ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୁଲ୍ ଫି’ ଛାଡକୁ ନେଇ ଯେଉଁ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ଏହା ଉପରେ ରାଜ୍ୟ ଗଣଶିକ୍ଷା ସଚିବଙ୍କ ଆଭିମୁଖ୍ୟ କ’ଣ ରହିଛି ତାହା ଜଣାଇବାକୁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ୍ ଫି’ ଛାଡକୁ ନେଇ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଯେଉଁଥିରେ ୭.୫ରୁ ୨୬ ପ୍ରତିଶତ ପର୍ଯ୍ୟନ୍ତ ସ୍କୁଲ୍ ଫି’ ଛାଡ କରାଯିବା ଲାଗି ପ୍ରସ୍ତାବ ରହିଥିଲା।
ଏହି ପ୍ରସ୍ତାବ ଆଧାରରେ ଦାଖଲ ହୋଇଥିବା ରିପୋର୍ଟ ଉପରେ ରାଜ୍ୟ ସରକାର ତାଙ୍କ ଜବାବ ରଖିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ଏବଂ ବିଚାରପତି ବି ଆର୍ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ୧୦ ତାରିଖକୁ ଶୁଣାଣି ଧାର୍ଯ୍ୟ ହୋଇଛି।
କରୋନା ସମୟରେ ବିଦ୍ୟାୟାଳୟଗୁଡିକ ବନ୍ଦ ରହିଥିଲେ ମଧ୍ୟ ବିଭିନ୍ନ ଘରୋଇ ସ୍କୁଲ୍ ସ୍କୁଲ୍ ଫି’ ଅଭିଭାବକମାନଙ୍କଠାରୁ ଦାବି କରିଥିଲେ। ଏହାକୁ ବିରୋଧ କରି ଏକାଧିକ ମାମଲା ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଅଭିଭାବକ ସଂଘ, ଶିକ୍ଷକ ସଂଘ, ସ୍କୁଲ୍ ସଂଘର ବିଭିନ୍ନ କର୍ମକର୍ତ୍ତା ଭାଗ ନେଇଥିଲେ। ଏଥିରେ ବାର୍ଷିକ ଫି’ ଆଧାରରେ ଫି’ ଛାଡ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏହି ପ୍ରସ୍ତାବକୁ ରାଜ୍ୟ ଗଣଶିକ୍ଷା ସଚିବ ହାଇକୋର୍ଟରେ ଦାଖଲ କରିଥିଲେ। ଏହି ରିପୋର୍ଟ ଉପରେ ରାଜ୍ୟ ସରକାରଙ୍କ ମତ କ’ଣ ରହିଛି ତାହା ଜାଣିବାକୁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ଏବଂ ସରକାରୀ ବିଦ୍ୟାୟାଳୟର ମୁଖ୍ୟ ହିସାବରେ ରାଜ୍ୟ ସରକାର କେତେ ପ୍ରତିଶତ ସ୍କୁଲ୍ ଫି’ ଛାଡ କରାଯିବା ଉଚିତ୍ ବୋଲି ତାଙ୍କ ମତ ଜାଣିବାକୁ ଚାହିଁଛନ୍ତି।
ଏହି ମତ ଆସିବା ପରେ ହାଇକୋର୍ଟ ତାଙ୍କ ରାୟ ଶୁଣାଇ ପାରନ୍ତି। ଅଭିଭାବକ ସଂଘ ପକ୍ଷରୁ ଆଇନଜୀବୀ ଭି ନରସିଂହ, ପ୍ରହଲ୍ଲାଦ ରାଉତଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ଏବଂ ଅନ୍ୟଜଣେ ଆବେଦନକାରୀଙ୍କ ପକ୍ଷରୁ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।