ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୧୯ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧୬ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ଢେଙ୍କାନାଳ। ଏହି ଜିଲ୍ଲାଗୁଡ଼ିକୁ ଆଜି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।ସେହିପରି ଆସନ୍ତାକାଲିଠାରୁ ୨୧ ତାରିଖ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପଟେ ଆସନ୍ତା ୨୦ ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଲର୍ଟ ହୋଇଛି। ତେଣୁ ଉଭୟ ଜିଲ୍ଲାରେ ବର୍ଷା ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦ ତାରିଖ ପାଇଁ ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।ଏଥିସହ ୨୦ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ ସହ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୧୯, ୨୦ ଓ ୨୧ ତାରିଖ ଦିନ ସମୁଦ୍ର ଭିତରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

Comment