ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଡାକ୍ତରୀ ଶିକ୍ଷା ଓ ତାଲିମ୍ ଉପରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାକୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଏବଂ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଉଦ୍ଘାଟନ କରିଥିଲେ।

ଏହି କର୍ମଶାଳାରେ ଫ୍ୟାକଲ୍ଟି ଡାକ୍ତରମାନେ କିଭଳି ତାଲିମପ୍ରାପ୍ତ ହୋଇ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ମାନର ଶିକ୍ଷା ଦାନ କରିବେ,  ନିଜକୁ ଉଚ୍ଚମାନର ଡାକ୍ତର ଭାବେ ଗଢ଼ି ତୋଳିବେ ଓ ସମାଜରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିପାରିବେ ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା।

ଜାତୀୟ ମେଡିକାଲ୍ କମିସନ ଦ୍ୱାରା ଅନୁମୋଦିତ ଏହି କର୍ମଶାଳାକୁ ପରିଚାଳନା କରିଥିଲେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରୀ ଶିକ୍ଷାର ସଂଯୋଜକ ତଥା ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ପ୍ରକାଶ କୁମାର ସାହୁ । ଏହି କର୍ମଶାଳାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜର ପ୍ରଫେସର ଡାକ୍ତର ରୋମା ରତନ ସାମିଲ ହୋଇଥିଲେ।

କର୍ମଶାଳାରେ ୩୦ ଜଣ ଫ୍ୟାକଲ୍ଟି ଡାକ୍ତର ଯୋଗ ଦେଇଥିଲେ ଏବଂ ୧୨ ଜଣ ବରିଷ୍ଠ ପ୍ରଫେସର ତାଲିମ ଦେଇଥିଲେ। ଏହି କର୍ମଶାଳାରେ କୋଭିଡ ନିୟମାବଳୀ କଡାକଡି ପାଳନ କରାଯାଇଥିଲା।

Comment