ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମୋ’ ସ୍କୁଲ ଅଭିଯାନରେ ୨୩୬ଟି ବିଦ୍ୟାଳୟ ନୂତନ ଭାବେ ସାମିଲ ହୋଇଛନ୍ତି। ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟକ୍ରମ ସହ ଯୋଡ଼ିହେବ ୨୫ ହଜାର ବିଦ୍ୟାଳୟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମୋ’ ସ୍କୁଲ ଅଭିଯାନରେ ସୋମବାର ୧୫ଟି ଜିଲାର ୨୩୬ଟି ସ୍କୁଲ ଯୋଡ଼ି ହୋଇଛି। ଏଥିପାଇଁ ୩ କୋଟି ୧୪ ଲକ୍ଷ ୨୪ ହଜାର ୫୬୮ ଟଙ୍କାର ଅନୁଦାନ ମଞ୍ଜୁର କରିଛି ମୋ’ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ। ଏଥିରେ ସ୍ୱେଚ୍ଛାକୃତ ଭାବେ ୧ କୋଟି ୪ ଲକ୍ଷ ୭୪ ହଜାର ୮୫୬ ଟଙ୍କା ଆସିଥିବା ବେଳେ ରାଜ୍ୟ ସରକାର ୨ କୋଟି ୯ ଲକ୍ଷ ୪୯ ହଜାର ୭୧୨ ଟଙ୍କା ପ୍ରଦାନ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ପରିଷଦର ୧୭ତମ ବୈଠକ ଗତ ୧୨ ତାରିଖ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୩୬ଟି ସ୍କୁଲକୁ ଅନୁମୋଦନ ମିଳିଥିଲା। କରୋନା ମହାମାରୀ ସମୟରେ ବିଦ୍ୟାଳୟ ଓ ଏହାର ଛାତ୍ରଛାତ୍ରୀମାନେ ଉତ୍ସାହଜନକ ଭାବେ ଆର୍ଥିକ ଅନୁଦାନ ଦେଇଥିବାରୁ ପରିଷଦ ସେମାନଙ୍କୁ ପ୍ରଶଂସା କରିଛି।

ମାର୍ଚ୍ଚ ସୁଦ୍ଧା ୨୫ ହଜାର ସ୍କୁଲକୁ ଯୋଡ଼ିବା ଟାର୍ଗେଟ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୭ ନଭେମ୍ବର ୧୪ ଶିଶୁ ଦିବସରେ ଆରମ୍ଭ କରାଯାଇଥିଲା ମୋ’ ସ୍କୁଲ ଅଭିଯାନ। ବିକାଶ ପାଇଁ ‘ପ୍ରତିଦାନ’ ନୀତିରେ ପୂର୍ବତନ ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟ ପ୍ରତି ସମର୍ଥନ ଓ ସହଯୋଗ ଦେବାକୁ ଓଡ଼ିଶା ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଦେଶରେ ଏହା ଯେକୌଣସି ଆଲୁମନି ପ୍ରତିଦାନ କାର୍ଯ୍ୟକ୍ରମ ଭାବରେ ସର୍ବାଧିକ ସଂଗ୍ରହ କରିପାରିଛି, ଯାହାର ପରିମାଣ ୨୦୨୦ ଅକ୍ଟୋବର ସୁଦ୍ଧା ୧୩୦ କୋଟି ଟଙ୍କାରେ ପହଞ୍ଚିଲାଣି। ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୋ ସ୍କୁଲ କାର୍ଯ୍ୟକ୍ରମକୁ ବ୍ୟାପକ କରି ୨୫ ହଜାର ବିଦ୍ୟାଳୟକୁ ମାର୍ଚ୍ଚ ୩୧ ଭିତରେ ଏଥିରେ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉତ୍କର୍ଷ ବିଦ୍ୟାଳୟ, ଇନ୍‌ଫୋସିସ ଫାଉଣ୍ଡେସନ, ଟାଟା ଟ୍ରଷ୍ଟ ରାଉଣ୍ଡ ଟେବୁଲ (ଅନ୍ତର୍ଜାତୀୟ), ୟୁନିସେଫ ସହ ମିଳିତ ସହଯୋଗରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଥିଲା।

ବୈଠକରେ ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା, ଶିକ୍ଷକ ନିର୍ଦ୍ଦେଶାଳୟର ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୋ’ ସ୍କୁଲ ଯୋଜନାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ସ୍ୱତନ୍ତ୍ର ଅଧିକାରୀ, ଓସେପାର ଅର୍ଥ ପରାମର୍ଶଦାତାଙ୍କ ସହ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ’ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଭୂପେନ୍ଦ୍ର ସିଂ ପୁନିଆ ଉପସ୍ଥିତ ଥିଲେ।

Comment