ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନାସନାଲ୍‌ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି। ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସ୍‌ନର ମୁଖ୍ୟ ଥିବାବେଳେ ଫାରୁକ ୧୧୩ କୋଟି ଟଙ୍କା ଠକେଇ କରିଥିବା ମାମଲାରେ ଶ୍ରୀନଗରରେ ତାଙ୍କୁ ପଚରାଉଚୁରା କରୁଛି ଇଡି।

୨୦୦୨ରୁ ୨୦୧୧ ମଧ୍ୟରେ ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନକୁ ବିସିସିଆଇ ୧୧୩ କୋଟି ଟଙ୍କା ଦେଇଥିଲା। କିନ୍ତୁ ଏଥିରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ୨୦୧୫ରେ ରଣଜୀ ଟ୍ରଫି କୋଚ୍‌ ତଥା କଶ୍ମୀର କ୍ରିକେଟର ମାଜିଦ୍ ଅହମ୍ମଦ ଜମ୍ମୁ କଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ) ଦୁର୍ନୀତି ସମ୍ପର୍କରେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ।

ଏହାପରେ ହାଇକୋର୍ଟ ଏହି ମାମଲାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ସିବିଆଇ ମାମଲା ରୁଜୁ କରି ତଦନ୍ତ କରିଥିଲା। ସେ ସମୟରେ ଫାରୁକଙ୍କୁ ସିବିଆଇ କିଛି ଜରୁରୀ କାଗଜପତ୍ର ମାଗିଥିଲେ। ସେତେବେଳେ ଫାରୁକ ସିବିଆଇକୁ ୧୫ ଦିନ ସମୟ ମାଗି କୌଣସି କାଗଜପତ୍ର ଦେଇ ନ ଥିଲେ। ସେହି ମାମଲାକୁ ଆଧାର କରି ଏବେ ଇଡି ତାଙ୍କୁ ଜେରା କରୁଛି।

Comment