ଓଡ଼ିଶାଲାଇଭ୍ ବ୍ୟୁରୋ

ଷୋହଳ ଥର ବିଶ୍ଵ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ ଚାମ୍ପିୟନ ହୋଇ ସାରିଥିବା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର୍ ଜନ୍‌ ସେନା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବୁଧବାର ରାତିରେ ଫ୍ଲୋରିଡ଼ାର ଟାମ୍ପାରେ ସେ ନିଜ ପ୍ରେମିକା ଶାୟ ଶରିୟାତଦେଙ୍କୁ ବିବାହ କରିଛନ୍ତି। ଜନ୍ ଓ ଶାୟଙ୍କ ମଧ୍ୟରେ ୨୦୧୯ ମାର୍ଚ୍ଚ ମାସରୁ ପ୍ରେମ ସମ୍ପର୍କ ଥିଲା ଏବଂ ୨୦୨୦ ଆରମ୍ଭରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା।

ଏକ ସାକ୍ଷାତକାରରୁ ଜନ୍‌ ଓ ଶାୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କାନାଡ଼ାର ଭାଙ୍କୋଭରରେ ରହୁଥିବା ବେଳେ ଶାୟ ପ୍ରଥମେ ଜନ୍‌ଙ୍କୁ ଦେଖିଥିଲେ। ସେତେବେଳେ ଶାୟ ଭାଙ୍କୋଭରର ଏକ ମୋଟୋରୋଲା ସଲ୍ୟୁସନ କମ୍ପାନି ଏବିଗ୍‌ନାନ୍‌ରେ ଉତ୍ପାଦ ପରିଚାଳିକା ଥିଲେ।ସେହି ସମୟରେ ସେ ଜନ୍‌ଙ୍କର ଏକ ସାକ୍ଷାତକାର ନେଇଥିଲେ। ଏହା ପରଠାରୁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା, ଯାହା ଏବେ ବିବାହର ରୂପ ନେଇଛି। ଏହି ବିବାହ ଉତ୍ସବରେ ହଲିଉଡ କଳାକାରଙ୍କ ସମେତ ଡବ୍ଲ୍ୟୁଡବ୍ଲ୍ୟୁଇ ଖେଳାଳିମାନେ ସାମିଲ ହୋଇଥିଲେ।

ଡବ୍ଲ୍ୟୁଡବ୍ଲ୍ୟୁଇରେ ଜନ୍‌ ସେନା ଜଣେ ମହାନ୍ ଖେଳାଳି। ବିଶ୍ଵ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ ସହିତ ସେ ଦୀର୍ଘ ଦୁଇ ଦଶନ୍ଧି ଧରି ଜଡ଼ିତ ଅଛନ୍ତି। ଡବ୍ଲ୍ୟୁଡବ୍ଲ୍ୟୁଇକୁ ବିଶ୍ଵ ସ୍ତରରେ ପହଞ୍ଚାଇବା ପଛରେ ଜନ୍‌ଙ୍କର ପ୍ରମୁଖ ଭୂମିକା ରହିଛି।ଗତ କିଛି ବର୍ଷ ହେଲା ଡବ୍ଲ୍ୟୁଡବ୍ଲ୍ୟୁଇ ଖେଳିବା ସହିତ ସେ ହଲିଉଡରେ ମଧ୍ୟ ଅଭିନୟ କରୁଛନ୍ତି। ଜନ୍ ‘ବ୍ଲକର୍ସ’ ଓ ‘ବମ୍ବଲବି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତେବେ ‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍‌’ରେ ଅଭିନୟ କରିବା ପରେ ତାଙ୍କୁ ସବୁଠୁ ବେଶୀ ଲୋକପ୍ରିୟତା ମିଳିଛି। ସେ ଆଗକୁ ‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍‌ ୯’ ଓ ‘ସୁଇସାଇଡ୍ ସ୍କ୍ଵାଡ୍’‌ରେ ନଜର ଆସିବେ।

Comment