ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୃଢ଼ ଇଚ୍ଛା ଶକ୍ତି ଥିଲେ କୌଣସି ବି ବାଧା କିଛି କରିବା ପାଇଁ ଅଟକାଇ ପାରିବ ନାହିଁ। ଏହି କଥାକୁ ସତ ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ଜଣେ ୬୮ ବର୍ଷୀୟା ବୃଦ୍ଧା। ଏହି ପରିଣତ ବୟସରେ ସେ ଏକାକୀ ସାଇକେଲ ଧରି ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବା ପାଇଁ ବାହାରିଛନ୍ତି। ସୋସିଆଲ ମିଡିଆରେ ଏହି ବୃଦ୍ଧାଙ୍କ ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ବୃଦ୍ଧା ମହାରାଷ୍ଟ୍ରର ବୁଲନ୍ଦ ଜିଲ୍ଲାର ରେଖା ଦେବଭଙ୍କର ବୋଲି ଜଣାପଡ଼ିଛି। ସେ ଜମ୍ମୁ କଶ୍ମୀରର ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ୨୨ ଶହ କିଲୋମିଟର ସାଇକେଲରେ ଯିବା ପାଇଁ ସ୍ଥିର କରିଛନ୍ତି। ବୃଦ୍ଧା ଜଣକ ସାଙ୍ଗରେ କିଛି ଆବଶ୍ୟକୀୟ ଜିନିଷ ଓ ମାତା’ ମୂର୍ତ୍ତି ନେଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ରତନ ଶାରଦା ନାମକ ଜଣେ ୟୁଜର ଏହି ଭିଡିଓକୁ ଟୁଇଟରରେ ସେୟାର କରିଛନ୍ତି। ତାଙ୍କର ଏଭଳି ଭକ୍ତି ଓ ବିଶ୍ୱାସ ପାଇଁ ଅନେକ ପ୍ରଶଂସା କରି ତାଙ୍କର ସୁରକ୍ଷିତ ଯାତ୍ରା କାମନା କରିଛନ୍ତି।

Comment