏହି ଯୋଜନା। ଏହାଦ୍ୱାରା ୧୫ ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ଜଳ ପାଇବେ। ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରର ସବୁ ଘରକୁ ପାଇପ ପାଣି ଦେବ ’ସୁଜଳ’।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ’ସୁଜଳ’ ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ୱାରା ଓଡ଼ିଶାର ଜନସାଧାରଣ ବିକଶିତ ଦେଶର ଲୋକଙ୍କ ପରି ସିଧାସଳଖ ଟ୍ୟାପ୍‌ରୁ ବିଶୁଦ୍ଧ ପାଣି ପିଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୫-ଟି ଗଭର୍ଣ୍ଣାନ୍ସ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ।

ଭୁବନେଶ୍ୱରର ସାଲିଆସାହି ଓ ପୁରୀର ମଶାଣିଚଣ୍ଡୀରେ ଏହି କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଥିଲା । ସାଲିଆ ସାହିରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ସୁଶାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଜଳସାଥିମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ଓ ପାଣି ପାଇପ୍ ମିସ୍ତ୍ରିଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

୨୦୨୨ ମାର୍ଚ୍ଚ ସୁଦ୍ଧା ସବୁ ସହରକୁ ପାଇପ ପାଣି

ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇଦେବା ଆମର ପ୍ରାଥମିକତା । ଭୁବନେଶ୍ୱର ସହିତ  ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ସବୁ ଘରକୁ ପାଇପ ପାଣି ସୁବିଧା ଦିଆଯାଇଛି। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରେ ଶତ ପ୍ରତିଶତ ପାଇପ ପାଣି ସବୁ ଘରକୁ ସଂଯୋଗ ଦିଆଯିବା କ୍ଷେତ୍ରରେ ଭୁବନେଶ୍ୱର ଦେଶର ପ୍ରଥମ ସହର। ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳର ସବୁ ଘରକୁ ପାଇପ ପାଣି ସଂଯୋଗ ଯୋଗାଇ ଦିଆଯିବ। ଏ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

୧୫ ସହର ପାଇଁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ’ ଘୋଷଣା, ୧୩୦୦ କୋଟିର ବଜେଟ୍

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଉ ୧୫ଟି ସହର ପାଇଁ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ’ ଘୋଷଣା କରିଥିଲେ। ଏହାଦ୍ୱାରା ୧୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।  ମିଶନ ଶକ୍ତିର ମା’ ମାନେ ଜଳ ସାଥି ଭାବରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯେଭଳି ଦକ୍ଷତାର ସହ ଦାୟିତ୍ୱ ତୁଲାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ସେହିପରି ୱାଟ୍‌କୋ ପକ୍ଷରୁ ପାଣି ପାଇପ ମିସ୍ତ୍ରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ମଧ୍ୟ ସେ ଖୁସି ବ୍ୟକ୍ତ କରିଥିଲେ।

ସୁଜଳ ଆସିବା ପରେ ଦରକାର ପଡ଼ିବନି ଆକ୍ୱାଗାର୍ଡ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଦେଶର ଲୋକେ ସିଧାସଳଖ ଟ୍ୟାପ୍‌ରୁ ପାଣି ପିଅନ୍ତି । ତେଣୁ ସେମାନେ ପାଣି ଗରମ କରିବା, ଫିଲ୍ଟର କିମ୍ବା ଆକ୍ୱାଗାର୍ଡ ମେସିନ ଆବଶ୍ୟକ କରନ୍ତିନି। କାରଣ ସେମାନେ ଟ୍ୟାପ୍‌ରୁ ସିଧାସଳଖ ଭଲ ପିଇବା ପାଣି ପାଆନ୍ତି। ଭୁବନେଶ୍ୱର ଓ ପୁରୀରେ ସୁଜଳର ଲୋକାର୍ପଣ ପରେ ଏହାଦ୍ୱାରା ଏହି ଦୁଇ ସହରର ଏକ ଲକ୍ଷ ଅଶୀ ହଜାରରୁ ଅଧିକ ଲୋକ ଉନ୍ନତ ଦେଶର ଲୋକଙ୍କ ଭଳି ପାଣି ପାଇବେ। ରାଜ୍ୟର ସବୁ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀରେ ପ୍ରଦୂଷଣ ରୋକିବ ଏହି ମିଶନ

ପୁରୀ ହେଉଛି ଏକ ବଡ଼ ପର୍ଯ୍ୟଟନ କେନ୍ଦ୍ର। ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସନ୍ତି । ସେମାନେ ପାଣି ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ତେଣୁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ସୁବିଧା ଦ୍ୱାରା ପୁରୀରୁ ପ୍ଲାଷ୍ଟିକ ପ୍ରଦୂଷଣ ରୋକାଯାଇ ପାରିବ। ସୁଜଳ ଅଭିଯାନରେ ଏଭଳି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲୋକାର୍ପଣ କାର୍ଯ୍ୟକ୍ରମରେ ଭଦ୍ରକରୁ ଯୋଗଦେଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ଓ ପ୍ରେରଣା ଯୋଗୁ ଆଜି ଓଡ଼ିଶା ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିଶନ’ରେ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ୫-ଟି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ନିଷ୍ଠାର ସହ କାମ କରୁଛି ବୋଲି ସେ କହିଥିଲେ।

ଅଭିଯାନ ପାଇଁ ଅଭିନନ୍ଦନ ଦେଲେ କେନ୍ଦ୍ରମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଯୋଗଦେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ର ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଓଡ଼ିଶା ଏମିତି କିଛି ସଫଳତା ପାଇଛି, ଯାହା ଦେଶରେ ପ୍ରଥମ । ଏହା ଦ୍ୱାରା ଅନେକ କ୍ଷେତ୍ରରେ ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି । ବୈଷୟିକ ଜ୍ଞାନର ବ୍ୟବହାର, ଜଳସାଥିମାନଙ୍କ ନିୟୋଜନ, ଶକ୍ତି ସଂରକ୍ଷଣ, ଜଳବାହିତ ରୋଗର ନିୟନ୍ତ୍ରଣ, ଏହିପରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ ବୋଲି ସେ କହିଥିଲେ।

ଆଧୁନିକ ବୈଷୟିକ ଜ୍ଞାନର ସୁଫଳ ନେବେ ସାଲିଆସାହିର ଗରିବ ଲୋକେ

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ କାର୍ଯ୍ୟକ୍ରମ ରୂପାୟନ ବୈଠକରେ ଅଧ୍ୟକ୍ଷତା କରିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ କାର୍ଯ୍ୟକ୍ରମ ସାଲିଆ ସାହିରୁ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହା ଦ୍ୱାରା ସାଲିଆ ସାହିର ଗରିବ ଲୋକ ଆଧୁନିକ ବୈଷୟିକ ଜ୍ଞାନର ସୁଫଳ ପାଇପାରିବେ। ସବୁ ଘରକୁ ପାଣି ପାଇପ ସଂଯୋଗ ସହ କଳରୁ ସିଧାସଳଖ ବିଶୁଦ୍ଧ ପାଣି ବ୍ୟବହାର କରିପାରିବେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହୋଇଛି ବୋଲି କହି ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ୱାଟର ଏଡ୍ ଆମେରିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଟିମ୍ ୱେନରାଇଟ୍ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଜଳସାଥିମାନଙ୍କ ନିୟୋଜନ ଏକ ଅଭିନବ ପ୍ରୟାସ । ଏଥିରୁ ସମଗ୍ର ବିଶ୍ୱ ସମୁଦାୟକୁ ଶିଖିବାର ଅଛି। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନରେ ଭାରତ, ବିଶେଷକରି ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଛି ବୋଲି ସେ କହିଥିଲେ। ଓଡ଼ିଶାକୁ ଏହି କାର୍ଯ୍ୟକ୍ରମ ପାଇଁ ୱାଟରଏଡ୍ ସବୁପ୍ରକାର ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ୱାଗତ ଭାଷଣ ଓ ପିଏଚ୍‌ଇଓର ଇଆଇସି ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଉପସ୍ଥିତ ଥିଲେ।

Comment