ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୬୦ ବର୍ଷୀୟ ପୀୟୁଷ ଅଗ୍ରଓ୍ଵାଲ ‘ମୋକ୍ଷ’ ନାମକ ଫ୍ୟାନ୍ ମାସ୍କ ପ୍ରସ୍ତୁତ କରିଛନ୍ତି।

  • ଶ୍ଵାସକ୍ରିୟା ସ୍ଵାଭାବିକ ହେବ
  • ଏନ୍-୯୫ ଫିଲ୍‌ଟରେସନ୍ ଉପଲବ୍ଧ
  • ମାସ୍କ କପଡ଼ାକୁ ସଫା କରିହେବ
  • ଯେକୌଣସି ସମୟରେ ବ୍ୟବହାର କରିହେବ
  • ଆଥ୍‌ଲେଟ୍ ମଧ୍ୟ ବ୍ୟବହାର କରିପାରିବେ

କରୋନା ମହାମାରୀ ସମୟରେ ମାସ୍କ ଏକ ଅତ୍ୟାବଶ୍ୟକ ଜିନିଷରେ ପରିଣତ ହୋଇଛି। ମାସ୍କର ଚାହିଦାକୁ ଦୃଷ୍ଟିରେ ରଖି ଏବେ ବଜାରରେ ବିଭିନ୍ନ ପ୍ରକାର ମାସ୍କ ଉପଲବ୍ଧ ହେଉଛି। ସୁନା ମାସ୍କ, ଷଢ଼େଇ ମାସ୍କ ଆଦି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ତେବେ ଆଉ ଦୁଇ ପାଦ ଆଗକୁ ଯାଇ ଫ୍ୟାନ୍ ମାସ୍କ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର ୬୦ ବର୍ଷୀୟ ପୀୟୁଷ ଅଗ୍ରଓ୍ଵାଲ। ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟି)ର ପୂର୍ବତନ ଛାତ୍ର ପୀୟୁଷ ଶ୍ଵାସକ୍ରିୟା ସ୍ଵାଭାବିକ କରିବା ଉଦ୍ଦେଶ୍ୟରେ ଏହି ସ୍ଵତନ୍ତ୍ର ମାସ୍କ ତିଆରି କରିଛନ୍ତି। ଏହି ମାସ୍କର ନାଁ ରହିଛି ‘ମୋକ୍ଷ’।ମାସ୍କ ପିନ୍ଧିବା ପରେ ଅନେକ ଲୋକଙ୍କର ନିଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା ହେଉଛି। କିନ୍ତୁ ଏହି ଫ୍ୟାନ୍ ମାସ୍କ ପିନ୍ଧିବା ପରେ ଆଉ ଅଣନିଶ୍ଵାସୀ ଲାଗିବନି। ମାସ୍କ ପିନ୍ଧିଲେ ମଧ୍ୟ ଜଣେ ସହଜରେ ନିଶ୍ଵାସ ପ୍ରଶ୍ଵାସ ନେଇପାରିବେ ବୋଲି ପୀୟୁଷ କହିଛନ୍ତି।

ପୀୟୁଷଙ୍କ ଘର ଭଦ୍ରକ ଜିଲ୍ଲାର ଚରମ୍ପା ଅଞ୍ଚଳରେ। ଏବେ ସେ ଦିଲ୍ଲୀରେ ରହୁଛନ୍ତି। ସେଠାରେ ସେ ପିକ୍ୟୁଆର୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନି ପ୍ରତିଷ୍ଠା କରିଛନ୍ତି। ପୀୟୁଷ ତିଆରି କରିଥିବା ଫ୍ୟାନ୍ ମାସ୍କରେ ଦୁଇଟି ଛୋଟ ଫ୍ୟାନ୍ ଲାଗିଛି। ଏହି ମାସ୍କର ଲମ୍ବ ଓ ଓସାର ୩ ସେଣ୍ଟିମିଟର ଲେଖାଏଁ ଅଛି। ଗୋଟିଏ ଫ୍ୟାନ୍‌ରେ ନାକ ଭିତରକୁ ପବନ ଯାଇପାରିବ ଓ ଅନ୍ୟ ଫ୍ୟାନ୍‌ଟିରେ ନାକରୁ ବାହାରକୁ ପବନ ବାହାରିବାର ବ୍ୟବସ୍ଥା ରହିଛି।ଏହି ମାସ୍କକୁ ନେଇ ପୀୟୁଷ କହିଛନ୍ତି ଯେ, ଜଣେ ବ୍ୟକ୍ତି ସହଜରେ ଏହାକୁ ଯେକୌଣସି ସମୟରେ ବ୍ୟବହାର କରିପାରିବେ। ଚାଲିବା, ଜଗିଂ କରିବା ଏବଂ ଦୌଡ଼ିବା ବେଳେ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏପରିକି ଏହି ମାସ୍କକୁ ଆଥ୍‌ଲେଟ୍‌ମାନେ ମଧ୍ୟ ବ୍ୟବହାର କରିପାରିବେ ବୋଲି ପୀୟୁଷ କହିଛନ୍ତି।

ଜୀବାଣୁ, ଭୂତାଣୁ ଆଦିକୁ ପ୍ରତିହତ କରିବା ପାଇଁ ଏହି ମାସ୍କକୁ ଏନ୍-୯୫ ଫିଲ୍‌ଟରେସନ୍ ଅନୁସାରେ ତିଆରି କରାଯାଇଛି।

ଏହି ମାସ୍କରେ ଥିବା ଫ୍ୟାନ୍‌ ଦୁଇଟିକୁ ଚାଲୁ କରିବା ପାଇଁ ଗୋଟିଏ ବ୍ୟାଟେରି ଅଛି। ତେବେ ଯେକୌଣସି ଛୋଟ ବ୍ୟାଟେରି, ଲାପ୍‌ଟପ୍, ମୋବାଇଲ ପୋର୍ଟ କିମ୍ବା ଚାରିଚକିଆ ଗାଡ଼ିର ୟୁଏସ୍‌ବି ପୋର୍ଟକୁ ବ୍ୟାଟେରି ଭାବେ ବ୍ୟବହାର କରାଯାଇପାରିବ ବୋଲି ପୀୟୁଷ କହିଛନ୍ତି।

ଏହି ଫ୍ୟାନ୍‌କୁ ଚଲାଇବା ପାଇଁ ବ୍ୟାଟେରିକୁ ଅଣ୍ଟା ଓ ବାହୁରେ ରଖିବାକୁ ପଡ଼ିବ। ଏହାପରେ ବ୍ୟାଟେରିକୁ ଏକ ତାର ସାହାଯ୍ୟରେ ମାସ୍କ ସହ ସଂଯୋଗ କରାଯିବ। ଏହାପରେ ମାସ୍କରେ ଲାଗିଥିବା ଫ୍ୟାନ୍ ଦୁଇଟି ବୁଲିବ। ତେବେ ଥରେ ବ୍ୟାଟେରି ଚାର୍ଜ ହେଲେ ୮ ଘଣ୍ଟା ପର୍ଯ୍ୟନ୍ତ ଏହି ଫ୍ୟାନ୍ ବୁଲିବ। ସାଧାରଣ ଫ୍ୟାନ୍ ପରି ଏହି ଫ୍ୟାନ୍‌କୁ ମଧ୍ୟ ଲୋ, ମିଡିୟମ୍ ଓ ହାଏ ଅପ୍‌ସନ୍ ଦ୍ଵାରା ନିୟନ୍ତ୍ରଣ କରାଯାଇପାରିବ ବୋଲି ପୀୟୁଷ କହିଛନ୍ତି।ଏହି ମାସ୍କରେ ଲାଗିଥିବା କପଡ଼ାକୁ ନିୟମିତ ସମୟ ବ୍ୟବଧାନରେ ସଫା କରାଯାଇପାରିବ। ସେହିପରି ଏନ୍-୯୫ ଫିଲ୍‌ଟରେସନ୍‌କୁ ମଧ୍ୟ ବଦଳାଇବାର ବ୍ୟବସ୍ଥା ରହିଛି।

ବର୍ତ୍ତମାନ ଏହି ମାସ୍କର ଦାମ୍ ରହିଛି ୨୨୦୦ରୁ ୩୦୦୦ ଟଙ୍କା। ତେବେ ଏହାକୁ ଅନୁମତି ପାଇଁ ଦିଲ୍ଲୀ ଏମ୍ସ, ମୌଲାନା ଆଜାଦ ମେଡିକାଲ କଲେଜ, ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରି ଅଫ୍ ସାଇଣ୍ଟିଫିକ୍ ରିସର୍ଚ୍ଚକୁ କିଛି ସାମ୍ପଲ ପଠାଯାଇଥିବା ପୀୟୁଷ ସୂଚନା ଦେଇଛନ୍ତି।

Comment