ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପ୍ରଦେଶରେ ଏକ ମାମଲାର ସମାଧାନ କରିବାକୁ ପୋଲିସକୁ କିଛି ରାସ୍ତା ମିଳୁନଥିଲା। ତେଣୁ ପୋଲିସ ଏକ ନୂଆ ବାଟ ଆପଣେଇଲା। ମଇଁଷିକୁ ଦେଲା ସମାଧାନର ଦାୟିତ୍ଵ। ଆଉ ଶେଷରେ ମଇଁଷିଟି ଚୁଟ୍କିରେ ମାମଲାଟିକୁ ରଫାଦଫା କରିଦେଲା। ଖବରଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।
ଘଟଣାଟି ହେଉଛି ଉତ୍ତରପ୍ରଦେଶର କନୌଜ ଜିଲ୍ଲାର। କନୌଜର ତିର୍ବା ଥାନା ଅଞ୍ଚଳର ବୀରେନ୍ଦ୍ର ଦିବାକର ନାମକ ଜଣେ ବ୍ୟକ୍ତି ତାଙ୍କ ମଇଁଷି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ୨ଦିନ ଧରି ଖୋଜିବା ପରେ ରବିବାର ଦିନ ପାଖ ଗାଁରେ ଜଣେ ବ୍ୟାପାରୀ ପାଖରେ ସେ ନିଜ ମଇଁଷିକୁ ଦେଖିଲେ। ଯେତେବେଳେ ସେ ଲୋକଟିକୁ ଏନେଇ ପଚରାଥିଲେ ଅନ୍ୟ ଲୋକଟି ମଇଁଷିଟିକୁ ପାଖ ମାର୍କେଟରୁ ୧୯ ହଜାରରେ କିଣିଛି ବୋଲି କହିଲା।
ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଗଲା। ଉଭୟ ମଇଁଷି ଉପରେ ନିଜ ହକ୍ ଜାହିର କଲେ। ଶେଷରେ ମାମଲା ଥାନାରେ ପହଞ୍ଚିଲା। ବୀରେନ୍ଦ୍ର ଏବଂ ଦ୍ୱିତୀୟ ବ୍ୟକ୍ତି ଥାନାରେ ସବୁ କଥା କହିଲେ। ଦ୍ୱିତୀୟ ଲୋକଟି ଯାହାଠୁ ଏହି ମଇଁଷିକୁ କିଣିଛି ତା ନାଁ ଧର୍ମେନ୍ଦ୍ର ବୋଲି କହିବା ପରେ ତାକୁ ମଧ୍ୟ ଡକାଗଲା। ସେ ମଧ୍ୟ ଥାନାରେ ପହଞ୍ଚି ସେଇଟି ତା ମଇଁଷି ଏବଂ ସେ ଦ୍ୱିତୀୟ ଲୋକଟିକୁ ବିକ୍ରି କରିଛି ବୋଲି କହିଲା।
ଏସବୁ ଶୁଣି ପୋଲିସ ମାମଲାର ସମାଧାନ କେମିତି କରିବ କିଛି ବାଟ ପାଇଲା ନାହିଁ। ଏହା ପରେ ପୋଲିସ ଏକ ନୂଆ ରାସ୍ତା ଆପଣାଇ ମଇଁଷିକୁ ନିଜ ମାଲିକ ଚୟନ କରିବାକୁ କହିଥିଲା। ପୋଲିସ ବାବୁ କହିଲେ ମଇଁଷିକୁ ସମସ୍ତେ ଡାକିବେ, ସିଏ ଯାହା ପଛେ ପଛେ ଯିବ ତାକୁ ହିଁ ମଇଁଷିକୁ ଦିଆଯିବ। ଆଉ ଏଥିରେ ସମସ୍ତେ ରାଜି ହୋଇଗଲେ। ଏହାପରେ ବୀରେନ୍ଦ୍ର ଆଉ ଧର୍ମେନ୍ଦ୍ର ମଇଁଷିକୁ ଡାକିଥିଲେ। ଶେଷରେ ମଇଁଷିଟି ବୀରେନ୍ଦ୍ରଙ୍କ ପାଖକୁ ଯାଇଥିଲା। ଆଉ ମାମଲାର ସମାଧାନ ହୋଇଥିଲା।













