ଓଡ଼ିଶାଲାଇଭ୍ ବ୍ୟୁରୋ

ଉପନିର୍ବାଚନ ପାଇଁ ଅନଲକ ଗାଇଡଲାଇନ ବଦଳାଇଲେ ରାଜ୍ୟ ସରକାର। ଆଗକୁ ରାଜ୍ୟରେ ଦୁଇଟି ଉପନିର୍ବାଚନ ହେବାକୁ ଥିବାବେଳେ ଏହାକୁ ଆଖି ଆଗରେ ରଖି ସ୍ପେଶାଲ୍ ରିଲିଫ୍ କମିସନର ଆଜି ରାଜ୍ୟ ସରକାରଙ୍କ ଅନଲକ୍ ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି।

ନୂତନ ଗାଇଡଲାଇନ୍ ମୁତାବକ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, ସାଂସ୍କୃତିକ, ମନୋରଞ୍ଜନ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି। ହେଲେ ଉପନିର୍ବାଚନ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଅଞ୍ଚଳରେ ନିୟମକୁ ସାମାନ୍ୟ କୋହଳ କରାଯାଇଛି।

ଉପନିର୍ବାଚନ ସକାଶେ ଏହି ଦୁଇ ନିର୍ବାଚନମଣ୍ଡଳୀରେ ରାଜନୈତିକ ସମାବେଶ ହୋଇପାରିବ। ଯେଉଁଥିରେ ଗୋଟିଏ ହଲର ଯେତିକି କ୍ଷମତା ଥିବ ତାହାର ଅଧା ଲୋକ ଏକାଠି ହୋଇପାରିବେ। ସର୍ବାଧିକ ୨୦୦ ଲୋକ ଗୋଟିଏ ସ୍ଥାନରେ ସମବେତ ହୋଇପାରିବେ ବୋଲି କୁହାଯାଇଛି। ତେବେ ସମସ୍ତେ ମାସ୍କ, ସାମାଜିକ ଦୂରତା ପାଳନ କରିବା ସହିତ ଥର୍ମାଲ ସ୍କ୍ରିନିଂ କରିବା ବାଧ୍ୟତାମୂଳକ।

ସେହିପରି ଖାଲି ସ୍ଥାନରେ ରାଜନୈତିକ ସମାବେଶ ହେଲେ ସେଠାରେ କେତେ ଲୋକ ସମବେତ ହେବେ ସେନେଇ ଜିଲ୍ଲା ପ୍ରଶାସନ ଅନୁମତି ଦେବ। ତେବେ ସେଠାରେ ମଧ୍ୟ ମାସ୍କ, ସାମାଜିକ ଦୂରତା ଆଦି ନିୟମ ପାଳିବାକୁ ପଡ଼ିବ ବୋଲି ସଂଶୋଧିତ ଗାଇଡଲାଇନରେ କୁହାଯାଇଛି।

Comment