ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ନଭମ୍ବର ୩ ତାରିଖରେ ଓଡ଼ିଶାର ଦୁଇଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପାଇଁ ତିନୋଟି ଯାକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଯେଉଁମାନଙ୍କୁ ଟିକେଟ ଦିଆଯାଇଛି ସେ ସମସ୍ତେ ପ୍ରାୟ ନୂଆ ଓ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ବିଜେପି ଓ ଶାସକ ବିଜେଡି ପକ୍ଷରୁ ଯେଉଁ ବିଧାୟକଙ୍କ ମୄତ୍ୟୁ ଯୋଗୁଁ ସେହି ଆସନ ଖାଲି ପଡ଼ିଥିଲା ସେମାନଙ୍କ ପୁଅ ମାନଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପି ବାଲେଶ୍ୱର ସଦର ଆସନ ପାଇଁ ସ୍ଵର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡି ତିର୍ତ୍ତୋଲ ଆସନ ପାଇଁ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି। ପ୍ରଥମ ଥର ପାଇଁ ରାଜନୀତିକୁ ଆସିଥିବାରୁ ଉଭୟ ପ୍ରାର୍ଥୀ ଅନୁକମ୍ପା ଭୋଟ ଉପରେ ନିର୍ଭର କରୁଛନ୍ତି।ବିଜୟ ଶଙ୍କର ଜଣେ ମେକାନିକାଲ ଇଂଜିନିୟର। ତେବେ ବିଜେଡିର ଛାତ୍ର ରାଜନୀତିରେ ଦୁଇ ବର୍ଷ ଧରି ସେ ସକ୍ରିୟ ଅଛନ୍ତି। “ମୋ ବାପା ନିର୍ବାଚନ ମଣ୍ଡଳୀ ପାଇଁ ବହୁତ କାମ କରିଛନ୍ତି। ମୁଁ ତାଙ୍କର ଅସମ୍ପୂର୍ଣ୍ଣ କାମକୁ ପୂରଣ କରିବା ପାଇଁ ଚେଷ୍ଟା କରିବି”, ଏହା କହିଛନ୍ତି ବିଜୟ। ତିର୍ତ୍ତୋଲ ବିଜେଡିରେ ତାଙ୍କ ପ୍ରାର୍ଥୀତ୍ଵକୁ କେନ୍ଦ୍ର କରି କୌଣସି ଅସନ୍ତୋଷ ନାହିଁ ଓ ସମସ୍ତଙ୍କୁ ସାଥିରେ ନେଇ ଚାଲିବେ ବୋଲି ସେ କହିଛନ୍ତି।ବାଲେଶ୍ୱର ଆସନରେ ପ୍ରାର୍ଥୀ ହୋଇଥିବା ମାନସ ଦତ୍ତ କହିଛନ୍ତି ଯେ, ସେ ପ୍ରାଣପଣେ ବାପାଙ୍କ ଆସନକୁ ବଜାୟ ରଖିବା ପାଇଁ ଉଦ୍ୟମ କରିବେ। ମାନସ ଦତ୍ତଙ୍କୁ ମାତ୍ର ୨୯ ବର୍ଷ ଓ ସେ ଗ୍ରାଫିକ ଡିଜାଇନରେ ଡିପ୍ଲୋମା କରିଛନ୍ତି।

ତେବେ ନିର୍ବାଚନରେ ଭୋଟରମାନେ ନୂଆ ମୁହଁକୁ ପସନ୍ଦ କରିବେ କି ନା ତାହା ଭୋଟ ପଡ଼ିବା ପରେ ଜଣାପଡ଼ିବ। ଉଭୟ ଦଳ କିନ୍ତୁ ବାପାମାନଙ୍କ ଆସନରୁ ପୁଅମାନେ ଜିତିବେ ବୋଲି ଆଶା ରଖିଛନ୍ତି।

Comment