ଓଡ଼ିଶାଲାଇଭ୍ ବ୍ୟୁରୋ

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲା ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ।

ସାଂସଦ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲା ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି। ଏଥିସହ ଉଭୟ ପକ୍ଷଙ୍କ ମଧ୍ୟରେ ସହମତିଭିତ୍ତିକ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି।

ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ଆଜି ସୁପ୍ରିମକୋର୍ଟ ଉଭୟ ପକ୍ଷର ଓକିଲଙ୍କୁ ନୋଟିସ୍ ଜାରି କରିଛନ୍ତି। ବୁଝାମଣା ପରେ ପରବର୍ତ୍ତୀ ଶୁଣାଣି ହେବ। ସୁପ୍ରିମକୋର୍ଟର ବିଚାରପତି ହୃଷିକେଷ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି।ଗତ ଜୁଲାଇ ମାସରେ ଅନୁଭବ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ। ଅକ୍ଟୋବର ୭ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା। ଆସନ୍ତା ଡିସେମ୍ବର ୧୦ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି।

ଅନ୍ୟପଟେ ଗତ ୧୨ ତାରିଖରେ ବର୍ଷାଙ୍କ ଭରଣପୋଷଣ ମାମଲାର ଶୁଣାଣି କରିଛନ୍ତି କଟକ ଏସ୍‌ଡିଜେଏମ୍ କୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୧୨ ତାରିଖରେ ହେବ।

Comment