ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ ମହାନିର୍ଦ୍ଦେଶକ ଅଭୟ ବୁଧବାର ପୂର୍ବାହ୍ନରେ ରାଜ୍ୟର ସମସ୍ତ ଏସ୍‌ପି, କଟକ ଓ ରାଉରକେଲାର ରେଳବାଇ ଏସ୍‌ପି, ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିଙ୍କ ସହ ଭିଡିଓ କନଫରେନ୍ସିଂରେ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଥିଲା। ଏଥିରେ କଟକ ଓ ଭୁବନେଶ୍ୱର ଡିସିପି ଓ ଟ୍ରାଫିକ ଡିସିପି ମଧ୍ୟ ସାମିଲ ଥିଲେ।

ପୋଲିସ କର୍ମଚାରୀଙ୍କ କଲ୍ୟାଣ ବିଶେଷ କରି କୋଭିଡ୍‌ରେ ଆକ୍ରାନ୍ତ ପୋଲିସ କର୍ମଚାରୀଙ୍କ ଚିକିତ୍ସା ଓ ପ୍ରତିରୋଧ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ଡିଜିପି ଅଭୟ। ସେହିପରି ଶାନ୍ତି ଶୃଙ୍ଖଳାର ସହ ଆଗାମୀ ଦୁର୍ଗାପୂଜା ଆୟୋଜନ, ସମୟ ପୂର୍ବରୁ ଅବସର, ଆଉଟ୍-ଅଫ-ଟର୍ଣ୍ଣ ପଦୋନ୍ନତି ଓ ପ୍ରୋତ୍ସାହନ ପ୍ରଦାନ ପ୍ରସଙ୍ଗ, ପୋଲିସ ଶହୀଦ ସ୍ମୃତି ଦିବସ ପାଳନ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ଦୁର୍ନୀତି, ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧ ଓ ମାନବିକ ଅଧିକାର କ୍ଷୁଣ୍ଣ ବାବଦରେ ଆସୁଥିବା ଭାଇରାଲ ଭିଡିଓ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିଲା। ଥାନାଗୁଡ଼ିକରେ ସିସିଟିଭିର କାର୍ଯ୍ୟକାରିତା, ପୋଲିସ ମେଡାଲ ପ୍ରଦାନ ପାଇଁ ନାମାଙ୍କନ, ‘ମୋ ସରକାର’ ପାଇଁ ଆସିଥିବା ପାଣ୍ଠିର ବିନିଯୋଗ, ତଦନ୍ତ ପାଇଁ ପଡ଼ିରହିଥିବା ମାମଲା, ଅମୀମାଂସିତ ଇ-ଅଭିଯୋଗର ସମାଧାନ, ଜାତୀୟ ମାନବାଧିକାର କମିଶନ ଓ ରାଜ୍ୟ ମାନବାଧିକାର କମିଶନର ଅଭିଯୋଗଗୁଡ଼ିକର ତୁରନ୍ତ ଅନୁପାଳନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା।

ସମୀକ୍ଷା ବୈଠକରେ ଏଡିଜି (ହେଡକ୍ୱାର୍ଟର୍ସ), ଏଡିଜି (ଆଇନ ଶୃଙ୍ଖଳା), ଏଡିଜି (କ୍ରାଇମବ୍ରାଞ୍ଚ), ଆଇଜି (ଆଧୁନିକୀକରଣ), ଆଇଜି (ପ୍ରୋଭିଜନିଂ), ଆଇଜି (ପର୍ସୋନେଲ) ଯୋଗ ଦେଇଥିଲେ। ଭିଡିଓ କନଫରେନ୍ସିଂରେ ଥିଲେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଓ ଡିଆଇଜି, ଆଇଜି ଅପରେଶନ, ଡିଆଇଜି ଏସ୍ଆଇଡବ୍ଳ୍ୟୁ।

Comment