ଓଡ଼ିଶାଲାଇଭ୍ ବ୍ୟୁରୋ

ନିଟ୍ ଟପ୍ପର ସୋଏବ ଅଫତାବ୍‌ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହେଉଥିଲେ ଜାଣନ୍ତୁ।

ଚଳିତବର୍ଷ ନିଟ୍ ପରୀକ୍ଷାରେ ୭୨୦ରୁ ୭୨୦ ମାର୍କ ରଖି ରାଉଲକେଲାର ସୋଏବ ଅଫତାବ୍ ଇତିହାସ ରଚିଛନ୍ତି। ସେ ନିଜ ପରିବାରର ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି। ସୋଏବଙ୍କ ବାପା ଶେଖ୍ ମହମ୍ମଦ ଅବ୍ବାସ ଜଣେ ବ୍ୟବସାୟୀ ଓ ମା’ ସୁଲତାନା ଜଣେ ଗୃହିଣୀ। ତେବେ ସୋଏବ ପ୍ରଥମ ପ୍ରୟାସରେ କିପରି ଶତ ପ୍ରତିଶତ ମାର୍କ ରଖି ଟପ୍ପର ହେଲେ ଏବଂ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହୋଇଥିଲେ ଜାଣନ୍ତୁ…

୨୦୦୨ ମେ ୨୩ରେ ଜନ୍ମ ହୋଇଥିଲେ ସୋଏବ। ପିଲା ଦିନରୁ ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଥିଲେ। ଡିସୁଜା ସ୍କୁଲରୁ ଦଶମ ପାସ୍ କରିବା ପରେ ସେ ୨୦୧୮ରେ ରାଜସ୍ଥାନର କୋଟା ଚାଲିଯାଇଥିଲେ। ସେଠାରେ ଏଲନ କ୍ୟାରିଅର ଇନ୍‌ଷ୍ଟିଚ୍ୟୁଟ୍‌ରେ ନାମ ଲେଖାଇ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। କୋଟାରେ ସେ ନିଜ ମା’ ଓ ଭଉଣୀଙ୍କ ସହ ରହୁଥିଲେ।

ମେଧାବୀ ସୋଏବ

୧୮ ବର୍ଷୀୟ ସୋଏବ ଚଳିତବର୍ଷ ଦ୍ଵାଦଶ ଶ୍ରେଣୀରେ ୯୫.୮ ପ୍ରତିଶତ ନମ୍ବର ହାସଲ କରିଥିଲେ। ସେହିପରି ଦଶମ ଶ୍ରେଣୀରେ ୯୬.୮ ପ୍ରତିଶତ ନମ୍ବର ରଖି ସର୍ବ ଭାରତୀୟ କେଭିପିଓ୍ଵାଇରେ ୩୭ତମ ରାଙ୍କ୍ ହାସଲ କରିଥିଲେ।

ଲକ୍‌ଡାଉନ୍‌ର ସଦୁପଯୋଗ କରିଥିଲେ

ସୋଏବ ଲକ୍‌ଡାଉନ୍‌ର ଭରପୂର ଫାଇଦା ଉଠାଇଥିଲେ। ଏନେଇ ସୋଏବ କହିଛନ୍ତି, “ଲକ୍‌ଡାଉନ୍‌ ସମୟରେ ମୁଁ ମୋ ଦୁର୍ବଳତା ସବୁକୁ ଦୂର କଲି। ନିଟ୍ ସିଲାବସ୍‌ର ଯେଉଁ ସବୁ ବିଷୟରେ ମୁଁ ଦୁର୍ବଳ ଥିଲି ସେଗୁଡ଼ିକୁ ବାରମ୍ବାର ରିଭାଇଜ୍ କଲି। ଯେଉଁ ସବୁ ବିଷୟରେ ସନ୍ଦେହ ଥିଲା ସେସବୁକୁ ଦୂର କଲି। ଯେଉଁ ବିଷୟ ଉପରେ ମୁଁ ଦକ୍ଷ ଥିଲି ସେସବୁ ଉପରେ ବେଶୀ ଫୋକସ୍ କରିନଥିଲି।”

ଏମିତି କରୁଥିଲେ ପ୍ରସ୍ତୁତି

ସୋଏବ କହିଛନ୍ତି ଯେ, ମୁଁ କୋଚିଂ ସମୟରେ ପ୍ରତିଦିନ ହୋମ୍‌ଓ୍ଵାର୍କ କରୁଥିଲେ। ପ୍ରତିଦିନ ସିଡ୍ୟୁଲ ବନାଇ ସେହି ଅନୁସାରେ ପଢ଼ୁଥିଲି। ପ୍ରତ୍ୟେକ ବିଷୟକୁ ଅଲଗା ଅଲଗା ସମୟ ଦେଉଥିଲି। ମୋଡ୍ୟୁଲ୍ସ ଓ ସାପ୍ତାହିକ ପରୀକ୍ଷା ଏହି ପ୍ରସ୍ତୁତିରେ ମୋତେ ବହୁତ ସାହାଯ୍ୟ କରିଥିଲା। ଏଥିସହ ହ୍ଵାଟ୍‌ସଆପ୍ ମାଧ୍ୟମରେ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ର ଶିକ୍ଷକମାନଙ୍କୁ ପଚାରି ନିଜ ସନ୍ଦେହ ଦୂର କରୁଥିଲି।

କୋଟାର ଏଲନ ଇନ୍‌ଷ୍ଟିଚ୍ୟୁଟ୍‌ର ଶିକ୍ଷକମାନଙ୍କ ଯୋଗୁ ଏହି ସଫଳତା ହାସଲ କରିପାରିଥିବା ସୋଏବ କହିଛନ୍ତି।

ଲକ୍‌ଡାଉନ୍‌ରେ ବି ଘରକୁ ଆସିନଥିଲେ

ସୋଏବ ନିଜ ଲକ୍ଷ୍ୟ ପୂରଣ ଲାଗି ଖୁବ୍ ପରିଶ୍ରମ କରୁଥିଲେ। ଏପରିକି ମେଡିକାଲ କୋଟିଂ ପାଇଁ କୋଟା ଯିବା ପରେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଘରକୁ ଆସିନଥିଲେ ସୋଏବ। ଦୀପାବଳୀ, ଇଦ୍ ଆଦି ଛୁଟିରେ ମଧ୍ୟ ସେ ଘରକୁ ଆସୁନଥିଲେ। କରୋନା ପାଇଁ ଯେତେବେଳେ ଲକ୍‌ଡାଉନ୍ ଆରମ୍ଭ ହେଲା ସେତେବେଳେ ପ୍ରବାସୀମାନେ ଓଡ଼ିଶା ଫେରି ଆସିଲେ। କିନ୍ତୁ ସୋଏବ ନିଜ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବାକୁ ଦେଇନଥିଲେ। କୋଟାରେ ରହି ମେଡିକାଲ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଲକ୍‌ଡାଉନ୍ ସମୟରେ ସେ ପୂରା ସିଲାବସ୍ ରିଭିଜନ୍ କରିନେଇଥିଲେ, ଯାହାକି ତାଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେଲା ବୋଲି ସୋଏବ କହିଛନ୍ତି।

ମା’ ବହୁତ ସାହାଯ୍ୟ କରିଥିଲେ

ସୋଏବଙ୍କ ପାଖରେ ମା’ ସୁଲତାନା ରହୁଥିଲେ। ତେଣୁ ଖାଇବା ପିଇବାରେ ସୋଏବଙ୍କୁ କୌଣସି ଅସୁବିଧା ହୋଇନଥିଲା। ଏହାଦ୍ଵାରା ସେ ଏକାଗ୍ରତାର ସହ ପ୍ରସ୍ତୁତି କରିପାରିଲେ। ନିଜର ସଫଳତା ପାଇଁ ସୋଏବ ନିଜ ମା’ଙ୍କୁ ବହୁତ ବଡ଼ ଶ୍ରେୟ ଦେଇଛନ୍ତି।

ଦୁଃସାଧ୍ୟ ରୋଗର ଚିକିତ୍ସା ପଦ୍ଧତି ବାହାର କରିବାକୁ ଇଚ୍ଛା

ସୋଏବ କହିଛନ୍ତି ଯେ, ଏମ୍‌ବିବିଏସ୍ କରିବା ପରେ ସେ ହୃଦରୋଗ ବିଶେଷଜ୍ଞ ହେବାକୁ ଚାହୁଁଛନ୍ତି। ଏହା ସହ ତାଙ୍କର ଆଉ ଏକ ସ୍ଵପ୍ନ ରହିଛି। ସେ ଏପରି ରୋଗର ଚିକିତ୍ସା ଖୋଜିବାକୁ ଚାହୁଁଛନ୍ତି, ଯାହା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ। ଏହି କ୍ଷେତ୍ରରେ ସେ ଗବେଷଣା କରିବାକୁ ଚାହୁଁଛନ୍ତି।

ଏଥିପାଇଁ ଡାକ୍ତର ହେବାକୁ ଇଚ୍ଛା

ସୋଏବଙ୍କ ବାପା କିମ୍ବା ମା’ଙ୍କ ଘରେ କେହି ଡାକ୍ତର ନାହାନ୍ତି। ସୋଏବଙ୍କ ବାପା ଶେଖ୍ ମହମ୍ମଦ ବିଲ୍ଡିଂ କନ୍‌ଷ୍ଟ୍ରକ୍ସନ କାମ କରନ୍ତି। ସେ ବାଣିଜ୍ୟରେ ଗ୍ରାଜୁଏସନ କରିଛନ୍ତି। ସେହିପରି ମା’ ସୁଲତାନା ବିଏ ପାସ୍ କରିଛନ୍ତି। ସୋଏବଙ୍କ ଜେଜେ ବାପା କେକ୍ ସପ୍ ଚଲାଉଥିଲେ। ତେବେ ସୋଏବଙ୍କର ପିଲାବେଳୁ ବିଜ୍ଞାନ ପ୍ରତି ରୁଚି ରହିଥିଲା ଏବଂ ସେ ଡାକ୍ତର ହେବାକୁ ଚାହୁଁଥିଲେ। ସୋଏବଙ୍କ ବାପା ମଧ୍ୟ ତାଙ୍କୁ ପ୍ରେରଣା ଯୋଗାଇଥିଲେ।

ଜେଇଇ ପରୀକ୍ଷାରେ ବହୁତ ଭଲ ପ୍ରଦର୍ଶନ କରିଥିଲେ

ସୋଏବ ବାୟୋଲୋଜି ସହିତ ଗଣିତକୁ ମଧ୍ୟ ଗୁରୁତ୍ଵ ଦେଉଥିଲେ। ଏଥିସହ ଫିଜିକ୍ସ ଓ କେମେଷ୍ଟ୍ରିରେ ଦକ୍ଷ ହେବା ପାଇଁ ସେ ଜେଇଇ ପାଇଁ ମଧ୍ୟ ପ୍ରସ୍ତୁତି କରୁଥିଲେ। କେବଳ ସେତିକି ନୁହେଁ, ସେ ଜେଇଇ ମେନ୍ସ ପରୀକ୍ଷା ମଧ୍ୟ ଦେଇଥିଲେ ଏବଂ ସେଥିରେ ୯୯.୭ ପ୍ରତିଶତ ହାସଲ କରିଥିଲେ। ଜେଇଇରେ ଭଲ ପ୍ରଦର୍ଶନ ଯୋଗୁ ମୋର ଆତ୍ମବିଶ୍ଵାସ ବଢ଼ିଲା ଏବଂ ମୁଁ ନିଟ୍‌ରେ ଆହୁରି ଭଲ ପ୍ରଦର୍ଶନ କରିପାରିଲି ବୋଲି ସୋଏବ କହିଛନ୍ତି।

Comment