ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର କୌଣସି ଜିନିଷ ପତ୍ର ବା ସେବା ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଓଡ଼ିଶା ସରକାର ମଧ୍ୟ ସେହି ବାଟ ଧରିଛନ୍ତି। ଓଡ଼ିଶା ଜେନେରାଲ ଫାଇନାନ୍ସ ରୁଲସକୁ ଏଥିପାଇଁ ସଂଶୋଧନ କରିଛି ଅର୍ଥ ବିଭାଗ। ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତ ସୀମାନ୍ତରେ ଥିବା ଦେଶରୁ କୌଣସି ସରକାରୀ କିଣାକିଣି ହୋଇପାରିବ ନାହିଁ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

ଅର୍ଥ ସଚିବ ଅଶୋକ ମୀନା ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁଲାଇ ମାସରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିଲେ। ଯେତେ ସବୁ କେନ୍ଦ୍ର ସରକାରୀ ଟେଣ୍ଡର ବାହାରୁଛି ସେଥିରେ ଚୀନ ଭାଗ ନେଇ ପାରିବ ନାହିଁ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଥିଲା।

ସେହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେନ୍ଦ୍ର ସବୁ ରାଜ୍ୟ ସରକାରଙ୍କ ନିକଟକୁ ଏହି ମର୍ମରେ ଚିଠି ଲେଖିଥିଲେ। ଏଣୁ ସମ୍ବିଧାନର ଧାରା ୨୫୭(୧) ଅନୁସାରେ ଓଡ଼ିଶା ସରକାର ମଧ୍ୟ କିଣା ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ଓଡ଼ିଶା ସରକାରଙ୍କ କୌଣସି ବିଭାଗ, ସଂସ୍ଥା ଓ ନିଗମ ପଡ଼ୋଶୀ ଦେଶରୁ ଜିନିଷ କିଣି ପାରିବେ ନାହିଁ କି ସେମାନଙ୍କ ସହ କୌଣସି ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବେ ନାହିଁ। ଏପରିକି ପିପିପି ମୋଡ଼ରେ ହେଉଥିବା କାମ ମଧ୍ୟ ଚୀନ କମ୍ପାନୀକୁ ଦିଆଯିବ ନାହିଁ।

Comment