ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଓଲିଉଡ୍‌ର ବହୁଚର୍ଚ୍ଚିତ ଷ୍ଟାର୍‌ ଦମ୍ପତି ଅନୁଭବ-ବର୍ଷାଙ୍କ ବିବାହ-ବିବାଦ ମାମଲାରେ ସୋମବାର କଟକ ସଦର ଏସ୍‌ଡିଜେଏମ୍‌ ଅଦାଲତ ସାଂସଦ ଅନୁଭବ ମହାନ୍ତିଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି। ଆସନ୍ତା ନଭେମ୍ବର ୧୨ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି।

ବର୍ଷା ପ୍ରିୟଦର୍ଶିନୀ ଭରଣପୋଷଣ ପ୍ରାର୍ଥନା କରି ଏହି ମାମଲା ରୁଜୁ କରିଥିଲେ। ଅଦାଲତ ଏହାକୁ ଗ୍ରହଣ କରି ଗତକାଲି ଅନୁଭବଙ୍କୁ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି।

ଉଲ୍ଲେଖନୀୟ, ବର୍ଷା ସ୍ୱାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଏକ ମାମଲା ରୁଜୁ କରିଥିଲେ। ଉଭୟଙ୍କ ବୈବାହିକ ଜୀବନ ଭଲନଥିବା ଓ ତାଙ୍କୁ ଅନୁଭବ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ବର୍ଷା ଅଭିଯୋଗ କରିଥିଲେ।ଅତ୍ୟାଚାରରେ ଅତିଷ୍ଠ ବର୍ଷା ଅନୁଭବଙ୍କ ସହ ରହିବାକୁ ସୁରକ୍ଷିତ ମନେ ନକରି ତାଙ୍କଠାରୁ ଭରଣପୋଷଣ ଓ କ୍ଷତିପୂରଣ ରାଶି ଦାବି କରିଥିଲେ। ଅନୁଭବଙ୍କ ନିକଟରୁ ଘରଭଡ଼ା ବାବଦରେ ମାସିକ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ବାବଦରେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା, ଚିକିତ୍ସା ଏବଂ ରୋଜଗାର ହରାଇଥିବାରୁ ଏ ନେଇ କ୍ଷତିପୂରଣ ବାବଦକୁ ଆଉ ୨ କୋଟି ଟଙ୍କା ସେ ଦାବି କରିଥିଲେ।

ଏହି ମାମଲା ପରେ ଏସ୍‌ଡିଜେଏମ୍ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରୋଟେକ୍‌ସନ୍ ଅଫିସର୍ ମଞ୍ଜୁଲତା ନାୟକ ବର୍ଷାଙ୍କ ବୟାନ ରେକର୍ଡ କରିଥିଲେ। ଏହି ରେକର୍ଡକୁ ସେ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଦାଖଲ କରିବା ପରେ ଗତକାଲି ମାମଲାର ଶୁଣାଣି ହୋଇଥିଲା।ଅନ୍ୟପଟେ କଟକ ପରିବାର ଅଦାଲତରେ ବର୍ଷା ଯେଉଁ ମାମଲା ରୁଜୁ କରିଥିଲେ ତାହାର ଶୁଣାଣି ଆସନ୍ତା ୧୪ ତାରିଖକୁ ଧାର୍ଯ୍ୟ ହୋଇଛି। ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏକ ଛାଡ଼ପତ୍ର ମାମଲା ରୁଜୁ କରିଥିଲା ବେଳେ ଏହାର ଶୁଣାଣି ଆସନ୍ତା ଡିସେମ୍ବର ୧୦ ତାରିଖକୁ ରହିଛି। ସେଦିନ ବର୍ଷାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି।ବର୍ଷା ମଧ୍ୟ ସୁପ୍ରିମ୍‌କୋର୍ଟରେ ଏକ ମାମଲା ରୁଜୁ କରି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ମାମଲାକୁ କଟକକୁ ସ୍ଥାନାନ୍ତର କରିବା ପାଇଁ ପ୍ରାର୍ଥନା କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ ହୋଇଛି।

Comment